ନୂଆଦିଲ୍ଲୀ: ମହଙ୍ଗା ବଜାରରେ ଚାଉଳ ମୂଲ୍ୟ ହ୍ରାସର କୌଣସି ଲକ୍ଷଣ ଦେଖାଯାଉନାହିଁ। ପ୍ରଚୁର ଚାହିଦା ଏବଂ ଯୋଗାଣରେ ଅଭାବ ହେତୁ ଘରୋଇ ବଜାରରେ ଇତିମଧ୍ୟରେ ଚାଉଳ ଦର ୧୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କାରଣ ଏଲ୍-ନିନୋ ପ୍ରଭାବରେ ଭାରତରେ ବ୍ୟାପକ ମାତ୍ରାରେ ଧାନ ଫସଲ ନଷ୍ଟ ହୋଇଛି। ବିଗତ ୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଧାନ ଉତ୍ପାଦନ କମିଛି। ଏଥିଯୋଗୁ ମାତ୍ର ବର୍ଷକ ମଧ୍ୟରେ ବଜାରରେ ଚାଉଳ ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ଏବେଠାରୁ ଯାହା ଆକଳନ କରାଯାଉଛି ଆଗକୁ ଚାଉଳ ଦର ଆହୁରି ବୃଦ୍ଧି ପାଇବ। ଯଦି ଏହା ହୁଏ ତେବେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗା ବଜାର ଦର ସହ ଚାଉଲ ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ଚାଉଳ ହେଉଛି ଏସିଅ। ଏବଂ ଆଫ୍ରିକାରେ ଲୋକଙ୍କର ଏକ ଗୁରୁତ୍୍ୱପୂର୍ଣ୍ଣ ଖାଦ୍ୟ। ମୂଲ୍ୟ ବୃଦ୍ଧି ଘଟୁଥିବାରୁ ଅଗ।।ମୀ ଦିନରେ ଚାଉଳ ଆହୁରି ଅଧିକ ମହଙ୍ଗା ହେବାର ସମ୍ଭାବନା ରହିଛି। ତେବେ ସରକାର ଏହାର ମୂଲ୍ୟକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଚଳିତମାସ ୨୦ ତାରିଖରେ ଭଙ୍ଗା ଥାଇ ଅରୁଆ ଚାଉଳ ମୂଲ୍ୟରେ ୨.୫ ପ୍ରତିଶତ ବୃଦ୍ଧି ଘଟିଛି। ପରେ ଏହାର ମୂଲ୍ୟ ଟନ୍ ପିଛା ୬୫୦ ଡଲାରରେ ପହଞ୍ଚିଛି। ୨୦୦୮ ଅକ୍ଟୋବରଠାରୁ ଗତ ୧୫ ବର୍ଷ ମଧ୍ୟରେ ଚାଉଳର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଛି। ଏଲ୍ ନିନୋ କାରଣରୁ ଏସିଆରେ ଧାନ ଫସଲ ଅଧିକ ପ୍ରଭାବିତ ହୋଇଛି। ତେବେ ଚଳିତବର୍ଷ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଚାଉଳ ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିଲା। ଏହା ପରେ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଥିଲା। ଅପରପକ୍ଷେ ଚାଉଳ ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦର ବୃଦ୍ଧିକୁ ନଜରରେ ରଖି ଚାଉଳ ମିଲ୍ଗୁଡିକୁ ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ ଆସନ୍ତାବର୍ଷରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଯେଉଁଥିପାଇଁ ବହୁତ କମ୍ ସମୟ ବାକି ରହିଛି। ତେଣୁ ଚାଉଳ ମୂଲ୍ୟ ବୃଦ୍ଧି ସରକାରଙ୍କୁ ଅଧିକ ଚିନ୍ତାରେ ପକାଉଛି। କେନ୍ଦ୍ର ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ଅନୁଧ୍ୟାନକାରୀ ଡିଭିଜନ୍ ଚାଉଳର ମୂଲ୍ୟ ବୃଦ୍ଧି ସହ ଜଡିତ କେତେକ ତଥ୍ୟ ଜାରି କରିଛି। ଗତ ଏକ ବର୍ଷ ମଧ୍ୟରେ ଚାଉଳ ମୂଲ୍ୟ ୧୫ ପ୍ରତିଶତ ବୃଦ୍ଧି ପାଇଛି। ବର୍ତ୍ତମାନ ଘରୋଇ ବଜାରରେ ଚାଉଳର ଖୁଚୁରା ମୂଲ୍ୟ କିଲୋ ପିଛା ୪୩ ଟଙ୍କା ୫୧ ପଇସା ରହିଛି, ଯାହାକି ମାତ୍ର ତିନି ଦିନ ତଳେ କିଲୋ ପିଛା ୩୭ ଟଙ୍କା ୯୯ ପଇସା ରହିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଭାରତ ହେଉଛି ବିଶ୍ୱର ପ୍ରମୁଖ ଚାଉଳ ଉତ୍ପାଦନକାରୀ ଦେଶ। ଚଳିତଥର ଦେଶରେ ଖରିଫ ଋତୁରେ ଧାନ ଉତ୍ପାଦନରେ ବଡ଼ ହ୍ରାସ ଘଟିଛି। ଉତ୍ପାଦନରେ ଏଭଳି ହ୍ରାସ ଗତ ୮ବର୍ଷ ମଧ୍ୟରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏସବୁକୁ ନଜରରେ ରଖି ଭାରତ ସରକାର ଜୁଲାଇ ମାସରେ ବାସମତି ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଯାହାଦ୍ୱାରା ଘରୋଇ ବଜାରରେ ମୂଲ୍ୟ ନିୟନ୍ତ୍ରଣ ହୋଇପାରିବ।