ସମଲେଇ ପ୍ରକଳ୍ପ : ଆଜି ଅଙ୍କୁରରୋପଣ ୨୭ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

0 40

ଭୁବନେଶ୍ୱର, ସମଲେଇ ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଆଉ ମାତ୍ର ୫ ଦିନ। ଜୋରସୋରରେ ଚାଲିଛି କାମ। ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମା’ ସମଲେଶ୍ୱରୀଙ୍କ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାମ। ଶ୍ରମିକ ଓ କାରିଗର ଶେଷ ସ୍ପର୍ଶ ଦେଉଛନ୍ତି। ଆସନ୍ତା ୨୭ ତାରିଖରେ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ ମନ୍ଦିରବେଢ଼ା କାମ ଶେଷ ହୋଇଛି। ଜୋରସୋରରେ ଚାଲିଛି ଏହାର ରଙ୍ଗ କାମ। ପୋଡ଼ିୟମ, ସୂଚନାକେନ୍ଦ୍ର, ତୀର୍ଥଯାତ୍ରୀ ଓ ପୂଜକଙ୍କ ସୁବିଧା କେନ୍ଦ୍ର, ଦୀପଘର, ଭୋଗମଣ୍ଡପ, ପୂଜାରୀଙ୍କ ବିଶ୍ରାମଗୃହ ଓ ଭେଣ୍ଡିଂଜୋନ କାମରେ ଦିଆଯାଇଛି ଶେଷ ସ୍ପର୍ଶ। ଶ୍ରଦ୍ଧାଳୁ କିଭଳି ସୁନ୍ଦର ଆଧ୍ୟାତ୍ମିକ ଅନୁଭୂତି ନେଇ ଫେରିବେ ତାକୁ ଗୁରୁତ୍ୱ ଦିଆଯାଇଛି। ଭବ୍ୟ କାର୍ଯ୍ୟକ୍ରମ ପାଇଁ ଓଡ଼ିଶାର ବିଭିନ୍ନ ମନ୍ଦିରକୁ ନିମନ୍ତ୍ରଣ କରାଯାଉଛି। ଆସନ୍ତାକାଲି ଅଙ୍କୁରାରୋପଣ, ୨୪ରେ କଳସଯାତ୍ରା ହେବ। କଳସ ଯାତ୍ରାରେ ମହାନଦୀରୁ ପୂର୍ଣ୍ଣ କଳସ ଧରି ମା’ଙ୍କ ପୀଠରେ ଅଧିବାସ ହେବ। ମନ୍ଦିର ରୂପାନ୍ତରଣର ଉଦ୍‌ଘାଟନ ପାଇଁ ମନ୍ଦିରର ମୂଳ ଯଜ୍ଞସ୍ଥଳରେ ୨୭ରୁ ଯଜ୍ଞ ଆରମ୍ଭ ହେବ। ମନ୍ଦିରର ୪ ଦ୍ୱାରରେ ମଧ୍ୟ ଯଜ୍ଞ ହେବ। ହୋମ, ଚଣ୍ଡୀପାଠ ସହ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ୩୧ରେ ଯଜ୍ଞ ପୂର୍ଣ୍ଣାହୁତି ଦିଆଯିବ। ୨୭ ତାରିଖ ସଂଧ୍ୟାରେ ମହାନଦୀରେ ହେବ ଭବ୍ୟ ଆଳତି। ଏ ସଂପର୍କରେ ସୂଚନା ଦେଇଛନ୍ତି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ। ପଶ୍ଚିମ ଓଡ଼ିଶା ଓ ଅନ୍ୟାନ୍ୟ ଅଞ୍ଚଳରୁ ଉଦ୍‌ଘାଟନ ସମାରୋହରେ ସାମିଲ ହେବାକୁ ଶ୍ରଦ୍ଧାଳୁଙ୍କ ବିପୁଳ ସମାଗମ
ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ନିଜ ଅଞ୍ଚଳର ଗ୍ରାମଦେବତୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କଠାରୁ ସିନ୍ଦୂର ଓ ଚୁନରି ସଂଗ୍ରହ କରାଯିବ। ସିନ୍ଦୂର ଓ ଚୁନରି ମା’ଙ୍କର ଅତ୍ୟନ୍ତ ପ୍ରିୟ। ଶ୍ରଦ୍ଧାଳୁଙ୍କ ମନୋବାଞ୍ଝା ପୂରଣ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୩୦ତାରିଖ ପରଠାରୁ ଶ୍ରଦ୍ଧାଳୁ ଅଞ୍ଚଳୱାରୀ ମା’ଙ୍କ ଦର୍ଶନ କରିବା ସହ ସିନ୍ଦୂର
ଓ ଚୁନରି ଅର୍ପଣ କରିବେ। ୪୦ଏକର ଜମିକୁ ପରିବ୍ୟାପ୍ତ ହୋଇଛି ମନ୍ଦିର ପ୍ରକଳ୍ପ। ୩ ବର୍ଷ ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଓ ପାରସ୍ପରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଆସନ୍ତା ୨୭ରେ ବାସ୍ତବରୂ ନେବ। ଲୋକର୍ପଣକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି।

 

Leave A Reply

Your email address will not be published.