ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ଗଲା ୬ ଜୀବନ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା

0 101

ବାରିପଦା/ଭୁବନେଶ୍ୱର, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭାରସାମ୍ୟ ହରାଇ ଏକ ଯାତ୍ରା ପାର୍ଟି ଟ୍ରକ୍‌ ଓଲଟି ପଡିବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର। ଲାଇଟ୍‌ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ବୁଧବାର ସକାଳେ ଏକ ଟ୍ରକ୍‌ ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ଭାରସାମ୍ୟ ହରାଇଥିଲା। ଗାଡ଼ିଟି ରାସ୍ତାର ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିରେ ଥିବା ଲାଇଟ୍‌ ଓ ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ। ଖବର ପାଇ ତୁରନ୍ତ ବାଙ୍ଗିରିପୋଷି ପୋଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ
ସେମାନଙ୍କୁ ବାରିଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

 

Leave A Reply

Your email address will not be published.