ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ରାଜନୀତି ଜୋର୍ ଧରିଲା

0 87

ଫିଲ୍ମ ସିଟି ସ୍ଥାନାନ୍ତରକୁ ନେଇ ବିରୋଧାଭାଷ

ମୁମ୍ବାଇ, ୨ ।୧୨ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ଫିଲ୍ମ କଳାକାରଙ୍କୁ ସାକ୍ଷାତ କରିଛନ୍ତି । ମଙ୍ଗଳବାର ଦିନ ସେ ଅକ୍ଷୟ କୁମାରଙ୍କ ସହ ସାକ୍ଷାତ କରିଥିଲେ । ବୁଧବାର ସେ ବଲିଉଡ ନିର୍ଦ୍ଦେଶକ ଓ ଫିଲ୍ମ ନିର୍ମାତାଙ୍କ ସହ ଚର୍ଚ୍ଚା କରିବେ । ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ରାଜନୀତି ଜୋର ଧରିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ଅନେକ ବଡ ବଡ ନେତା ପ୍ରତିକ୍ରିୟା ଜାହିର କରିଛନ୍ତି । ଫିଲ୍ମ ସିଟି ସମ୍ବନ୍ଧରେ ଯୋଗୀ ଅନେକ ନିବେଶକଙ୍କ ସହ ମଧ୍ୟ ଆଲୋଚନା କରିବେ । ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ମଧ୍ୟ ବିରୋଧ କରିଛି । ଦଳ ମୁମ୍ବାଇର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି । ପୋଷ୍ଟରରେ ଲେଖାଯାଇଛି, “କାହାଁ ରାଜା ଭୋଜ୍ କାହାଁ ଗଙ୍ଗୁ ତେଲି’, କେଉଁଠି ମହାରାଷ୍ଟ୍ରର ବିଭାଗ ଆଉ କେଉଁଠି ୟୁପିର ଦରିଦ୍ରତା । ସିନେମାର ଜନକ ଦାଦା ସାହେବ ଫାଲକେ, ଯିଏ ସିନେମା ଆରମ୍ଭ କରିଥିଲେ ।’ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ନେତା ନବାବ ମଲିକ ମଧ୍ୟ ଯୋଗୀଙ୍କ ମୁମ୍ବାଇ ଗସ୍ତକୁ ନେଇ ନିରାଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯୋଗୀ ଉତ୍ତର ପ୍ରଦେଶରେ ବଲିଉଡ ଭଳି ଫିଲ୍ମ ସିଟି ନିର୍ମାଣ କରିବାକୁ ଚାହୁଁଛନ୍ତି, ଭଲ କଥା କିନ୍ତୁ ୧୦୦ ବର୍ଷ ହେଲା ମୁମ୍ବାଇକୁ ମିଳିଥିବା ବଲିଉଡର ଦର୍ଜା ଶେଷ ହୋଇଯିବ ତାହା ଭାବିବା ଭୁଲ । ବଲିଉଡର ଦର୍ଜା କେହି ବି କମ କରିପାରିବେନି । କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ ବଲିଉଡକୁ କେହି କୁଆଡେ ନେଇପାରିବେନି । ସିନେମା ଦିବାନା ବହୁତ ପରିଶ୍ରମରେ ଏହି ଦୁନିଆ ନିର୍ମାଣ କରିଛନ୍ତି । ଏହା ୧୦୦ ବର୍ଷ ପୁରୁଣା ଏବଂ ଏବେ ବି ଜାରି ରହିଛି । ନେତା ଏହି ବଲିଉଡକୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା କଥା ଚିନ୍ତା ନ କରନ୍ତୁ ବୋଲି ସେ କହିଛନ୍ତି । କଂଗ୍ରେସ ନେତା ଅଶୋକ ଚୌହାନ ମଧ୍ୟ ବିଜେପି ଉପରେ ଆରୋପ ଲଗାଇଛନ୍ତି । ବିଜେପି ୟୁପି ସରକାରଙ୍କ ନାଁରେ ବଲିଉଡକୁ ନେଇଯିବା ପାଇଁ କାହାଣୀ ପ୍ରସ୍ତୁତ କରୁଛି । ସେ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି ସରକାର ଆସିବା ପରେ ଅନେକ ଶିଳ୍ପ ସଂସ୍ଥା ଓ କାର୍ଯ୍ୟାଳୟକୁ ମୁମ୍ବାଇରୁ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶିବସେନା ସାଂସଦ ସଞ୍ଜୟ ରାୱତ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ରାୱତ ଯୋଗୀଙ୍କୁ କହିଛନ୍ତି, ସାଉଥରେ ବି ବଡ ଫିଲ୍ମ ଇଣ୍ଡଷ୍ଟ୍ରି ଅଛି । ପଞ୍ଜାବ ଓ ପଶ୍ଚିମବଙ୍ଗରେ ମଧ୍ୟ ଫିଲ୍ମ ସିଟି ଅଛି । ଯୋଗୀ ସେଠାକୁ ଯାଇ କଳାକାରଙ୍କ ସହ କଥାବାର୍ତ୍ତା କରିବେ ନା ମୁମ୍ବାଇରେ ହିଁ ଏହିସବୁ କରିବାକୁ ଚାହୁଁଛନ୍ତି । ମହାରାଷ୍ଟ୍ର ଆଜି ମଧ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ । ରାଜ୍ୟର କୌଣସି ଉଦ୍ୟୋଗ ବାହାରକୁ ଯିବନାହିଁ, ବରଂ ଅନ୍ୟ ରାଜ୍ୟର ଉଦ୍ୟୋଗପତି ମହାରାଷ୍ଟ୍ରରେ ଉଦ୍ୟୋଗ ସ୍ଥାପନ କରିବାକୁ ଆସିବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.