ଆକ୍ସନ ମୁଡରେ ପୌର ପ୍ରଶାସନ

0 55

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ କୋଭିଡ ପରିଚାଳନାରେ ଅନିୟମୀତତା ଏବଂ ପୌରପାଳିକା ଦ୍ୱାରା ଜନ ସଚେତନତା ସୃଷ୍ଟି କରିବାରେ ଶିଥିଳତାକୁ ନେଇ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ଦେବାପରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ଏବେ ଆକ୍ସନ ମୁଡରେ ରହିଛନ୍ତି । ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ପୌରପାଳିକା ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତାଙ୍କୁ ଡାକି ସମୀକ୍ଷା ଓ ଆଲୋଚନା କରୁଥିବା ବେଳେ ଆଜି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ,ପୌର ପ୍ରଶାସନ ଓ ପୋଲିସ୍ ବିଭାଗ ମିଳିତ ଭାବେ କୋଭିଡ ଗାଇଡ ଲାଇନ ପାଳନରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଅବସରରେ ମିଳିତ ଭାବେ ବିଭିନ୍ନ ଦୋକାନ ଓ ଜନସାଧାରଣଙ୍କୁ ଚେକିଂ କରି ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିନଥିବା ଅମାନିଆ ଦୋକାନୀ ଓ ଯୁବକଙ୍କ ଠାରୁ ଜୋରିମନା ଆଦାୟ କରିଛନ୍ତି ।ଏହି ଚଢାଉରେ ସଦର ତହସିଲଦାର ଲକ୍ଷ୍ମୀଧର ରାଉତ,ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ,ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ,ଟିଆରଓ ସୁମନ୍ତ ବେହେରା,ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ପ୍ରମୂଖ ସାମିଲ ଥିଲେ । ଆଜିର ଏହି ଚଢାଉରେ ୧୫ ହଜାର ୨ଶହ ଟଙ୍କା ଜୋରିମନା ବାବଦରେ ଆଦାୟ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ଚଢାଉକୁ ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ସକାଳେ ପୌର ପ୍ରଶାସନ ପକ୍ଷରୁ ରାସ୍ତାରେ ବୁଲୁଥିବା ବୁଲା ଗାଈଗୋରୁଙ୍କ ଜବତ କରି ବାଂଝକୁସୁମ ଠାରେ ଥିବା କାଞ୍ଜିଆହତାରେ ଭର୍ତି କରାଯାଇଥିବା ବେଳେ ଜନସାଧାରଣ ନିଜ ନିଜ ଗାଈଗୋରୁଙ୍କୁ ରାସ୍ତାକୁ ନଛାଡି ଘରେ ବାନ୍ଧି ରଖିବା ପାଇଁ ନିବେଦନ କରିବା ସହିତ ପରବର୍ତୀ ପଦକ୍ଷେପ ସ୍ୱରୂପ ସହରର ମୂଖ୍ୟ ନାଳଗୁଡିକର ଅବରୋଧ ହଟାଯାଇ ପରିଷ୍କାର କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.