ମହାନଦୀ ଧାରଣ କରୁଛି କରାଳ ରୂପ; ଖାଇ ଖାଇ ଚାଲିଛି କୂଳ

0 74

ନିଶ୍ଚିନ୍ତକୋଇଲି : ମହାନଦୀ ଦିନକୁ ଦିନ କରାଳ ରୂପ ଧାରଣ କରି ଉଗ୍ର ରୂପ ନେଉଛି । ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି । ଫଳରେ ମହାନଦୀର ତାରପୁର ଠାରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସେତୁ ପ୍ରତି ବିପଦର ଆଶଙ୍କା ଦେଖାଦେଇଛି । ଉପକୂଳ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଯେ କୌଣସି ମୁହୂର୍ତ୍ତରେ ଏଠାରେ ବଡ଼ଧରଣର ଘାଇ ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଆତଙ୍କିତ ଅବସ୍ଥାରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ନିଜର ଧନଜୀବନର ସୁରକ୍ଷା ପାଇଁ ନଦୀବନ୍ଧରେ ତମ୍ବୁ ପକାଇ ଆଶ୍ରୟ ନେଇଛନ୍ତି । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଲଗାଣ ବର୍ଷାକୁ ଖାତିର ନକରି ସାଧାରଣ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ନିମନ୍ତେ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ନଦୀବନ୍ଧର ସୁରକ୍ଷା କାର୍ଯ୍ୟ ତଦାରଖ କରୁଛନ୍ତି । ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ଗ୍ରାମ ପଞ୍ଚାୟତ ପିଁପୁର ଠାରେ ମହାନଦୀର ବାମପାଶ୍ୱର୍ରେ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ବନୀକରଣ କରାଯାଇଥିଲା । ନଦୀ ଶଯ୍ୟାରେ ସୃଷ୍ଟି ହୋଇଥିବା ଏହି ଗଛଗୁଡ଼ିକ ନଦୀବନ୍ଧକୁ ସୁରକ୍ଷା ପ୍ରଦାନ କରି ଆସୁଥିଲା । ତେବେ କିଶନନଗର ତହସିଲଦାର ରହସ୍ୟଜନକ ଭାବେ କେତେକ ଅସାଧୁ ବାଲି ମାଫିଆଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଆସୁଥିଲେ । ଜିଲ୍ଲା ପ୍ରଶାସନ ଓ ତହସିଲ ପ୍ରଶାସନର ଜ୍ଞାତ ସାରରେ ବାଲିମାଫିଆ ମାନେ ବର୍ଷା ଋତୁରେ ମଧ୍ୟ ବେନିୟମ ଭାବେ ଦୀର୍ଘ ୫ବର୍ଷ ହେଲା ୩/୪ଟି ଜେସିବି ମେସିନ ସାହାଯ୍ୟରେ ଦିନ ରାତି ନଦୀ ଶଯ୍ୟାରୁ ବାଲି ଖନନ କରି ଚାଲିଥିଲେ । ଏହି ବାଲିକୁ ହାଇୱା ଓ ଟ୍ରାକ୍ଟର ଯୋଗେ ଦୈନନ୍ଦିନ ସ୍ଥାନୀୟ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା । ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଭାରିଯାନରେ ଅବାଧରେ ବାଲି ଚାଲାଣ ହେତୁ ନଦୀ ଶଯ୍ୟା ଓ ନଦୀ ବନ୍ଧ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଥିଲା । ଫଳରେ ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା କାରଣରୁ ନଦୀପଠା ଦୁର୍ବଳ ଥିବା ହେତୁ ନଦୀପଠା ବନ୍ୟା ଜଳରେ ଲୀନ ହୋଇଯାଇଥିଲା । ଏପରିକି ଏହି ପଠାରେ ଥିବା ବହୁ ପୁରାତନ ଗଛ ଉପୁଡ଼ିପଡ଼ି ନଦୀ ଜଳରେ ଭାସି ଯାଇଥିଲା । ଏପରିକି ମହାନଦୀ କରାଳ ରୂପ ଧାରଣ କରି ପଠାର ପ୍ରାୟ ୧୨ଶହ ଫୁଟରୁ ଅଧିକ ଅଂଶ ଭୟଙ୍କର ଭାବେ ଅତଡ଼ା ଖାଇବା ସହ ନଦୀ ଦ୍ରୁତ ଗତିରେ କୂଳ ଲଙ୍ଘିଥିଲା । ନଦୀପଠା ମହାନଦୀରେ ଲୀନ ହେବା ସହ ମୁଖ୍ୟ ରାସ୍ତାକୁ ଲାଗିବାକୁ ଆଉ ମାତ୍ର ଆଉ ୧୦/୧୫ ଫୁଟ ରହିଥିବାର ଲୋକେ ଅଭିଯୋଗ କରିଛନ୍ତି । ନଦୀରେ ଅଧିକ ବନ୍ୟା ଜଳ ଆସିଲେ ଏଠାରେ ନିଶ୍ଚିତ ଘାଇ ସୃଷ୍ଟି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ଉପକୂଳ ଅଞ୍ଚଳର ପିଁପୁର ,ସାହାସପୁର, ବାରିମୂଳ , ସଫିପୁର , ମୁଗୁରିଆ, ଉତ୍ତରକୂଳ, ତଇଲ, ବିରିବନ୍ଧ, ଧାରିବିଲି, ଓଡ଼ଖଣ୍ଡ, ଜୟତଳଙ୍ଗ , ଉତ୍ତରକୂଳ, ବାବୁଜଙ୍ଗ, ମଣିଜଙ୍ଗ,ମହମ୍ମଦପୁର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏଠାରେ ଘାଇ ସୃଷ୍ଟି ହେଲେ ଶହ ଶହ ଏକର ଚାଷ ଜମି ସମେତ ଘରଦ୍ୱାର ଦୋକାନ ବଜାର କ୍ଷତି ଗ୍ରସ୍ତ ହେବାର ଆଶଙ୍କା ରହିଛି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ କିଶନନଗର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତହସିଲ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଫଳରେ ପ୍ରଶାସନର ଦାୟିତ୍ୱହୀନତା ହେତୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ନିକଟରେ ଦାବି କରିବା ସହ ତୁରନ୍ତ ହସ୍ତକ୍ଷେପ ନିମନ୍ତେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଧାୟକ ଶ୍ରୀ ବେହେରା ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଏଠାରେ ନଦୀ ବନ୍ଧରେ ବାଲିବସ୍ତା ପକାଯିବା ସହ ପଥର ଡ଼ମ୍ପିଂ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀଙ୍କ ସମେତ ବହୁ ବିଭାଗୀୟ ପଦାଧିକାରୀଙ୍କ ଏହି ସ୍ଥାନକୁ ସୁଅ ଛୁଟିଥିଲା । ତେବେ ଏକପକ୍ଷରେ ନଦୀବନ୍ଧର ସୁରକ୍ଷା ନିମନ୍ତେ କାର୍ଯ୍ୟ ଜାରି ରହିଥିଲା ବେଳେ ଗତ ସୋମବାର ଠାରୁ ସ୍ଥାନୀୟ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ମହାନଦୀ ଧିରେ ଧିରେ ତାରପୁର ସେତୁ ଆଡ଼କୁ କରାଳ ରୂପ ଧାରଣ କରି ଅଗ୍ରସର ହେଉଛି । ଫଳରେ ମଙ୍ଗଳବାର ଦିନ ନଦୀଶଯ୍ୟାର ବହୁ ଅଂଶ ମହାନଦୀରେ ମିଶିଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଏଠାରେ ମହାନଦୀ କୂଳ ଲଙ୍ଘୁଥିବା କାରଣରୁ ତାରପୁର ସେତୁ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଛି । ସେତୁ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୩/୪ ଶହ ମିଟର ଦୂରତା ରହିଛି । ବିଧାୟକ ଶ୍ରୀ ବେହେରା ଯୁଦ୍ଧକାଳୀନ ଭିତ୍ତିରେ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଜଳସମ୍ପଦ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ , ପ୍ରଶାନ୍ତ କୁମାର ନାୟକ , ଯୁବନେତା ସନ୍ତୋଷ କୁମାର ମହାପାତ୍ର , ମହମ୍ମଦପୁର ସରପଞ୍ଚ ସରୋଜ କୁମାର ବେହେରା, ସିର୍ଲୋ ସରପଞ୍ଚ ମୀନକେତନ ବସ୍ତିଆ, ପୂର୍ବତନ ସରପଞ୍ଚ ଅକ୍ଷୟ କୁମାର ପରିଜା, ବିଜେଡ଼ି ନେତା ଦୀନବନ୍ଧୁ ବେହେରା, ପୂର୍ବତନ ସମିତିସଭ୍ୟ ମନୋଜ କୁମାର ମହାନ୍ତି, କଟକ ସଦର ନିର୍ବାଚନ ମଣ୍ଡଳୀ ବିଜୁ ଯୁବଜନତା ଦଳ ସଭାପତି ହିମାଂଶୁ ଶେଖର ଦାସ, ଜମ୍ବେଶ୍ୱର ବେହୁରା, ପ୍ରମୋଦ କୁମାର ନାୟକ, ଭୈରବ କାସ୍ତା, ବିଶ୍ୱରଂଜନ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ବିଭୂତିଭୁଷଣ ମଲ୍ଲ, ଶ୍ରୀକାନ୍ତ ମହାନ୍ତି, ରଂଜନ ବେହେର, ସମିତିସଭ୍ୟ ରୁବି ରାଉତ ପ୍ରମୁଖ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.