ରଥ ଉପରେ ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଅଧରପଣା

0 82

ପୁରୀ :   ପରମ୍ପରା ଅନୁଯାୟୀ ଆଜି ତ୍ରୟୋଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଅଧରପଣା ନୀତି । ରଥ ଉପରେ ତିନି ଠାକୁରଙ୍କ ଏହି ନୀତି ସଂପନ୍ନ କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି। ଏହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ। ଏହି ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ। ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ।

କୁହାଯାଏ ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି। ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି।

ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି ।

Leave A Reply

Your email address will not be published.