ଉତ୍ତରକୋରିଆରେ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ ପରେ ଜରୁରୀକାଳୀନ ପରିସ୍ଥିତି ଲାଗୁ

0 79

ପ୍ୟୋଙ୍ଗୟାଙ୍ଗ : ସମଗ୍ର ବିଶ୍ୱରେ କରୋନା ତା’ର କାୟା ମେଲାଇ ଚାଲିଛି । କିନ୍ତୁ ଏପରିସ୍ଥଳେ ବିଶ୍ୱର ଏକମାତ୍ର ଦେଶ ଉତ୍ତରକୋରିଆ ଯେଉଁଠାରେ କରୋନା ପାଦ ଦେଇନଥିଲା ସେଠାରେ ଏବେ ପ୍ରଥମ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଜଣାଯାଇଛି । ଦେଶର ପ୍ରଥମ କରୋନା କେସ୍ ସାମ୍ନାକୁ ଆସିବା ପରେ ଉତ୍ତରକୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ଉତ୍ତରକୋରିଆର କୋରିୟନ୍ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସିର ସୂଚନାନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିଜଣକ ୩ ବର୍ଷ ପୂର୍ବରୁ ଦକ୍ଷିଣ କୋରିଆ ଯାଇଥିଲେ ଓ ସେ ଚଳିତମାସ ଦେଶକୁ ଫେରିଛନ୍ତି । ତାଙ୍କ ଠାରେ କୋଭିଡ-୧୯ର ଲକ୍ଷଣ ଦେଖିବାକୁ ମିଳିଛି । ଉକ୍ତ ବ୍ୟକ୍ତିଜଣକ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ରକ୍ତସ୍ରାବ ବି ହେଉଥିବା ପରିଲକ୍ଷିତ ହୋଇଛି । ସଂପୃକ୍ତ ବ୍ୟକ୍ତିଙ୍କର ମେଡିକାଲ ଟେଷ୍ଟ କରାଯିବା ପରେ ତାଙ୍କୁ ଅବଜରଭେସନ୍ରେ ରଖାଯାଇଛି । ସୂଚନାଥାଉକି ସାରା ବିଶ୍ୱରେ କରୋନା ବ୍ୟାପିବା ଦିନଠାରୁ ଉତ୍ତରକୋରିଆ ତା’ର ସମସ୍ତ ସୀମାକୁ ସିଲ୍ କରିଦେଇଥିଲା । ଏହାବାଦ୍ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶକୁ ଯିବାଆସିବା ଉପରେ ବି ରୋକ୍ ଲଗାଯାଇଥିଲା । କରୋନା ସନ୍ଦେହରେ ଏପ୍ରିଲ୍ ଓ ମଇ ମାସରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ହଜାର ହଜାର ଲୋକଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ବି ରଖାଯାଇଥିଲା । ଗୋଟିଏପଟେ ଆନ୍ତର୍ଜାତିକ ଆଇନ୍କାନୁନ୍କୁ ବେଖାତିର କରି ଉତ୍ତରକୋରିଆ ଶାସକ ମିସାଇଲ୍ ଓ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ଦେଶକୁ ଆର୍ଥିକ କଟକଣାର ସମ୍ମୁଖୀନ ହେବାକୁ ପଡ଼ିଛି । ତା’ ଉପରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଦେଶ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.