ନୂଆ ବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଲକ୍ଷାଧିକ ଭକ୍ତ

Lakhs of devotees visited Srijiu in the new year

0 50

ପୁରୀ,୧ା୧ : ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଥିଲା ଆନନ୍ଦର ମାହୋଲ। ଆଜି ଇଂରାଜୀ ନବବର୍ଷରେ ଲକ୍ଷାଧିକ ଦର୍ଶନାର୍ଥୀ ଶ୍ରୀମନ୍ଦିରରେ ବାହରାକାଠନିକଟରୁ ଶ୍ରୀଜିଉମାନଙ୍କ ଦର୍ଶନ କରିଛନ୍ତି। ଗତକାଲି ରାତି ୯ଟା୩୫ରେ ମହାପ୍ରଭୁଙ୍କର ରାତ୍ର ପହୁଡ କରାଯାଇ ରାତି ଗୋଟାଏରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା। ରାତି ଗୋଟାଏ ୩୫ରେ ଭିତରଶୋଧପରେ ଗୋଟାଏ ୪୦ରେ ହୋଇଥିଲା ମଙ୍ଗଳଆଳତି। ମଇଲମ୍‌, ରୋଷହୋମ, ତଡ଼ପଲାଗି ଓ ଅବକାଶ ପରେ ଭୋର୍‌ ୪ଟା ୪୫ ସୁଦ୍ଧା ପହିଲି ଭୋଗ ଶେଷ ହୋଇଥିଲା। ସକାଳ ୬ଟା ଶେଷ ହୋଇଥିଲା ସକାଳଧୂପ। ପରେ ମହାପ୍ରଭୁଙ୍କ ଅନ୍ୟ ପାରମ୍ପରିକ ନୀତି ସମ୍ପନ୍ନ ହୋଇଥିଲା। ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପଲିଥିନ୍‌,ପାନ ଓ ଗୁଟୁଖା ନିଷିଦ୍ଧ କରାଯାଇଥିଲେ ମଧ୍ୟ ଆଜି ଠାରୁ ଜାରି କଟକଣାକୁ କଡ଼ାକଡ଼ି କରାଯାଇଛି। ଆଜି ପ୍ରଥମଥରଲାଗି ଦର୍ଶନାର୍ଥୀମାନେ ନବନିର୍ମିତ ଏସି ଟନେଲ ମଧ୍ୟଦେଇ ସିଂହଦ୍ୱାରବାଟେ ଶ୍ରୀମନ୍ଦିରକୁ ପ୍ରବେଶ କରି ଉତ୍ତର ଦ୍ୱାରଦେଇ ପ୍ରସ୍ଥାନ କରିଥିଲେ। ସେହିପରି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ଦର୍ଶନାର୍ଥୀମାନଙ୍କୁ କରାଯାଇଥିବା ସଚେତନତାର ସଫଳତା ଆଜି ଦେଖିବାକୁ ମିଳିଛି। ଦର୍ଶନାର୍ଥୀମାନେ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବାର ନିଆରା ଅନୂଭୂତି ଆଜି ଦେଖିବାକୁ ିମିଳିଛି। ସେହିପରି ଆଜି ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଦିବ୍ୟାଙ୍ଗ, ବରିଷ୍ଠନାଗରିକ ଓ ଛୋଟପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଆମ୍ବୁଲା୍‌ସ ଲାଗି ହୋଇଥିଲା ଗୀନ୍‌ କରିଡ଼ର। ବେଳାଭୂମୀ ଅଞ୍ଚଳରେ ହଟ୍‌ସ୍ପଟ ପାଟ୍ରୋଲିଂ ସାଙ୍ଗଙ୍କୁ ସୁରକ୍ଷିତ ସମୁଦ୍ର ସ୍ନାନ ଲାଗି ଲାଇଫ୍‌ଗାଡର଼୍ଙ୍କୁ ନିୟୋଜିତ କରାଯାଇଥିଲା। ଜଗନ୍ନାଥ ପ୍ରେମୀ ଓ ପର୍ଯ୍ୟଟକମାନଙ୍କ ଠାରୁ ଫିଡ଼ ବ୍ୟାକ୍‌ ସଂଗ୍ରହ କରାଯାଇଥିଲା। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତ୍ରୀ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରୀତି ନୀତି ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଦର୍ଶନାର୍ଥୀ ପର୍ଯ୍ୟଟକମାନେ ନବବର୍ଷ ଶୁଭରେ କଟିବା ପାଇଁ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ସ୍ୱର୍ଣ୍ଣାଭ ବେଳାଭୂମି ,କୋଣାର୍କ, ରାମଚଣ୍ଡୀ, ବ୍ରହ୍ମଗିରି ଓ ସାତପଡା ସମେତ ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ ମାନଙ୍କରେ ଜମିଥିଲା ପ୍ରବଳ ଭିଡ଼। ବହିରାଗତ ଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକମାନେ ବିଭିନ୍ନ ପିକ୍‌ନିକ୍‌ ସ୍ପଟ୍‌ରେ ଭୋଜିଭାତରେ ମଜ୍ଜି ଯାଇଥିଲେ। ବେଳାଭୂମିରେ ପର୍ଯ୍ୟଟକମାନେ ଘୋଡା ଓ ଓଟ ଉପରେ ବସି ବୁଲିବା ସହିତ ସମୁଦ୍ର ସ୍ନାନର ମଜା ଉଠାଇଥିଲେ। ସନ୍ଧ୍ୟା ପରେ ସୃଷ୍ଟି ହୋଇଥିଲା ବର୍ଣ୍ଣାଢ୍ୟ ପରିବେଶ। ସେବକମାନଙ୍କ ନିଷ୍ଠାପର ସେବାଯୋଗୁଁ ଦର୍ଶନାର୍ଥୀମାନେ ଶୃଙ୍ଖଳିତ ଦର୍ଶନ କରିଥିବାରୁ ସେବାୟତ ନିଯୋଗ, ପାଳିଆ ସେବାୟତ, ଶ୍ରୀମନ୍ଦିର ନୀତି ସମନ୍ୱୟ କମିଟିର ସଦସ୍ୟମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ସେହିଭଳି ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ପୌରପ୍ରଶାସନ ଓ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Leave A Reply

Your email address will not be published.