ବିପଦରେ ବନ୍ୟଜନ୍ତୁ : ଲକ୍‌ଡାଉନ୍‌ରେ ମେଲିଛି ଶିକାରୀଙ୍କ ପଞ୍ଝା, ୪୦ ଦିନରେ ୫୦ଶିକାରୀ ଗିରଫ

0 85

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁଁ ସବୁ ବନ୍ଦ। ଏହାର ଭରପୂର ଫାଇଦା ଉଠାଉଛନ୍ତି ଶିକାରୀ। ବନବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ‌ଶିକାରୀମାନେ ଦିନକୁ ଦିନ ନିଜର ‌ପଞ୍ଝା ମେଲାଇ ଚାଲିଛନ୍ତି। ବଲାଙ୍ଗୀରରୁ ଆରମ୍ଭ କରି ବୌଦ୍ଧ ଅଥବା ଝାରସୁଗୁଡ଼ାରୁ ଦେବଗଡ଼; ସବୁଠି ଚାଲିଛି ଅବାଧ ଶିକାର। ପ୍ରତିଦିନ ଶିକାରୀଙ୍କ ପଞ୍ଝାରେ ଜୀବଜନ୍ତୁ ପଡ଼ୁଥିବାରୁ ଏବେ ବନ ବିଭାଗର ନିଦ ହଜିଗଲାଣି। ‌ଶିକାରୀଙ୍କୁ କାବୁ କରାଯାଉଥିଲେ ମଧ୍ୟ ଶିକାର ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି।

ଜଙ୍ଗଲ ଓ ପରିବେଶ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୦ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ବନ୍ୟପ୍ରାଣୀ ଶିକାର ଶୀର୍ଷରେ ପହଞ୍ଚିଛି। ମାତ୍ର ୪୦ଦିନ ମଧ୍ୟରେ ୫୦ରୁ ଅଧିକ ଶିକାରୀଙ୍କୁ କାବୁ କରାଯାଇଛି। ଦୁଇ ଦିନ ତଳେ ବଲାଙ୍ଗୀର ଜିଲ୍ଲା କିରିବାଞ୍ଜି ଜଙ୍ଗଲରେ ଚଢ଼ଉ କରି ବାର୍‌ହା ମାଂସ ଜବତ ସହ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୫କେଜି ବାର୍‌ହା ମାଂସ, ଗୋଟିଏ ଆମେରିକାନ୍‌ ସିଙ୍ଗଲ ବୋର ବନ୍ଧୁକ, ଛୁରି, ଟାଙ୍ଗିଆ ଓ ବାଇକ୍‌ ଜବତ କରାଯାଇଥିଲା। ଏପ୍ରିଲ ପ୍ରଥମ ସପ୍ତାହରେ କୁଟୁରା ଶିକାର କରି ମାଂସ ଖାଇଥିବା କିଛି ଯୁବକଙ୍କୁ ବନ ବିଭାଗ କାବୁ କରିଛି। ଝାରସୁଗୁଡ଼ା ଜିଲ୍ଲା ବାଗଡ଼ିହି ରେଞ୍ଜରେ ରହିଥିବା ଜଙ୍ଗଲରେ ଏକ କୁଟୁରାକୁ ଦେଶୀ ବନ୍ଧୁକ‌ରେ ଶିକାର କରି ୭ଜଣ ଯୁବକ ଭାଗ କରି ନିଜ ଘରକୁ ନେଇଥିଲେ। ଘରେ ରାନ୍ଧିବା ସମୟରେ ବନ ବିଭାଗ ଖବର ପାଇ ଚଢ଼ଉ କରି ରନ୍ଧା ମାଂସ ଜବତ କରିଥିଲା। ହେଲେ ଅଭିଯୁକ୍ତମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଘଟଣାର ମାସକ ପରେ ବନ ବିଭାଗ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶିକାରରେ ବ୍ୟବହୃତ ଦେଶୀ ବନ୍ଧୁକ ଜବତ କରିଥିଲା। ଏପ୍ରିଲ ୧୫ରେ ବୌଦ୍ଧ ବନଖଣ୍ଡ ହରଭଙ୍ଗା ବ୍ଲକ୍‌ ନୂଆପଡ଼ା ଗାଁ ନିକଟ ବାଙ୍କମୁଣ୍ଡି ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ଦୁଇଜଣ ଶିକାରୀ ଧରାପଡ଼ିଥିଲେ।

Leave A Reply

Your email address will not be published.