ଲାଲୁଙ୍କ ଅଡିଓ କ୍ଲିପର ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

0 69

ନୂଆଦିଲ୍ଲୀ: ଜେଲ୍ରେ ଥାଇ ଏନଡିଏ ବିଧାୟକଙ୍କୁ ଫୋନ କରି ନିଜ ସପକ୍ଷକୁ ଆଣିବା ପାଇଁ ଚେଷ୍ଟା କରିଥିବା ଅଭିଯୋଗରେ ଫସିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ବୁଧବାର ଲାଲୁ ଫୋନ ଯୋଗେ ବିଧାୟକଙ୍କୁ ପ୍ରଲୋଭିତ କରୁଥିବାର ଅଡିଓ କ୍ଲିପ ଭାଇରାଲ ହୋଇଥିଲା । ଏବେ ଘଟଣାର ତଦନ୍ତ ପାଇଁ ଝାରଖଣ୍ଡ ସରକାର ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବର୍ସାମୁଣ୍ଡା ଜେଲ୍ରେ ରହିଥିଲେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ ଆରଆଇଏମର ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖାଯାଇଛି । ଆଇଜି(ଜେଲ୍) ବୀରେନ୍ଦ୍ର ଭୂଷଣ କହିଛନ୍ତି, ରାଞ୍ଚର ଡେପୁଟି କମିଶନର, ଏସ୍ପି ଓ ବର୍ସାମୁଣ୍ଡା ଜେଲ୍ର ସୁପରିନଟେଣ୍ଡେଣ୍ଟଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଅଭିଯୋଗରେ ସତ୍ୟତା ଥାଏ, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇଜି ଆହୁରି କହିଛନ୍ତି, ଭାଇରାଲ ହେଉଥିବା ଅଡିଓ କ୍ଲିପକୁ ସେ ନିଜେ ମଧ୍ୟ ଶୁଣିଛନ୍ତି । ଜେଲ ମାନ୍ୟୁଆଲ ଅନୁଯାୟୀ, କୌଣସି କଏଦୀ ମୋବାଇଲ ଫୋନ ବ୍ୟବହାର କରିପାରିବେ ନାହିଁ । ତେଣୁ ଏବେ ଅଡିଓ କ୍ଲିପ ଅଭିଯୋଗ ଯଦି ସତ ହୁଏ, ତା’ହେଲେ ମୋବାଇଲ ଫୋନ ଲାଲୁଙ୍କ ପାଖକୁ କେମିତି ଆସିଲା ଓ ଏଥିପାଇଁ ଦାୟୀ କିଏ, ତା’ର ତଦନ୍ତ କରାଯିବ । ବିଚାର ବିଭାଗୀୟ ହାଜତରେ ଥିବା ବେଳେ ରାଜନୀତିକ ଆଲୋଚନା କରାଯାଇପାରିବ ନାହିଁ । ଲାଲୁ ପ୍ରସାଦ ବର୍ତ୍ତମାନ ଜିଲ୍ଲା ପ୍ରଶାସନର ଅନୁମତିକ୍ରମେ ଆରଆଇଏମର ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରହୁଛନ୍ତି । ଲାଲୁଙ୍କ ପାଖକୁ କିଏ ଯାଇ ପାରିବେ, ତା’ର ନିଷ୍ପତ୍ତି ରାଞ୍ଚ ପ୍ରଶାସନ ନେଇଥାଏ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଝାଡ଼ଖଣ୍ଡ ହାଇକୋର୍ଟରେ ମଧ୍ୟ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ତୁରନ୍ତ ତାଙ୍କୁ ଜେଲ ହାଜତକୁ ପଠାଇବା ପାଇଁ ଏଥିରେ ଆବେଦନ କରାଯାଇଛି । ଗତକାଲି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଗୋଟିଏ ଅଡିଓ କ୍ଲିପ ଜାରି କରିଥିଲେ । ଏଥିରେ ଜେଲ୍ରେ ରହି ଲାଲୁ ବିଜେପିର ଜଣେ ବିଧାୟକଙ୍କୁ ଫୋନ କରି ଆରଜେଡିକୁ ସମର୍ଥନ କରିବାକୁ ପ୍ରଲୋଭନ ଦେଖାଉଥିବା ସେ ଅଭିଯୋଗ କରିଥିଲେ । ବୁଧବାର ବିହାର ବିଧାନସଭା ପାଇଁ ବାଚସ୍ପତି ନିର୍ବାଚନ ହେବାର ଥିଲା, ଏହି ସମୟରେ ଲାଲୁ ଉକ୍ତ ବିଜେପି ବିଧାୟକଙ୍କୁ ଅନୁପସ୍ଥିତ ରହିବାକୁ ପରାମର୍ଶ ଦେଉଥିବା ସୁଶୀଲ ମୋଦି ଅଭିଯୋଗ କରିଥିଲେ । ଅଡିଓ ଟେପ ଆଧାରରେ ସୁଶୀଲ ମୋଦି କହିଥିଲେ ଯେ ଲାଲୁ ପ୍ରସାଦ ଯାଦବ ଏବେ ଏନଡିଏ ବିଧାୟକଙ୍କୁ କିଣିବା ପାଇଁ ପ୍ରୟାସ କରୁଛନ୍ତି । ଏଥିପାଇଁ ସେ ଜେଲ୍ରୁ ବିଜେପି ବିଧାୟକ ଲଲନ ପାଶ୍ୱାନଙ୍କୁ ଫୋନ କରିଥିଲେ । ଏହି ସମୟରେ ସେ ଲଲନଙ୍କୁ ପ୍ରଲୋଭିତ କରି ନିଜ ଆଡ଼ୁ ଆଣିବାକୁ ଚେଷ୍ଟା କରିଥିଲେ । ଅଡିଓ ଟେପ୍ଟିରେ ଲାଲୁ ଯାଦବ ଓ ବିଧାୟକ ଲଲନ ପାଶ୍ୱାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ରେକର୍ଡ କରାଯାଇଥିବା ଦାବି କରାଯାଇଛି । ଏଥିସହ ସୁଶୀଲ ମୋଦି କହିଥିଲେ, ଲାଲୁ ଯାଦବ ରାଞ୍ଚି ଜେଲ୍ରେ ରହିଥିଲେ ହେଁ ୮୦୫୧୨୧୬୩୦୨ ନମ୍ବରରୁ ଏନଡିଏ ବିଧାୟକଙ୍କୁ କଲ କରିଥିଲେ । ଏଥିସହ ତାଙ୍କୁ ନିଜ ଆଡ଼କୁ ପ୍ରଲୋଭିତ କରି ମନ୍ତ୍ରୀ ପଦ ମିଳିବ ବୋଲି କହିଥିଲେ । ମୁଁ ଯେତେବେଳେ ଏହି ନମ୍ବରକୁ ଫୋନ କଲି, ଲାଲୁ ଏହାକୁ ଉଠାଇଥିଲେ । ମୁଁ ତାଙ୍କୁ କହିଥିଲି ଯେ ଜେଲ୍ରେ ରହି ଏଭଳି ଖରାପ ପ୍ରୟାସ କରନ୍ତୁ ନାହିଁ । ଆପଣ କେବେ ହେଲେ ଆପଣଙ୍କ ଯୋଜନାରେ ସଫଳ ହୋଇପାରିବେ ନାହିଁ ।

Leave A Reply

Your email address will not be published.