ପିପିଲି ଏନଏସି ଟେଣ୍ଡରରେ, ଅନିୟମିତତା ଅଭିଯୋଗ

0 65

ହାଇକୋର୍ଟଙ୍କ ରହିତାଦେଶ

ପିପିଲି :ପିପିଲି ଏନଏସିର ବିଭିନ୍ନ କାର୍ଯ୍ୟର ଟେଣ୍ଡର ପ୍ରକ୍ରୀୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବାବେଳେ ମାନ୍ୟବର ହାଇକୋର୍ଟ ଉକ୍ତ ଟେଣ୍ଡର ଉପରେ ରହିତାଦେଶ ଜାରୀ କରିଛନ୍ତି । ସୂଚନା ଅନୁସାରେ ପିପିଲି ଏନଏସିର ପତ୍ର ସଂଖ୍ୟା ୧୨୨୧ ଅନୁଯାୟୀ ଗତ ଜୁନ ୧୬ତାରିଖରେ ପୌରାଂଚଳର ୪୪ଟି କାର୍ଯ୍ୟ ପାଇଁ ଇ-ଟେଣ୍ଡର ହୋଇଥିଲା । ୧୩ ଜଣ ବିଡ଼ରଙ୍କ ମଧ୍ୟରୁ ୯ଜଣ ବିଡ଼ର ସତ୍ୟପାଠରେ ଦସ୍ତଖତ, ଓକିଲଙ୍କ ଦ୍ୱାରା ଚିହ୍ନଟ ହୋଇନଥିବା, ବିଡ଼ ସମୟସୀମା ଆଦି ସଠିକ କାଗଜାତ ଦେଇନଥିବା ଅଭିଯୋଗ ହୋଇଥିଲା । ଟେଣ୍ଡର କାଗଜାତରେ ଅନିୟମିତତା ସତ୍ୱେ ପିପିଲି ପୌର ପରିଷଦ ଉକ୍ତ ଟେଣ୍ଡରର ବିଡ଼ର ମାନଙ୍କୁ ଯୋଗ୍ୟ ଘୋଷଣା କରିଥିଲେ । ଏହି ଅନିୟମିତା ସମ୍ପର୍କରେ ୪ଜଣ ବିଡ଼ର ପୁରୀ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଉପ ଜିଲ୍ଲାପାଳଙ୍କ ଠାରୁ ନ୍ୟାୟ ନମିଳିବାରୁ ସେମାନଙ୍କ ମଧ୍ୟରେ ଜଣେ ଠିକାଦାର ବିଶ୍ୱରଂଜନ ପ୍ରଧାନ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଡବ୍ଲୁପି(ସି)ନଂ.୨୦୪୯୯ ଅନୁଯାୟୀ ଆଇନ ଅନୁଯାୟୀ ନିଷ୍ପତି ନେବାକୁ ପୁରୀ ଉପ ଜଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳ ଟେଣ୍ଡର କାଗଜାତ ଯାଂଚ କରି ଟେଣ୍ଡର ଫାଇନାଲ କରିବାକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଓ ଟେଣ୍ଡର କମିଟି ଗତ ସେପ୍ଟେମ୍ବର ୭ତାରିଖରେ ନିର୍ଦେଶ ଦେଇଥିଲେ । ମାତ୍ର ଟେଣ୍ଡର କମିଟି ଅନିୟମିତତା ଅଭିଯୋଗ ହୋଇଥିବା ଟେଣ୍ଡର କାଗଜପତ୍ର ଗୁଡ଼ିକୁ ପୂର୍ବଭଳି କାଏମ ରଖିଥିଲେ । ଏନଏସିର ଏହି ନିଷ୍ପତିକୁ ବିରୋଧ କରି ଶ୍ରୀ ପ୍ରଧାନ ପୁନର୍ବାର ମାନ୍ୟବର ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଡବ୍ଲୁପି(ସି)ନଂ.୩୧୦୪୦ ଅନୁଯାୟୀ ମାନ୍ୟବର ମୁଖ୍ୟ ବିଚାରପତି ମହମ୍ମଦ ରଫିକ ଓ ବିଚାରପତି ବି.ଆର ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ଆବେଦନର ଶୁଣାଣୀ କରି ଆସନ୍ତା ଡିସେମ୍ବର ୯ତାରିଖ ପର୍ଯ୍ୟନ୍ତ ଉକ୍ତ ଟେଣ୍ଡର ପ୍ରକ୍ରୀୟାର ଚୁଡ଼ାନ୍ତ ନିଷ୍ପତି ନନେବାକୁ ନିର୍ଦେଶ ଦେଇଛନ୍ତି । ଆବେଦକାରୀଙ୍କ ପକ୍ଷରୁ ଆଇନଜିବୀ ବାସୁଦେବ ପୂଜାରୀ ଓ ଗୋପିନାଥ ମିଶ୍ର ମାମଲା ପରିଚାଳନା କରୁଛନ୍ତି । ତେବେ ଏନଏସିର ଏଭଳି ଅନିୟମିତ କାର୍ଯ୍ୟକୁ ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.