୧୭ ଦିନର ସଂଘର୍ଷ : ଫେରିଲା ଜୀବନ

The 17-Day Struggle: Returning to Life

0 46

ଉତ୍ତରକାଶୀ,୨୮ା୧୧: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ ରହି ଟନେଲ ଖୋଳୁଥିଲା ତ ଆଉ କିଏ ଘରେ ବସି ପ୍ରାର୍ଥନା କରୁଥିଲା । ହେ ପ୍ରଭୁ ଶ୍ରମିକଙ୍କୁ ଉଦ୍ଧାର କର, କିଏ ଶ୍ରମିକଙ୍କ ପାଇଁ ମନ୍ଦିରରେ ଦୀପ ଜାଳୁଥିଲା ତ ଆଉ କିଏ ମସଜିଦରେ ନମାଜ ପଢୁଥିଲା । କୋଟି କୋଟି ଭାରତୀୟଙ୍କ କାମନା ଥିଲା ଶ୍ରମିକଙ୍କ ସହ । ଏହାରି ଭିତରେ ବଡ ଚ୍ୟାଲେଞ୍ଜ ଥିଲା ଟନେଲ ଭିତରେ ପଶି ଶ୍ରମିକଙ୍କୁ ଉଦ୍ଧାର କରିବା । ପାହାଡର ପଥର ଚଟାଣ ଭାଙ୍ଗି ନ ପାରି ଭାଙ୍ଗି ଯାଇଥିଲା ଅଗର ମେସିନ । ହେଲେ ଭାଙ୍ଗି ପାରିନଥିଲା ଉଦ୍ଧାରକାରୀଙ୍କ ମନୋବଳ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଦିନ ରାତି ଏକାକାର କରିଦେଇଥିଲେ ଉଦ୍ଧାରକାରୀ ଦଳ । ଦେଶର ବିକାଶରେ ଯେଉଁ ଶ୍ରମିକଙ୍କ ଅବଦାନ ରହିଛି ତାଙ୍କ ପାଇଁ ଏହି ୧୭ ଦିନରେ ଏକାଠି ହୋଇଥିଲା ସାରା ଦେଶ । ଆଉ ଶେଷରେ ୧୭ ଦିନ ପରେ ପଥର ଫଟାଇ ୪୧ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବଂ ପାହାଡର ଗର୍ବ ଭାଙ୍ଗି ଶ୍ରମିକମାନେ ବାହାରକୁ ବାହାରିଥିଲେ । ମୁହଁରେ ହସ ନେଇ ବାହାର ଦୁନିଆ ଦେଖିବା ପାଇଁ ୧୭ ଦିନର ସଂଘର୍ଷ ପରେ ଆଜି ସମସ୍ତ ଶ୍ରମିକ ଉଦ୍ଧାର ହୋଇଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ସୂଚନା ମିଳିଛି । ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ । ସକାଳ୫ଟା ୩୦ରେ ହଠାତ୍‌ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ •ଲି ଆସିଥିଲେ । ହେଲେ ହଠାତ୍‌ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ । ଏହାପର ଠାରୁ ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଲାଗି ପଡିଥିଲେ । ନଭେମ୍ବର ୧୨ରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ୧୩ରେ ଫସି ରହିଥିବା ଶ୍ରମିକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରାଯାଇଥିଲା । ସେମାନଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ବ୍ୟବସ୍ଥା କରାଯିବା ସହ ସେମାନେ ନିରାପଦରେ ଥିବା ସୂଚନା ମିଳିଥିଲା । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ନଭେମ୍ବର ୧୪ରେ ୮୦୦ ଏବଂ ୯୦୦ ମିଲିମିଟର ବ୍ୟାସ ବିଶିଷ୍ଟ ଇସ୍ପାତ ପାଇପ ଅଣାଯାଇ ଏକ ଅଗର୍‌ ମେସିନ୍‌ ସାହାଯ୍ୟରେ ଭୂସମାନ୍ତର ଗର୍ତ୍ତ ଖନନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହା ସହ ଏହି ପାଇପକୁ ସୁଡ଼ଙ୍ଗ ଭିତରକୁ ପ୍ରବେଶ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନଭେମ୍ବର ୧୫ରେ ପ୍ରଥମ ଡ୍ରିଲିଂ ମେସିନର କାର୍ଯ୍ୟଦକ୍ଷତାକୁ ନେଇ ଏନଏଚଆଇଡିସିଏଲ୍‌ ଅସନ୍ତୁଷ୍ଟ ହେବାରୁ ଦିଲ୍ଲୀରୁ ବିମାନ ସାହାଯ୍ୟରେ ଏକ ଅତ୍ୟାଧୁନିକ ଆମେରିକୀୟ ଆଗର୍‌ ମେସିନ୍‌ ଅଣାଯାଇଥିଲା । ନଭେମ୍ବର ୧୬ରେ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରିଲିଂ ମେସିନ୍‌ ଉଦ୍ଧାର ସ୍ଥଳୀରେ ସ୍ଥାପନ କରାଯାଇ ମଧ୍ୟ ରାତ୍ରିରେ ଏହା କାମ କରିବା ଆରମ୍ଭ କରିଥିଲା । ନଭେମ୍ବର ୧୭ରେ ଅପରାହ୍ନ ସୁଦ୍ଧା ମେସିନ୍‌ ପ୍ରାୟ ୨୪ ମିଟର ଡବଲ୍‌ ଡ୍ରିଲ୍‌ କରିଥିଲା ଏବଂ ଛଅ ମିଟର ଲମ୍ବ ବିଶିଷ୍ଟ •ରିଟି ଏମ୍‌ଏସ୍‌ ପାଇପ୍‌ ସୁଡ଼ଙ୍ଗ ଭିତରକୁ ଭର୍ତ୍ତି କରାଯାଇଥିଲା । ମାତ୍ର ପଞ୍ଚମ ପାଇପ୍‌ ଭିତରକୁ ପ୍ରବେଶ କରିବା ସମୟରେ ଚଟ୍ଟାଣ ସହ ଧକ୍କା ଖାଇବାରୁ ବାଧା ଦେଖାଦେଇଥିଲା । ଫଳରେ ଖନନ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା । ପରେ ନଭେମ୍ବର ୧୮ରେ ଡ୍ରିଲିଂ ବନ୍ଦ କରିବାକୁ ବିଶେଷଜ୍ଞମାନେ ନିଷ୍ପତ୍ତି ନେଲେ । କାରଣ ଟନେଲ ଭିତରେ ଡିଜେଲ •ଳିତ ୧୭୫୦ ହର୍ଷ ପାୱାର ବିଶିଷ୍ଟ ଆମେରିକୀୟ ଅଗର୍‌ ମେସିନ୍‌ •ଲିବା ଫଳରେ ତା’ ଦ୍ୱାରା ସୃଷ୍ଟି ହୋଇଥିବା କମ୍ପନ ହେତୁ ଖଣ୍ଡ ଖଣ୍ଡ ହୋଇ ପଥର ଖସିବାକୁ ଲାଗିଲା । ଏଣୁ ବିଶେଷଜ୍ଞମାନେ ପାହାଡ ଉପର ପଟୁ ଏକ ଭୂଲମ୍ବ ଗର୍ତ୍ତ ଖନନ ପାଇଁ ପ୍ରସ୍ତୁତି ଆରମ୍ଭ କଲେ । ନଭେମ୍ବର ୨୧ରେ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ପ୍ରଥମ ଭିଜୁଆଲ୍‌ ଆସିଲା । ନୂତନ ୬ ଇଞ୍ଚ ବ୍ୟାସର ପାଇପଲାଇନ ମାଧ୍ୟମରେ ପଠା ଯାଇଥିବା ଏକ ଏଣ୍ଡୋସ୍କୋପିକ୍‌ କ୍ୟାମେରା ଦ୍ୱାରା କଏଦ ହୋଇଥିବା ଭିଡିଓ କ୍ଲିପ୍‌ ସେଠାରେ କିଛି ଦିନ ଧରି ପଡ଼ି ରହିଥିବା ସମ୍ପର୍କୀୟଙ୍କ ପାଇଁ ଆଶା ସଞ୍ଚାର କରିଥିଲା । ନଭେମ୍ବର ୨୪ରେ ସୁଡ଼ଙ୍ଗରେ ପୁଣି ଡ୍ରିଲିଂ ବନ୍ଦ କରାଗଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଇଂଜିନିୟର କହିଲେ ଯେ ଅଗର ଡ୍ରିଲିଂ ମେସିନ୍‌ ଶକ୍ତ ପଥର ସହ ଧକ୍କା ଖାଇବାରୁ ବେଷୟିକ ସମସ୍ୟା ସୃଷ୍ଟି ହୋଇଥିଲା । ନଭେମ୍ବର ୨୬ରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା “ଅଗର୍‌ ମେସିନ୍‌’ ଅକାମି ହୋଇ ଭଗ୍ନସ୍ତୂପ ମଧ୍ୟରେ ଲାଖିଯିବାରୁ ତାକୁ କାଟି ବାହାର କରିବା ଲାଗି ହାଇଦ୍ରାବାଦରୁ ଗୋଟାଏ “ପ୍ଲାଜ୍ମା କଟର୍‌’ ଆସିଥିଲା । ଏହା ପରେ “ଭର୍ଟିକାଲ୍‌ ଡ୍ରିଲିଙ୍ଗ୍‌’ ଆରମ୍ଭ କରାଗଲା । ଏହି ଅଭିଯାନରେ ଭାରତୀୟ ସେନାର ଇଂଜିନିୟରଙ୍କୁ ସାମିଲ୍‌ କରାଗଲା । ନଭେମ୍ବର ୨୮ରେ ଟନେଲ୍‌ ଉଦ୍ଧାର କାର୍ଯ୍ୟରେ ରାଟେ୍‌ହାଲ୍‌ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍‌ ଭର୍ତ୍ତି କରାଗଲା । ଏହି କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା କରାଯାଏ । ରାଟେ୍‌ହାଲ୍‌ ମାଇନିଂ କୌଶଳର ଉପଯୋଗରେ ଶ୍ରମିକଙ୍କ ପାଖରେ ପହଞ୍ଚିବାରେ ଉଦ୍ଧାରକାରୀ ଦଳ ସକ୍ଷମ ହେଲେ ।

Leave A Reply

Your email address will not be published.