ଶ୍ରୀମନ୍ଦିରରେ କୁରାଳ ପଞ୍ଚମୀ ପର୍ବ ଆରମ୍ଭ

The festival of Kural Pakhtami begins in Shrimandir

0 76

ପୁରୀ,୧୭ା୧୨ : ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହୋଇଛି ୫ଦିନିଆ କୁରାଳ ପଞ୍ଚମୀ ପର୍ବ। ଶ୍ରୀକ୍ଷେତ୍ର ସମେତ ସମଗ୍ର ରାଜ୍ୟରେ କୁମ୍ଭକାରମାନଙ୍କ ଏହି ପବିତ୍ର କୁରାଳ ପଞ୍ଚମୀ ପର୍ବ ଶ୍ରଦ୍ଧା ଓ ଭକ୍ତି ଭାବନାର ସହ ପାଳନ କରାଯାଉଛି। ପାରମ୍ପରିକ ଭାବେ କୁମ୍ଭକାରମାନେ ସେମାନଙ୍କ ହାଣ୍ଡି ଗଢ଼ା ସରଞ୍ଜାମ ଚକ, ପିଣ୍ଡ ଓ ପିଟଣା ଆଦି ପୂଜାରେ ବସାଇ ବ୍ରତ ପାଳନ କରୁଛନ୍ତି। ଏହି ୫ଦିନ କୁମ୍ଭକାରମାନେ ହାଣ୍ଡି ଗଢ଼ିବେ ନାହିଁ। ଏହାପରେ କୁମ୍ଭକାର ନିଯୋଗର ତିଥି ନିର୍ଘଣ୍ଟ ଅନୁଯାୟୀ ହାଣ୍ଡିଗଢ଼ା କାର୍ଯ୍ୟ ଆରମ୍ଭ ହେବାର ନିୟମ ରହିଛି। ଏହି ଅବସରରେ କୁମ୍ଭକାରମାନେ ତାଙ୍କର ଇଷ୍ଟଦେବ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ପୂଜାମଣ୍ଡପରେ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ମୃଣ୍ମୟ ମୂର୍ତ୍ତି ପୂଜିତ ହେଉଛନ୍ତି। ଶ୍ରୀକ୍ଷେତ୍ରର କୁମ୍ଭାରପଡ଼ା, ଜେନାପୁର, ନୂଆସାହି ଓଟିକରପଡ଼ା ସାହି ଆଦି କୁମ୍ଭକାର ପଡ଼ାମାନ ହୋଇଉଠିଛି ବେଶ ଚଳଚଞ୍ଚଳ। ଏହି ସବୁ ପଡ଼ା ଓ ବସ୍ତିର ବିଭିନ୍ନ ସ୍ଥାନରେ ୧୦ଟି ସୁସଜ୍ଜିତ ପୂଜାମଣ୍ଡପରେ ରୁଦ୍ରପାଳ ଓ ରତ୍ନେଶ୍ୱରୀ ପୂଜା ପାଉଛନ୍ତି। ପରମ୍ପରା ଅନୁଯାୟୀ କୁମ୍ଭକାରମାନେ ସେମାନଙ୍କ ଇଷ୍ଟଦେବତାଙ୍କ ନିକଟରେ ୫ଦିନରେ ୫ପ୍ରକାର ସଙ୍ଖୁଡି ଭୋଗ କରିବେ। ପରିବାରର ସଦସ୍ୟମାନେ ନୂଆବସ୍ତ୍ର ପରିଧାନ କରି ଏହାକୁ ଧୁମ୍‌ଧାମରେ ପାଳନ କରୁଛନ୍ତି। ଭକ୍ତକବି ଦୀନବନ୍ଧୁ ଦାସଙ୍କ ରଚିତ କୁରାଳ ପୁରାଣର ବର୍ଣ୍ଣନାଅନୁଯାୟୀ ସୃଷ୍ଟି ଆରମ୍ଭରେ ମନୁଷ୍ୟଙ୍କ ପାକଖାଦ୍ୟ ପ୍ରସ୍ତୁତି ନିମନ୍ତେ ଭଗବାନ କୁମ୍ଭକାରମାନଙ୍କୁ ସୃଷ୍ଟି କରିଥିଲେ। ବିଷ୍ଣୁଙ୍କ ପୁତ୍ର ରୁଦ୍ରପାଳ ଥିଲେ ପ୍ରଥମ କୁମ୍ଭକାର। ହାଣ୍ଡି ପ୍ରସ୍ତୁତି ନିମନ୍ତେ ରୁଦ୍ରପାଳଙ୍କୁ ଭଗବାନ ଚକ୍ର, ଶଙ୍ଖ, ଗଦା, ପଦ୍ମ ଏବଂ ଏକଖିଅ ପଇତା ପ୍ରଦାନ କରିଥିଲେ। କଳିଯୁଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ କୁମ୍ଭକାରମାନଙ୍କ ଦ୍ୱାରା ପ୍ରସ୍ତୁତ ମାଟି ହାଣ୍ଡିରେ ମଣୋହି ହୋଇ ତୃପ୍ତି ଲାଭ କରିଥାନ୍ତି।

Leave A Reply

Your email address will not be published.