ଦୀପାବଳିରେ ଅଯୋଧ୍ୟାରେ ହେବ ଭର୍ଚ୍ଚୁଆଲ ଦୀପୋତ୍ସବ

0 67

ଅଯୋଧ୍ୟା : ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଚଳିତ ବର୍ଷ ଦୀପୋତ୍ସବ ଓ ଦୀପାବଳି ଐତିହାସିକ ହେବୟ ଶ୍ରୀରାମ ଜନ୍ମଭୂମିରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ୱପ୍ନ ପୁରା ହେବାକୁ ଯାଉଛି । ଏହିଭଳି ସମୟରେ ଅଯୋଧ୍ୟାରେ ଯେପରି କୌଣସି ଶ୍ରଦ୍ଧାଳୁ ରାମଙ୍କ ଦରବାରରେ ଆସ୍ଥା ଦୀପ ଜଳାଇବାରୁ ବଞ୍ଚିତ ନ ରୁହନ୍ତୁ ସେଥିପାଇଁ ଉତ୍ତରପ୍ରଦେଶ ସରକାର ସମସ୍ତଙ୍କ ସହଭାଗିତା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଏକ ପୋର୍ଟାଲ ପ୍ରସ୍ତୁତ କରାଯାଉଛି । ଏହି ପୋର୍ଟାଲ ମାଧ୍ୟମରେ ଭର୍ଚ୍ଚୁଆଲ ଦୀପ ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଭର୍ଚ୍ଚୁଆଲ ଦୀପୋତ୍ସବରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଭର୍ଚ୍ଚୁଆଲ ଦୀପୋତ୍ସବ ପ୍ଲାଟଫର୍ମ ସତ ଭଳି ଅନୁଭୂତ ହେବ । ପୋର୍ଟାଲରେ ଶ୍ରୀରାମଙ୍କ ବିରାଜମାନ ଫଟୋ ରହିବ । ଫଟୋ ସମ୍ମୁଖରେ ଭର୍ଚ୍ଚୁଆଲ ଦୀପ ପ୍ରଜ୍ୱଳନ କରାଯାଇପାରିବ । ଶ୍ରଦ୍ଧାଳୁ ନିଜ ଭାବନା ଅନୁସାରେ ମାଟି, ପିତ୍ତଳ, ତମ୍ବା କିମ୍ବା ଅନ୍ୟ ଧାତୁରେ ତିଆରି ଦୀପ ଷ୍ଟାଣ୍ଡ ବାଛିପାରିବେ । ଘିଅ, ସୋରିଷ କିମ୍ବା ତେଲର ବିକଳ୍ପ ଉପଲବ୍ଧ ହେବ । ଦୀପ ଜଳାଇବା ପରେ ଶ୍ରଦ୍ଧାଳୁଙ୍କ ବିବରଣୀ ଆଧାରରେ ରାମଙ୍କ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଧନ୍ୟବାଦ ପତ୍ର ଜାରି କରାଯିବ । ନଭେମ୍ବର ୧୩ ତାରିଖରେ ପ୍ରସ୍ତାବିତ ମୁଖ୍ୟ ସମାରୋହ ପୂର୍ବରୁ ଏହି ୱେବସାଇଟ୍ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଦୀପୋତ୍ସବର ଭବ୍ୟ – ଦିବ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କୌଣସି ସ୍ଥାନରେ କୋଭିଡ ନିୟମ ଯେପରି ଉଲଙ୍ଘନ ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଦିନ ଅଲଗା ଅଲଗା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମରେ କୋଭିଡ ଗାଇଡଲାଇନ ପାଳନ କରାଯିବ । ଯୋଗୀ କହିଛନ୍ତି, ଦୀପୋତ୍ସବରେ ସମସ୍ତ ମନ୍ଦିର, ମଠ, ଘରେ ଦୀପ ଲାଗିବ ଯେପରି ରାମଙ୍କ ନଗରୀ ଦୀପ ଆଲୋକରେ ଆଲୋକିତ ହେବ । ଚଳିତ ବର୍ଷ ଦୀପାବଳିରେ ଅଯୋଧ୍ୟାରେ ପାଖାପାଖି ସାଢେ ୫ ଲକ୍ଷ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ହେଉଛି । ଯୋଗୀ ରାମାୟଣ ପ୍ରସଙ୍ଗ ଉପରେ ଆଧାରିତ ଦୃଶ୍ୟ ଅବଲୋକନ କରିବେ । ଏହାସହ ଶ୍ରୀରାମ, ସୀତା, ଲକ୍ଷ୍ମଣଙ୍କ ସ୍ୱରୂପଙ୍କ ଆରତୀ କରି ଶ୍ରୀରାମଙ୍କ ରାଜ୍ୟାଭିଷେକ କରିବେୟ ସମସ୍ତ ପ୍ରସ୍ତୁତି ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର ରହିବ ।

Leave A Reply

Your email address will not be published.