ନଆସୁ ସେ ଦୁର୍ଦ୍ଦିନ

0 79

ଠିକ୍ ୭୫ ବର୍ଷ ତଳେ ସାରା ବିଶ୍ୱ ପାଇଁ ଅଗଷ୍ଟ ୬ ତାରିଖ ଆଣିଦେଇଥିଲା ଦୁଃଖ ଓ ପରିତାପର ଦିନ । ଜାପାନର ହିରୋସୀମା ଆକାଶରେ ଆମେରିକା ନିକ୍ଷେପ କରିଥିଲା ବିଶ୍ୱର ପ୍ରଥମ ପରମାଣୁ ବୋମା । ସାରା ସହର ନିମିଷକେ ମଧ୍ୟରେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଚାହୁଁ ଚାହୁଁ ସୁଉଚ୍ଚ ଅଟ୍ଟାଳିକା କ୍ଷଣିକରେ ଧରାଶାୟୀ ହୋଇଥିଲା । ଯେଉଁ ବ୍ୟକ୍ତି ଯେଉଁଠି ବସିଥିଲା କି ଠିଆ ହୋଇଥିଲା ମାତ୍ର କେଇ ସେକେଣ୍ଡରେ ପାଉଁଶ ହୋଇଯାଇଥିଲା । ମାନବୀୟ ବର୍ବରତାର ଏ ଦିନଟି ଥିଲା ସାରା ବିଶ୍ୱ ପାଇଁ କଳାଦିନ । ଆଜି ବି ସେଠାରେ ଯେଉଁ ଲୋକ ଜନ୍ମ ନେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ବିକଳାଙ୍ଗ ଅଥବା ଜନ୍ମ ହେବାର କିଛିଦିନ ମଧ୍ୟରେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ଶିକାର ହେଉଛନ୍ତି । ପରମାଣୁ ବୋମାର ଦାନବୀୟ ଶକ୍ତିର ପରାକ୍ରମ ସାରା ବିଶ୍ୱ ସେହିଦିନ ଜାଣିଥିଲା । ‘ଲିଟିଲ୍ ବୟ’ ନାମରେ ପରିଚିତ ଏହି ପରମାଣୁ ବୋମା କିନ୍ତୁ ବାସ୍ତବିକ ‘ଲିଟିଲ୍’ ନଥିଲା । ଅଚାନକ ସହରରେ ୧୦ଲକ୍ଷ ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ବିଚ୍ଛୁରିତ ହୋଇଯାଇଥିଲା । ୩.୫ଲକ୍ଷ ଆବାଦିର ଜାପାନର ଏହି ସହର ମାତ୍ର କେଇ ମୁହୂର୍ତ୍ତରେ ୧ଲକ୍ଷ ୪୦ହଜାର ଜଳିପୋଡ଼ି ଛାରଖାର୍ ହୋଇଯାଇଥିଲେ । ତେଣୁ ଚିନ୍ତା କରନ୍ତୁ ସେ ସମୟରେ ସମଗ୍ର ଜାପାନ କେଉଁ ପରିସ୍ଥିତି ଦେଇ ଗତି କରିଥିବ ଓ ସାରା ବିଶ୍ୱ କିଭଳି ଆତଙ୍କର ବାତାବରଣ ମଧ୍ୟରେ ନଥିବ? ଆଜିର କଥାକୁ ଚିନ୍ତା କରାଯାଉ । ସେତେବେଳେ ତ ଆମେରିକା ପରୀକ୍ଷାମୂଳକ ଭାବେ ଏହାକୁ ଜାପାନ ସହରରେ ପ୍ରୟୋଗ କରି ସାରା ବିଶ୍ୱକୁ ଏକ ଅଜଣା ଆତଙ୍କ ମଧ୍ୟକୁ ଠେଲି ଦେଇଥିଲା । କିନ୍ତୁ ଆଜି ବିଶ୍ୱର ପ୍ରାୟ ସବୁ ଦେଶରେ ଶହ ଶହ ପରମାଣୁ

ବୋମା ମହଜୁଦ୍ ରହିଛି । ସେତେବେଳେ ବିଶ୍ୱଯୁଦ୍ଧ କେବଳ କିଛି ହାତଗଣତି ଦେଶ ମଧ୍ୟରେ ସୀମିତ ଥିଲା । କିନ୍ତୁ ଆଜି ବିଶ୍ୱର ପ୍ରତିଟି ରାଷ୍ଟ୍ରରେ ବାହ୍ୟ ଓ ଅନ୍ତଃକନ୍ଦଳ ଲାଗି ରହିଛି । ଗୋଟିଏପଟେ ସାରା ବିଶ୍ୱ ପାଇଁ ଏବେ ଆତଙ୍କବାଦ ଏକ ବଡ଼ ସମସ୍ୟା ଥିବାବେଳେ ଆତଙ୍କବାଦ ପ୍ରାୟୋଜିତ ପାକିସ୍ତାନ ବାରମ୍ବାର ପରମାଣୁ ବୋମାର ଧମକ ଦେଇଆସୁଛି । ଲଗାତାର ଚୀନ୍ ତାର ବିସ୍ତାରବାଦ ନୀତି ଆପଣାଇ ପାଖ ପଡ଼ୋଶୀଙ୍କୁ ଯୁଦ୍ଧ ପାଇଁ ଉସୁକାଉଛି । ଆମେରିକା ଓ ଋଷ ମଧ୍ୟରେ ଶୀତଳ ଯୁଦ୍ଧ ତ କାହିଁ କେତେ କାଳରୁ । ଉତ୍ତରକୋରିଆ ଘନଘନ କ୍ଷେପଣାସ୍ତ୍ର ଓ ପରମାଣୁ ବୋମା ପରୀକ୍ଷା କରି ଆମେରିକାର ଟାର୍ଗେଟ୍ରେ ରହିଛି । ଏସିଆ ଓ ପଶ୍ଚିମୀ ରାଷ୍ଟ୍ର ମଧ୍ୟରେ ତିକ୍ତତା ପୂର୍ବାପେକ୍ଷା ଢ଼େର୍ ବୃଦ୍ଧି ପାଇଛି । ଆଉ ଯଦି ଏହି ଯୁଦ୍ଧ ପରମାଣୁ ଯୁଦ୍ଧରେ ପରିଣତ ହୋଇଯାଏ ତେବେ ଚିନ୍ତା କରନ୍ତୁ ସାରା ବିଶ୍ୱ ଧ୍ୱଂସ ପାଇବାକୁ ମାତ୍ର କେଇ ସେକେଣ୍ଡ ହିଁ କାଫି । ତେଣୁ ବର୍ତ୍ତମାନ ସମୟର ଆହ୍ୱାନ ହେଉଛି ନିଜ ଦେଶ ତଥା ପଡୋଶୀ ଦେଶଙ୍କ ସହ ଭାଇଚାରାର ସମ୍ପର୍କ ପ୍ରତିଷ୍ଠା କରିବା । ଆତଙ୍କବାଦ, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ବୈଶ୍ୱିିକ ଆର୍ଥିକ ସମସ୍ୟା ତଥା ବିଭିନ୍ନ କୂଟନୈତିକ କ୍ଷେତ୍ରରେ ଯେଭଳି ସାରା ବିଶ୍ୱ ଏକଜୁଟ ହୋଇ ଏହାର ସମାଧାନର ପନ୍ଥା ବାହାର କରୁଛନ୍ତି ଠିକ୍ ସେହିପରି ପରମାଣୁ ଅସ୍ତ୍ରଶସ୍ତ୍ରକୁ ନେଇ ସମସ୍ତେ ଏକଜୁଟ ହେବା ଜରୁରୀ ହୋଇପଡିଛି । ନିଜେ ବଞ୍ôଚବା, ରାଷ୍ଟ୍ରକୁ ବଞ୍ଚାଇବା ତଥା ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବା ବର୍ତ୍ତମାନ ସମୟର ଆହ୍ୱାନ । ତେଣୁ ଆଗକୁ ହିରୋସୀମା କିମ୍ବା ନାଗାସାକି ଭଳି ମର୍ମନ୍ତୁଦ ଘଟଣା ଯେଭଳି ନ ଘଟୁ ସେଥିପ୍ରତି ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ ।

Leave A Reply

Your email address will not be published.