‘ବୋଝ ଉପରେ ନଳିତା ବିଡା’

0 78

କରୋନା ଏବେ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆମ ରାଜ୍ୟ ଓ ଦେଶବାସୀ ମଧ୍ୟ ଏଥିପାଇଁ ଚିନ୍ତିତ ଓ ଆତଙ୍କିତ । ଏଭଳି ଘଡିଷନ୍ଧି ମୁହୂର୍ତ୍ତରେ ବଜ୍ରପାତ ଲୋକଙ୍କ ପାଇଁ ‘ବୋଝ ଉପରେ ନଳିତା ବିଡା’ ସଦୃଶ ହୋଇଛି । ଦେଶରେ ପ୍ରତିଦିନ ବଜ୍ରପାତ ଘଟି କେଉଁଠି ନା କେଉଁଠି ପ୍ରାଣହାନୀ ଘଟୁଛି । ନିକଟରେ ବିହାରରେ ନିମିଷକ ମଧ୍ୟରେ ବଜ୍ରପାତ ୮୩ ଜୀବନ ନେଇଥିବା ବେଳେ ପୁଣିଥରେ ଏଠାରେ ଆଉ ୨୫ ଜୀବନଦୀପ ଲିଭିଯାଇଥିଲା । ପାଟନାରେ ଗତକାଲି ଆଉଥରେ ବଜ୍ରାଘାତରେ ୧୮ ଜୀବନ ଯାଇଛି । କେବଳ ବିହାର ନୁହେଁ ବିଭିନ୍ନ ରାଜ୍ୟରେ ଏଭଳି ବଜ୍ରପାତ ହେଉଛି । ଏହି ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ମଧ୍ୟ ସାମିଲ୍ କରାଯାଇଛି । ତେବେ ବଜ୍ରପାତଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷକରି କରୋନା ପାଇଁ ବିଭିନ୍ନ ସ୍ଥାନରେ ଗାଡିମୋଟର ଓ କଳକାରଖାନା ବହୁ ସମୟରେ ବନ୍ଦ ରହୁଥିବାରୁ ପରିବେଶ ନିର୍ମଳ ହେବାରେ ଲାଗିଛି । ଏସବୁ ସତ୍ତେ୍ୱ ମୌସୁମୀ ବର୍ଷା ଠିକ୍ ସମୟରେ ହୋଇପାରୁନାହିଁ । ଅନେକ ସ୍ଥାନରେ ଗରମ ଓ ଗୁଳୁଗୁଳିରେ ଲୋକମାନେ ଘାଣ୍ଟିଚକଟି ହେଉଛନ୍ତି । ସମସ୍ତେ ବର୍ଷାକୁ ଚାତକ ପରି ଚାହିଁରହିଛନ୍ତି । ମାତ୍ର ବିଧିର ବିଧାନ ଓଲଟା । ଅଚାନକ ବିକ୍ଷିପ୍ତ ବର୍ଷା ସାଙ୍ଗକୁ ପ୍ରବଳମାତ୍ରାରେ ବିଜୁଳି ଓ ଘଡଘଡ଼ି ମାରୁଥିବାରୁ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । ପୂର୍ବରୁ ବଜ୍ରାଘାତକୁ ରୋକିବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ବିଶେଷକରି ବାଡିବଗିଚା ଓ ଗହୀର ବିଲରେ ନଡିଆ ଓ ତାଳଗଛ ଲଗାଉଥିଲେ । ଲୋକମାନେ ଭାବୁଥିଲେ ଯେ ବଜ୍ରପାତ ହେଲେ ଏହି ନଡିଆ ଓ ତାଳଗଛରେ ମାଡ ହୋଇ ତାହା ଜନମାନସକୁ ଏତେଟା କ୍ଷତି ପହଞ୍ଚାଇବ ନାହିଁ । ତାହା ମଧ୍ୟ କେତେକାଂଶରେ ସମ୍ଭବ ହେଉଥିଲା । କ୍ରମଶଃ ଏହି ନଡିଆ ଓ ତାଳଗଛ ଲୋପ ପାଇବାରେ ଲାଗିଛି । ଏହାର ପରିଣାମ ମଧ୍ୟ ଲୋକଙ୍କୁ ଭୋଗିବାକୁ ପଡୁଛି । କ୍ଷେତରେ ଚାଷ କରୁଥିବା ସମୟରେ ବଜ୍ରପାତ ହେଲେ ତାହା ସମ୍ପୃକ୍ତ ଚାଷୀଙ୍କୁ ମୃତ୍ୟୁମୁଖକୁ ଟାଣିନେଉଛି । ଗୋଟିଏ ପଟେ ବର୍ଷାର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଉଥିବା ବେଳେ ଅନ୍ୟପଟେ ବଜ୍ରାଘାତ ଏହି ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ସବୁକଥାକୁ ବିଚାରକୁ ନେଲେ ଏଣିକି ସମାଜ ପାଇଁ ମହାବିପଦ ମାଡିଆସୁଥିବା ଅନୁମାନ କରାଯାଉଛି । ଚାଇନାରୁ ଆସିିଥିବା କରୋନା ଭୂତାଣୁ ଦିନକୁ ଦିନ ସହର, ଗାଁ, ବଜାର ଓ ଗଳିକନ୍ଦିରେ ତାର କାୟାବିସ୍ତାର କରିଚାଲିଛି । ଘରୁ ଗୋଡ କାଢ଼ିବାକୁ ମଧ୍ୟ ଲୋକମାନେ ଆଉ ଉଚିତ୍ ମଣୁନାହାନ୍ତି । ହେଲେ ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର’ ଲୋକକଥା ଅନୁସାରେ ଯଦି ଚାଷୀଟିଏ ଚାଷବାସ ପାଇଁ ଅଣ୍ଟା ଭିଡୁଛି ସେଠାରେ ତା’କୁ ମଧ୍ୟ ବିପଦକୁ ସାମ୍ନା କରିବାକୁ ପଡୁଛି । ଯଦିଓ ଚାଷବାସ ସମୟରେ ମନରୁ କରୋନାର ଭୟ ଦୂର ହୋଇଯାଉଛି ହେଲେ ବର୍ଷାଭାବ ସାଙ୍ଗକୁ ଭୟଙ୍କର ବିଜୁଳି ଓ ଘଡଘଡ଼ି ଲୋକଙ୍କୁ ପୁଣିଥରେ ଭୟଭୀତ କରିପକାଉଛି । ଏହି ଘଟଣା ସତେ ଯେପରି ଚାଷୀ ତଥା ଜନସମାଜ ପାଇଁ ‘ବୋଝ ଉପରେ ନଳିତ ବିଡା’ ସଦୃଶ ହୋଇଛି ।

Leave A Reply

Your email address will not be published.