ଗଜପତିରେ ବର୍ଷା କମିଲା,ତଥାପି ସ୍ଥିତି ବେହାଲ

0 72

ମୋହନା ବ୍ଲକରେ ୫ ପଞ୍ଚାୟତ, ରାୟଗଡରେ ୨୦ରୁ ଉର୍ଦ୍ଧ ବାହ୍ୟ ଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, (ଡି କେ ନ୍ୟୁଜ) : ଗଜପତି ଜିଲ୍ଲାରେ ଗତ ୨ଦିନ ତୁଳନାରେ ଆଜି ବର୍ଷାର ପରିମାଣ ସାମାନ୍ୟ ଭାବେ କମିଛି । ତଥାପି ଏହି ଜିଲ୍ଲାର ମୋହନା, ଆର.ଉଦୟଗିରି, ନୁଆଗଡ, ରାୟଗଡ ଓ ଗୁମ୍ମା ଆଦି ବ୍ଲକର ସ୍ଥିତି ବେହାଲ ରହିଛି । ଏହି ବ୍ଲକ ଗୁଡିକ ବନ ପାହାଡିଆ ଓ ଦୁର୍ଗମ ଅଞ୍ଚଳ ଅଟେ । ଏହି ଅଞ୍ଚଳର ବିଭିନ୍ନ ପାହାଡରୁ ଜାତ ହୋଇଥିବା ଛୋଟ ବଡ ନାଳ ଗୁଡିକରେ ଆଜି ସୁଦ୍ଧା ବନ୍ୟାଜଳ ପ୍ରବଳ ବେଗରେ ପ୍ରବାହିତ ହେଉଛି । ଅନେକ ଜାଗାରେ ରାସ୍ତା ଧୋଇ ଯିବା ସହ କଲଭର୍ଟ ଉପରେ ପାଣିର ସୁଅ ମାଡି ଚାଲିଛି । ଏହି ଜିଲ୍ଲାର ବଂଶଧାରା ଓ ମହେନ୍ଦ୍ରତନୟା ନଦୀ ସ୍ଥିର ରହିଛି । ମୋହନା ବ୍ଲକର ଅଠରନଳା ନଦୀର ପୋଲ ଉପରେ ଆଜି ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଏଥି ଯୋଗୁଁ ମୋହନା ବ୍ଲକର ବଡସିନ୍ଧବା, ବାଘମାରି, ଚୁଡଙ୍ଗପୁର, ଅନ୍ତରବା, କେଶରୀଗୁଡା ଆଦି ୫ଗୋଟି ଗ୍ରାମ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଏହି ମୋହନା ବ୍ଲକ ମହକୁମାକୁ ଏହି ୫ଗୋଟି ପଞ୍ଚାୟତବାସୀଙ୍କ ସମସ୍ତ ଯୋଗାଯୋଗ ଛିନ୍ନ ହୋଇଛି । ମୋହନା ବ୍ଲକର ହରଭଙ୍ଗି ନଦୀରେ ଆଜି ୭/୮ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଏହି ନଦୀର ଅପର ପାଶ୍ୱର୍ରେ ଥିବା ଧନୁପଙ୍କା, ଗୁଡ୍ରିଗୁଡା ଓ ବାଦେଇପୁର ଆଦି ଗ୍ରାମବାସୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି । ଏମାନେ ବିଚ୍ଛିନ୍ନ ହେବା ସହ ସମସ୍ତ ଜରୁରୀ ସେବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ମଧ୍ୟ ସ୍ଥିତି ବେହାଲ ରହିଛି । ଏହି ବ୍ଲକର ଗଙ୍ଗାବାଡ ଠାରୁ ବାରଘର ରାସ୍ତା ଧୋଇ ହୋଇଯାଇଛି । ବଡପାଚିଡିଆ କଲଭର୍ଟ ଉପରେ ଆଜି ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ଯୋ ଦ୍ୱାରା ଏହି ଅଞ୍ଚଳର କେତେକ ଗ୍ରାମ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ କଇଁପୁର ପଞ୍ଚାୟତର ମାଡବା ଗ୍ରାମର ମୁଖ୍ୟ ରାସ୍ତା ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛିାଏହିବ୍ଲକର ସାନତୁଣ୍ଡି, ରେମ୍ପି, ତୁବୁରିସିଂ, ଏସରେମ୍ପି, ସିନ୍ଧଗାଁ, ବାହାଡପଡା, ଲିମାରସିଂ, ଚାଞ୍ଚଡାସାହି, ଡୁମ୍ବା, ଅଞ୍ଚଳ.ବୁର୍ଜି, ଲକିଡା, କେଳୁସାହି, ଅଁଳାବର, ହରଡାବଣ, ସୁଆବା, ଲାଙ୍ଗାସାହି, ରାଇସିଂ ଆଦି ୨୨ଗୋଟି ଆଦିବାସୀ ଗ୍ରାମର ଅବସ୍ଥା ଏହି ପ୍ରବଳ ବର୍ଷା ଯୋଗୁଁ ଶୋଚନୀୟ ହୋଇ ପଡିଛି । ଏମାନେ ପ୍ରାୟତଃ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅବସ୍ଥାରେ ରହିଛନ୍ତି । ଏହି ସମସ୍ତ ଗ୍ରାମବାସୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ସାହାଯ୍ୟ ସହେଯାଗ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.