ନୂଆଦିଲ୍ଲୀ : ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ଏବଂ ଅକ୍ସାଇ ଚୀନ୍ ଅଞ୍ଚଳରେ ଚୀନ୍ ନୂଆ ରେଳଲାଇନ ନିର୍ମାଣ କରିବାକୁ ଯାଉଛି । ଯାହାକି ଭାରତ ପାଇଁ ସତର୍କ ଘଣ୍ଟି ବୋଲି କୁହାଯାଉଛି । ତିକ୍ରତ ଅଟୋନୋମସ ରିଜିଅନ (ଟିଏଆର) ସରକାରଙ୍କ ପକ୍ଷରୁ ଏହି ସୂଚନା ମିଳିଛି । ସେଥିରେ କୁହାଯାଇଛି କି ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଏଲ୍ଏସି ନିକଟରେ ଖୁବଶୀଘ୍ର ରେଳଲାଇନ ନିର୍ମାଣ କରିବାକୁ ଯାଉଛନ୍ତି । ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପରଠାରୁ ଅକ୍ସାଇ ଚୀନକୁ ଚୀନ୍ ସରକାର ବଳପୂର୍ବକ କବ୍ଜା କରି ରଖିଛନ୍ତି । ଏହା ଲେହ ଜିଲ୍ଲାର ଏକ ଅଂଶବିଶେଷ । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଅନେକ ସମୟରେ ବିବାଦ ସୃଷ୍ଟି ହୋଇଛି । ଏଲ୍ଏସି ନିକଟରେ ଚୀନ୍ ରେଳ ଲାଇନ ନିର୍ମାଣ କରିବା କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ଚୀନ୍ର ରେଳଲାଇନ ନିର୍ମାଣକୁ ବ୍ୟାପକ କରିବାକୁ ଚାହୁଁଛନ୍ତି ଜିନପିଙ୍ଗ । ବର୍ତ୍ତମାନ ସେଠାରେ ଚୀନ୍ର ୧୪୦୦ କି.ମି. ରେଳ ଲାଇନ ରହିଛି । ଏହାକୁ ୨୦୨୫ ସୁଦ୍ଧା ୪ ହଜାର କି.ମି. କୁ ବଢ଼ାଇବା ଲାଗି ଜିନପିଙ୍ଗ ଯୋଜନା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ସାମାଜିକ-ଆର୍ଥିକ ବିକାଶ ତଥା ଜାତୀୟ ସ୍ୱାର୍ଥ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଚୀନ୍ ସରକାର ଏହି ନୂଆ ରେଳଲାଇନ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ରେଲୱେ ଟେକ୍ନୋଲୋଜି ରିପୋର୍ଟ ଅନୁସାରେ ଚୀନ୍ ଯେଉଁ ନୂଆ ରେଳଲାଇନ ବିଛାଇବାକୁ ଲକ୍ଷ୍ୟ ରଖିଛି ତାହା ଚୀନ୍ ସୀମାଠାରୁ ଆରମ୍ଭ କରି ଭାରତ ଓ ନେପାଳ ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବ । ତିକ୍ରତର ସିଗାଟ୍ସେ ଠାରୁ ଏହି ରେଳ ଲାଇନ ବିଛା କାର୍ଯ୍ୟ ଆରମ୍ଭ ହେବ ଏବଂ ତାହା ଉତ୍ତର ପଶ୍ଚିମ ନେପାଳ ସୀମା ଓ ଅକ୍ସାଇ ଚୀନ୍ ଦେଇ ଜିନଜିଆଙ୍ଗର ହୋଟନ ଠାରେ ଶେଷ ହେବ । ଏହା ରୁଟୋଗ ଓ ପାଙ୍ଗଙ୍ଗ ହ୍ରଦ ନିକଟ ଦେଇ ଏଲ୍ଏସିର ଚୀନ୍ ପଟରେ ଯିବ । ପ୍ରଥମ ପର୍ଯ୍ୟାୟରେ ସିଗାଟ୍ସେରୁ ପାଖୁତସୋ ପର୍ଯ୍ୟନ୍ତ ନିର୍ମାଣ କରାଯିବ ଏବଂ ଏହା ୨୦୨୫ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଠାରୁ ଅବଶିଷ୍ଟ ହୋଟନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ୨୦୩୫ ସୁଦ୍ଧା ସରିବ । କିନ୍ତୁ ବଡବଡ ରେଳ ପ୍ରକଳ୍ପ ଯେପରିକି ସିଚୁଆନ-ତିକ୍ରତ ରେଲୱେର ୟାନ- ନିଙ୍ଗଛି ସେକ୍ସନ ଏବଂ ଜିନଜିଆଙ୍ଗତିକ୍ରତ ରେଲୱେର ସିଗାଟେ୍ସ- ପାଖକୁତସୋ ସେକ୍ସନ କାର୍ଯ୍ୟ ୨୦୨୫ ସୁଦ୍ଧା ସାରିବାକୁ ଚୀନ୍ ଲକ୍ଷ୍ୟ ରଖିଥିବା କୁହାଯାଇଛି ।