ମୋବାଇଲ ସ୍କ୍ରିନରେ ୨୮ ଦିନ ଯାଏ ଆକ୍ଟିଭ୍ ରହୁଛି କରୋନା ଭୂତାଣୁ!

0 74

ମେଲବର୍ଣ୍ଣ, ୧୨ ।୧୦: ମହାମାରୀ କରୋନା ଭାଇରସ ଦୀର୍ଘଦିନ ଧରି ବ୍ୟାଙ୍କନୋଟ୍ ଓ ମୋବାଇଲ ସ୍କ୍ରିନ୍ରେ ରହିପାରୁଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି । ବୈଜ୍ଞାନିକମାନଙ୍କ କହିବା କଥା ଯେ ଷ୍ଟେନଲେସ୍ ଷ୍ଟିଲ, ଫୋନର ସ୍କ୍ରିନ ଗ୍ଲାସ, କାଚ, ପ୍ଲାଷ୍ଟିକ ଓ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ଦୀର୍ଘ ୨୮ ଦିନ କାଳ ସକ୍ରିୟ ରହିଥାଏ । ଏହି ସମୟ ମଧ୍ୟରେ ଏହାର ସଂସ୍ପର୍ଶରେ ଆସିଲେ, ଜଣେ ସୁସ୍ଥ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ପୂର୍ବରୁ ଗବେଷକମାନେ ଉପରୋକ୍ତ ଜିନିଷଗୁଡ଼ିକରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବା କଥା କହିଥିଲେ । ହେଲେ ଏବେ ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ ୨୮ ଦିନ ଯାଏ କରୋନା ଭୂତାଣୁ ବଞ୍ଚି ରହୁଥିବା କଥା କହିଛନ୍ତି । ଏଠାରେ ଗବେଷଣା କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ କମ ତାପମାତ୍ରାରେ ଏହି ଭାଇରସ ଅଧିକ ଦିନ ଯାଏ ସକ୍ରିୟ ହୋଇ ରହିପାରୁଛି । ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ଅଞ୍ଚଳରେ ଭାଇରସକୁ ଦୀର୍ଘ ୨୮ ଦିନ ଯାଏ ଠାବ କରାଯାଇ ପାରୁଛି । ଗବେଷକମାନେ ବିଭିନ୍ନ ଜିନିଷକୁ ନେଇ ପରୀକ୍ଷା କରିଥିଲେ । ପରୀକ୍ଷାରେ ସାମିଲ ହୋଇଥିବା ଜିନିଷଗୁଡ଼ିକ ମଧ୍ୟରୁ କାଚ, ପଲିମର ନୋଟ, ଷ୍ଟେନଲେସ ଷ୍ଟିଲ ଓ ପେପର ନୋଟ୍ରେ କରୋନା ଭୂତାଣୁ ଦୀର୍ଘ ଦିନ ଧରି ବଞ୍ଚି ରହୁଥିବା ଜଣାପଡ଼ିଛି । କରୋନା ଭୂତାଣୁ ପୂର୍ବରୁ ଇନଫ୍ଲୁଏଞ୍ଜା ଭାଇରସ ୧୭ ଦିନ ଯାଏ ଉପରୋକ୍ତ ଜିନିଷରେ ସକ୍ରିୟ ରହୁଥିଲା । ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ କଟନ ତୁଳନାରେ ଅନ୍ୟାନ୍ୟ ଦ୍ରବ୍ୟରେ ଏହା ଅଧିକ ଦିନ ସକ୍ରିୟ ରହୁଛି । ସେହିପରି ପ୍ଲାଷ୍ଟିକ ନୋଟ ତୁଳନାରେ ପେପଟ ନୋଟ୍ ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଧିକ । ୨୦ ଡିଗ୍ରୀ ସେଲସିୟରେ ଏହା ୨୮ ଦିନ ସକ୍ରିୟ ରହୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରାରେ ଏହା ୭ ଦିନ ଓ ୪୦ ଡିଗ୍ରୀ ତାପମାତ୍ରାରେ ୨୪ ଘଣ୍ଟା ମଧ୍ୟରେ ଖତମ ହୋଇଯାଏ । ପୂର୍ବରୁ ଲାନସେଟ୍ ସର୍ଭେରେ କୁହାଯାଇଥିଲା ଯେ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ୫ ମିନିଟ୍ ମଧ୍ୟରେ ନଷ୍ଟ ହୋଇଯାଇଥାଏ । ହେଲେ ୪୦ ଡିଗ୍ରୀ ସେଲସିୟରେ ଏହା ପୂର୍ବଭଳି ସକ୍ରିୟ ରହିଥାଏ । ଏବେ କିନ୍ତୁ ଅଷ୍ଟ୍ରେଲୀୟ ଗବେଷକ ନୂଆ ତଥ୍ୟ ଦେଇଛନ୍ତି ।

Leave A Reply

Your email address will not be published.