ବିମାନ ଟଏଲେଟ୍‌ରେ ଘଣ୍ଟାଏ ଫସି ରହିଲେ ଯାତ୍ରୀ

0 37

ନୂଆଦିଲ୍ଲୀ: ମୁମ୍ୱାଇରୁ ବେଙ୍ଗାଲୁରୁ ଯାତ୍ରା କରୁଥିବା ସ୍ପାଇସଜେଟ୍‌ ବିମାନର ଟଏଲେଟରେ ଜଣେ ଯାତ୍ରୀ ଫସି ରହିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଡିଜିସିଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି । ଅଧିକାରୀ କହିଛନ୍ତି ଯେ ଏହି ଘଟଣା ରକ୍ଷଣାବେକ୍ଷଣ କିମ୍ୱା ଅନ୍ୟ କୌଣସି କାରଣ ଯୋଗୁ ହୋଇପାରେ । ନିୟାମକ ସମସ୍ତ ଦିଗରୁ ଏହାକୁ ତଦନ୍ତ କରୁଛି । ସ୍ପାଇସଜେଟ୍‌ ମୁଖ୍ୟପାତ୍ର ବୁଧବାର କହିଛନ୍ତି, “ଜାନୁଆରୀ ୧୬ରେ ମୁମ୍ୱାଇରୁ ବେଙ୍ଗାଲୁରୁ ଯାତ୍ରା କରୁଥିବା ସାଇସ୍‌ଜେଟ୍‌ର ଉଡାଣ ବେଳେ କବାଟର ଲକ୍‌ ଖରାପ କାରଣରୁ ଜଣେ ଯାତ୍ରୀ ଦୁର୍ଭାଗ୍ୟରୁ ପ୍ରାୟ ଏକ
ଘଣ୍ଟା ଶୌଚାଳୟ ଭିତରେ ଫସି ରହିଥିଲେ । ସେହି ସମୟରେ ବିମାନ ଆକାଶରେ ଥିଲା’। ମୁଖପାତ୍ର କହିଛନ୍ତି ଯେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରା ଯାଇଛି । ଖବର ଅନୁସାରେ ପୀଡିତ ଯାତ୍ରୀ ମୁମ୍ୱାଇରୁ ବେଙ୍ଗାଲୁରୁ ଯାଉଥିବା ସ୍ପାଇସଜେଟ୍‌ ବିମାନରେ ଯାତ୍ରା କରୁଥିଲେ । ଯାତ୍ରା ମଝିରେ ସେ ଟଏଲେଟ୍‌ ଯାଇଥିଲେ, କିନ୍ତୁ ବାହାରିବା ବେଳେ ଆଉ କବାଟ ଖୋଲି ନଥିଲା । ଯାତ୍ରୀ ବହୁ ଉଦ୍ୟମ କରିବା ପରେ କବାଟ ଖୋଲି ନଥିଲା । ଏହାପରେ ସେ ବିମାନର ସଦସ୍ୟଙ୍କୁ କବାଟ ଖୋଲିବା ପାଇଁ ଅପିଲ୍‌ କରିଥିଲେ, କିନ୍ତୁ ସେମାନେ ବି ବିଫଳ ହୋଇଥିଲେ । ଶେଷରେ ବିମାନ ଅବତରଣ କରିବା ପରେ ଟେକ୍ନିସିଆନ୍‌ ଆସି କବାଟ ଖୋଲିଥିଲେ । ଯାତ୍ରୀ ଜଣକ ଟଏଲଟରେ ରହି ନିଜ ଯାତ୍ରା ଶେଷ କରିଥିଲେ ।

 

Leave A Reply

Your email address will not be published.