‘ଦମ୍ ଅଛି ତ ମୋ ସରକାରକୁ ଭାଙ୍ଗି ଦେଖାଅ’

0 73

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେ ବିରୋଧୀଙ୍କୁ ଖୁଲମ୍ଖୁଲ୍ଲା ଚାଲେଞ୍ଜ ଦେଇ କହିଛନ୍ତି କି ଯିଏ ବି ମୋ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ସେ ଆଜି ହିଁ ଭାଙ୍ଗି ଦେଖାନ୍ତୁ । ଶିବସେନାର ମୁଖପତ୍ର ‘ସାମ୍ନା’ରେ ଦେଇଥିବା ସାକ୍ଷାତକାରରେ ସେ ଏଭଳି କହିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍ରେ କହିଛନ୍ତି କି ମୋ ସରକାର ଭବିଷ୍ୟତରେ କୌଣସି ବିରୋଧୀଙ୍କ ହାତରେ ନାହିଁ । ମୋ ସରକାର ଗରିବଙ୍କ ତିନିଚକିଆ ରିକ୍ସାର ସବାରୀ । ଷ୍ଟିୟରିଂ ମୋ ହାତରେ ଥିଲେ ବି ପଛରେ ଆଉ ଦୁଇଜଣ ଲୋକ ବସିଛନ୍ତି । ମେଣ୍ଟର ସହଯୋଗୀ ଏନ୍ସିପି ଓ କଂଗ୍ରେସର ସହ ଆମର ଚିନ୍ତାଧାରା ସକାରାତ୍ମକ ରହିଛି ଓ ମହାବିକାଶ ଅଘାଡ଼ି ସରକାରକୁ ସେମାନଙ୍କ ଅନୁଭବ ବେଶ୍ ସୁହାଉଛି । ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି କି ଯଦି ମୋ ସରକାର ତିନିଚକିଆ ରହିଛି ତଥାପି ବି ଏହାକୁ ଆଗକୁ ଠିକ୍ ଭାବେ ବଢ଼ିଚାଲିଛି । ତେବେ ଆପଣମାନଙ୍କ ପେଟରେ ଯନ୍ତ୍ରଣା କାହିଁକି ହେଉଛି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି । ସୂଚନାଥାଉକି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ପୂର୍ବରୁ ମହାବିକାଶ ଅଘାନି ମେଣ୍ଟକୁ ତିନିଚକିଆ ଅଟୋରିକ୍ସା ସହ ତୁଳନା କରିଥିଲେ ଓ ଏହାର ସ୍ଥିରତା ଉପରେ ସନ୍ଦେହ ପ୍ରକଟ କରିଥିଲେ । ଶ୍ରୀରାମ ମନ୍ଦିର ଭୂମି ପୂଜନ ସମାରୋହରେ ଯୋଗଦେବାକୁ ନେଇ ଉଦ୍ଦବ କହିଥିଲେ କି ମୁଁ ଜଣେ ସାଧାରଣ ମଣିଷ ଭାବେ ମତବ୍ୟକ୍ତ କରିପାରେ, କିନ୍ତୁ ରାମମନ୍ଦିର ସଂଘର୍ଷରେ ଶିବସେନାର ଭୂମିକା ଇତିହାସର ପୃଷ୍ଠାରେ ଲିପିବଦ୍ଧ ରହିଛି । ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ନଥିଲି ସେତେବେଳେ ବି ରାମମନ୍ଦିର ସ୍ଥଳକୁ ଯାଇଥିଲି । ଅଗଷ୍ଟ ୫ ତାରିଖରେ ମୁଁ ଅଯୋଧ୍ୟା ଯିବି ଓ ପୂଜାର୍ଚ୍ଚନାରେ ଭାଗ ନେବି ବୋଲି ଉଦ୍ଧବ କହିଛନ୍ତି । ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ଶିବସେନା ମୂଳରୁ ଏହାର ଭାବନା ସହ ଓତଃପ୍ରୋତଃ ଭାବେ ଜଡ଼ିତ ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.