ରାଜନୀତି ମଇଦାନକୁ ଓହ୍ଲାଇବେ ରଜନୀ!

0 56

ଚେନ୍ନାଇ, ୩୦ ।୧୧: ନିଜର ରାଜନୀତିକ ଏଣ୍ଟ୍ରିକୁ ନେଇ ଏବେ ବି ସସପେନ୍ସ ଜାରି ରଖିଛନ୍ତି ସୁପରଷ୍ଟାର ରଜନୀକାନ୍ତ । କିନ୍ତୁ ସେ ଆଜି ତାଙ୍କର ରଜନୀ ମକ୍କଲ ମନଦ୍ରମ(ଆରଏମଏମ) କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବଭଳି ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରନ୍ତୁ ଓ ସେ ଖୁବଶୀଘ୍ର ବଡ଼ ଘୋଷଣା କରିବେ ବୋଲି କହିଛନ୍ତି । ଚେନ୍ନାଇର ରାଘବେନ୍ଦ୍ର ମ୍ୟାରେଜ ହଲ୍ରେ ଆରଏମଏମର ଜିଲ୍ଲାସ୍ତରୀୟ ସଚିବମାନେ ରଜନୀକାନ୍ତଙ୍କ ଭବିଷ୍ୟତ ଯୋଜନା କ’ଣ ସେକଥା ଜାଣିବା ପାଇଁ ତାଙ୍କୁ ଦେଖା କରିଥିଲେ । ଏହି ସମୟରେ ସଚିବମାନେ ରଜନୀକାନ୍ତଙ୍କୁ ଖୁବଶୀଘ୍ର ରାଜନୀତିକ ପାର୍ଟି ଘୋଷଣା କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ଏଥିସହ ସେମାନେ ରଜନୀକାନ୍ତଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା ମଧ୍ୟ ମତ ପ୍ରକାଶ କରିଛନ୍ତି । ଆରଏମଏମର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ତାମିଲନାଡୁ ଲୋକଙ୍କ ଭଲ ପାଇଁ ରଜନୀକାନ୍ତ ରାଜନୀତିକୁ ଆସିବା ଦରକାର ବୋଲି ଆମେ ତାଙ୍କୁ ଅନୁରୋଧ କରିଛୁ । ସମସ୍ତ ଜିଲ୍ଲାର ସଚିବମାନେ ସମାନ ଅନୁରୋଧ କରିଛନ୍ତି । ସେ ଆମ କଥାକୁ ଭଲ ଭାବେ ଶୁଣିଛନ୍ତି । ଏଥିସହ ସୋମବାର ସନ୍ଧ୍ୟା କିମ୍ବା ମଙ୍ଗଳବାର ଗୋଟିଏ ବିବୃତି ଜାରି କରିବେ ବୋଲି କହିଛନ୍ତି । ସେ ଯାହା ବି ନିଷ୍ପତ୍ତି ନେବେ, ଆମେ ତାକୁ ଗ୍ରହଣ କରିବୁ । ଯଦି ବି ସେ ରାଜନୀତିକୁ ଆସିବେ ନାହିଁ ବୋଲି କହିବେ, ତା’ହେଲେ ବି ଆମେ ଏହାକୁ ଗ୍ରହଣ କରିବୁ ବୋଲି କାର୍ଯ୍ୟକର୍ତ୍ତା ଜଣଙ୍କ କହିଛନ୍ତି । ଅନ୍ୟପକ୍ଷରେ ରଜନୀକାନ୍ତ କହିଛନ୍ତି, ଆରଏମଏମ କାର୍ଯ୍ୟକର୍ତ୍ତାମାନେ ମୋର ସବୁ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି ରାଜି ହୋଇଛନ୍ତି । ଯେତେ ଶୀଘ୍ର ସମ୍ଭବ ମୁଁ ନିଷ୍ପତ୍ତି ନେବି ଓ ଏହାକୁ ସର୍ବସମ୍ମୁଖରେ ଘୋଷଣା କରିବି ।

Leave A Reply

Your email address will not be published.