କୃଷି ଆଇନ୍କୁ ବିରୋଧ କରି ଚାଷୀ-ପୋଲିସଙ୍କ ମଧ୍ୟରେ ଡ୍ରାମାଟିକ୍ ସଂଘର୍ଷ

0 75

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଦିଲ୍ଲୀ ଚାଲୋ ଅଭିଯାନ ଆରମ୍ଭ କରିଛନ୍ତି । ପଞ୍ଜାବ ଠାରୁ ଆରମ୍ଭ କରି କେରଳ ଯାଏଁ ସବୁଆଡ଼େ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି । ଲକ୍ଷଲକ୍ଷ ଚାଷୀ ଶୋଭାଯାତ୍ରାରେ ଦିଲ୍ଲୀ ବାହାରିଥିବା ବେଳେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ପୁଲିସ୍ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ଏହିକ୍ରମରେ ପଞ୍ଜାବ-ହରିଆଣା ସୀମାରେ ଚାଷୀ ଓ ପୁଲିସ୍ ମଧ୍ୟରେ ଡ୍ରାମାଟିକ ସଂଘର୍ଷ ଦେଖିବାକୁ ମିଳିଛି । ହରିଆଣାର ଅମ୍ବାଲା ବ୍ରିଜ୍ ଦେଇ ଚାଷୀମାନେ ଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ପୁଲିସ୍ ଅଟକାଇ ଥିଲା । ଏହାପରେ ସେଠାରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି । ଚାଷୀମାନେ ବ୍ୟାରିକେଡ୍ଗୁଡ଼ିକୁ ବ୍ରିଜ୍ ତଳ ନଦୀକୁ ଫିଙ୍ଗି ଆଗକୁ ବଢ଼ୁଥିବା ବେଳେ ପୁଲିସ୍ ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ଼ କରିଛି । ତଥାପି ଚାଷୀମାନେ ଏହାକୁ ବେଖାତିର କରି ଆଗକୁ ମାଡ଼ି ଚାଲିଛନ୍ତି । ହଜାର ହଜାର ଚାଷୀ କରନା ଲେକ୍ ପାଖରେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି । ପୁଲିସ ସେମାନଙ୍କୁ ପାଣି ମାଡ଼ କରିବାରୁ ଚାଷୀମାନେ ପଞ୍ଜାବ-ହରିଆଣା ସୀମା ଶମ୍ବୁଠାରେ ପଥରମାଡ଼ କରିଥିବା ଖବର ମିଳିଛି । ପୁଲିସ୍ ସେମାନଙ୍କୁ ପଛକୁ ହଟିବାକୁ କହୁଥିଲେ ହେଁ କେହି ବି ଏହାକୁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ଅନ୍ୟପକ୍ଷରେ ୬ ରାଜ୍ୟ-ପଞ୍ଜାବ, ହରିଆଣା, ରାଜସ୍ଥାନ, କେରଳ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ଚାଷୀମାନେ ଦିଲ୍ଲୀ ଅଭିମୁଖେ ବାହାରି ଥିବାରୁ ଏଠାକାର ସୀମାକୁ ସିଲ୍ କରି ଦେଇଛନ୍ତି । ସୀମାରେ ବ୍ୟାପକ ସଂଖ୍ୟକ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ତେବେ ଚାଷୀଙ୍କ ଉପରକୁ ପାଣିମାଡ଼ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜୋରଦାର ବିରୋଧ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଚାଷୀ ବିରୋଧୀ ଆଇନ ଆଣିଛନ୍ତି । କୃଷକମାନେ ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଥିବା ବେଳେ ସେମାନଙ୍କ ଉପରକୁ ପାଣି ମାଡ଼ କରାଯାଉଛି । କେନ୍ଦ୍ର ସରକାର ତୁରନ୍ତ ନୂଆ ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟରଙ୍କ ନିର୍ଦ୍ଦେଶକ୍ରମେ ଆଜି ଓ ଆସନ୍ତାକାଲି ରାଜ୍ୟର ସୀମାକୁ ସିଲ କରାଯାଇଛି । ପଞ୍ଜାବକୁ ଲାଗିଥିବା ସୀମାରେ ବ୍ୟାରିକେଡ୍ ସହ ପାଣି ଟ୍ୟାଙ୍କର ଓ ଦଙ୍ଗାକୁ ପ୍ରତିହିତ କକରିବା ପାଇଁ ଗାଡ଼ି ମୁତୟନ କରାଯାଇଛି ।ରାଜ୍ୟରେ କୌଣସି ପ୍ରକାରର ସମାବେଶ ମଧ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ହରିଆଣାରୁ ପଞ୍ଜାବକୁ ଯିବାକୁ ଓ ଆସିବାକୁ ଥିବା ବସ୍ ସେବାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇଛି । ତଥାପି ଚାଷୀମାନେ ଶୋଭାଯାତ୍ରାରେ ବାହାରି ଥିବାରୁ ସେମାନଙ୍କୁ ପୁଲିସ୍ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।

Leave A Reply

Your email address will not be published.