ହଟ୍ଟଗୋଳ : ଶୀତ ଅଧିବେଶନରୁ ୯୨ ସାଂସଦ ନିଲମ୍ବିତ

The chaos: 92 MPs suspended from winter session

0 68

ନୂଆଦିଲ୍ଲୀ,୧୮ା୧୨ : ସଂସଦ ସୁରକ୍ଷା ଭଙ୍ଗ ତ୍ରୁଟି ପ୍ରସଙ୍ଗରେ ଗୃହରେ ବିଶୃଙ୍ଖଳା ନେଇ ଲୋକସଭା ପରେ ରାଜ୍ୟସଭାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲୋକସଭାରୁ ୩୩ ଓ ରାଜ୍ୟସଭାରୁ ୪୫ ସାଂସଦ ନିଲମ୍ବନ ହୋଇଛନ୍ତି। ସମୁଦାୟ ୯୨ ସାଂସଦ ନିଲମ୍ବନ ହେଲେଣି। ଲୋକସଭାର ୩୩ ସାଂସଦ ଶୀତ ଅଧିବେଶନରେ ଆଉ ଅଂଶଗ୍ରହଣ କରିପାରିବେ ନାହିଁ। ରାଜ୍ୟସଭାର ୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ୩୪ ଜଣଙ୍କୁ ସଂସଦର ଶୀତ ଅଧିବେଶନରୁ ନିଲମ୍ବନ କରାଯାଇଥିବା ବେଳେ ୧୧ ଜଣଙ୍କ ସଂପର୍କରେ ନିଷ୍ପତ୍ତି ସଂସଦର ସ୍ୱାଧୀକାର କମିଟି ଉପରେ ଛଡ଼ାଯାଇଛି। ଭାରତୀୟ ଇତିହାସରେ ଏହା ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ। ଏତେ ସଂଖ୍ୟକ ସାଂସଦ ନିଲମ୍ବନ ହେବଆଗରୁ କେବେ ଦେଖାଯାଇନଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏମାନଙ୍କ ବିରୋଧରେ ପ୍ରସ୍ତାବ ଆଗତ କରିଥିବା ବେଳେ ଧ୍ୱନିମତରେ ଏହା ପାରିତ ହୋଇଥିଲା। ଲୋକସଭା ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ଏମାନେ ସଂସଦର ଶୀତ ଅଧିବେଶନରେ ଆଉ ସାମିଲ ହୋଇପାରିବେ ନାହିଁ। ନିଲମ୍ବନ ସାଂସଦଙ୍କ ମଧ୍ୟରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳୀୟ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିରୋଧୀ ଦଳର ୩୩ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଏଥିନେଇ ଅଧୀର ରଞ୍ଜନ କହିଛନ୍ତି ନିଲମ୍ବନ ପ୍ରକ୍ରିୟା ପାଇଁ ବିରୋଧୀ ଦାବି କରୁଥିବା ବେଳେ ସଂସଦରେ ପୁଣି ବଡ଼ ନିଲମ୍ବନ ଅପରେସନ ହୋଇଛି। ପାର୍ଲିଆମେଣ୍ଟକୁ ପାର୍ଟି ଅଫିସ୍‌ ଭଳି ଚଳାଇବାକୁ ଚାହୁଁଛି ବିଜେପି। ସରକାରଙ୍କ ଏକଛତ୍ରବାଦ ଶୀର୍ଷରେ ପହଞ୍ଚିଥିବା ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି। ସ୍ମୋକ୍‌ ଆଟାକ୍‌ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଚାଲିଥିବା ଶନିବାର ସମସ୍ତ ଲୋକସଭା ସାଂସଦଙ୍କୁ ଚିଠି ଲେଖିଥିଲେ ଓମ୍‌ ବିର୍ଲ୍ଲା। ୧୩ ଜଣ ସାଂସଦଙ୍କ ନିଲମ୍ବନ ସହ ସ୍ମୋକ୍‌ ଆଟାକ୍‌ ସହିତ କୌଣସି ସଂପର୍କ ନାହିଁ। ସାଂସଦଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହର ମର୍ଯ୍ୟାଦା ରକ୍ଷା କରିବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ। ଅନ୍ୟପକ୍ଷରେ ସ୍ମୋକ୍‌ ଆଟାକ୍‌ ନେଇ ଗୃହମନ୍ତ୍ରୀ ବିବୃତି ନ ଦେବା ପର୍ଯ୍ୟନ୍ତ ଉଭୟ ସଦନକୁ ଚଲାଇ ଦିଆଯିବନାହିଁ। ଅନ୍ୟପକ୍ଷରେ ବିଜେପି ସଫେଇ ଦେଇ କହିଛି ବିରୋଧୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ବିଶୃଙ୍ଖଳିତ ଆଚରଣ କରି ଗୃହକୁ ଚଳାଇ ଦେଉନାହାଁନ୍ତି। ସେହିପରି ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଥିଲା। ଗୃହରେ ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ନିଲମ୍ବନ କରିବା ପାଇଁ ପ୍ରସ୍ତାବ ଆଣିଥିଲେ ପିୟୁସ ଗୋଏଲ। ପ୍ରସ୍ତାବ ଆଧାରରେ ଜୟରାମ ରମେଶ, କେ.ସି ବେଣୁଗୋପାଳ, ରଣଦୀପ ସୂର୍ଯ୍ୟୱାଲାଙ୍କ ଭଳି ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଏହା ପୂର୍ବରୁ ଗତ ୧୪ ତାରିଖରେ ୧୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଶନିବାର ଏକ ଦୈନିକ ଖବରକାଗଜକୁ ସାକ୍ଷାତକାର ଦେଇ ସ୍ମୋକ୍‌ ଆଟାକ୍‌ ମାମଲାକୁ ଅତି ଗମ୍ଭିରତାର ସହ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଘଟଣା ପଛରେ ଯିଏ ରହିଛି ଏବଂ ଉଦ୍ଦେଶ୍ୟ କଣ ଥିଲା ତାହା ସମସ୍ତେ ଜାଣିବା ଆବଶ୍ୟକ। ଏହାକୁ ନେଇ ବିତର୍କ ହେବା ଉଚିତ୍‌ ନୁହେଁ ମୋଦି କହିଥିଲେ।

Leave A Reply

Your email address will not be published.