ନିଷ୍ଠା ଏବଂ ଆନ୍ତରିକତା ସଫଳତାର ଚାବିକାଠି

0 71

ଏବେ ହେଲମେଟ ଯାଞ୍ଚ କଡାକଡି ଓ ନିଷ୍ଠାର ସହ କରାଯାଉଛି । ସଞ୍ଜ ନଇଁବା ପରେ ମଧ୍ୟ ପୋଲିସ କର୍ମଚାରୀମାନେ ଏହି କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ତଥାପି କିଛି ଅମାନିଆ ହେଲମେଟ ପିନ୍ଧି ନଥିବାରୁ ଫାଇନ ଦେଉଥିବା ଦେଖିବାକୁ ମିଳିଛି । ନିୟମିତ ଭାବେ ହେଲମେଟ ଯାଞ୍ଚ ଓ ଜରିମାନା କରାଯିବା ଫଳରେ ଲୋକେ ହେଲମେଟ ପିନ୍ଧିବା ଅଭ୍ୟସ୍ତ ହୋଇଗଲେଣି । ଏବେ ରାଜଧାନୀରେ ହେଲମେଟ ଯାଞ୍ଚ କଡାକଡି ହେଉଥିବା ଜଣାଯାଇଛି । ଗତ ୧୦ ଦିନରେ ୯୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି । ପୁଅ ବାପାଙ୍କ ଦୁଇ ଚକିଆ ନେଇ ବିନା ହେଲମେଟରେ ଧରାପଡିଲେ ବାପାଙ୍କ ଗାଡି ନମ୍ବର ଆଧାରରେ ଚାଲାଣ କଟାଯାଉଥିବାରୁ ବାପା ବିଚରା ହଇରାଣ ହେଉଛି । ତାଙ୍କର ଡ୍ରାଇଭିଂ ଲାଇସେନ୍ସ ଅଯଥାରେ ବାତିଲ ହେଉଛି । ସ୍ତ୍ରୀଙ୍କ ନାମରେ ଗାଡି କିଣାଯାଇଥିଲେ ସେ ନ ଚଲାଇ ମଧ୍ୟ ଫାଇନ ଦେଉଛନ୍ତି । ଯାଞ୍ଚ ବେଳେ ଏ ସବୁ ଦିଗ ଉପରେ ନଜର ଦିଆଯିବା ଆବଶ୍ୟକ । ଜଣଙ୍କ ଗାଡି ଆଉ ଜଣେ ଚଳାଇ ପାରିବ ନାହିଁ ଏମିତି ନିୟମ ଅଛି କି? ସରକାରୀ ଗାଡି ତ ଡ୍ରାଇଭର ଚଳାଉଛି । ଡ୍ରାଇଭର ଦୁର୍ଘଟଣା କଲେ ଗାଡିରେ ବସିଥିବା ବାବୁଙ୍କ ନାମରେ କ’ଣ କେସ ହେଉଛି ? ତେଣୁ ଯିଏ ଡ୍ରାଇଭିଂ କରୁଛି ତାର ଡିଏଲ ବାତିଲ କରାଯିବା ଉଚିତ । ଦୋଷ ଯିଏ କରିଛି ଏବଂ ଆଇନକୁ ଯିଏ ଫାଙ୍କିଛି ସେହି ବ୍ୟକ୍ତି ଦଣ୍ଡ ପାଇବା ଦରକାର । ଯାହା ବି ହେଉ ପୋଲିସ ହେଲମେଟ ଯାଞ୍ଚ ବେଳେ ଯେତିକି ନିଷ୍ଠା ଓ ଆନ୍ତରିକତା ଦେଖାଉଛି ଅପରାଧିଙ୍କୁ ଧରିବାରେ ଯଦି ସେତିକି ନିଷ୍ଠା ଦେଖାନ୍ତେ ତାହାଲେ ବୋଧେ ଆଇନଶୃଙ୍ଖଳା ପରିସ୍ଥିତି ଏତେ ବିଗୁଡିନଥାନ୍ତା । ଯାହାବି ହେଉ ଆମ ଦେଶରେ ନିୟମିତ ଭାବେ କୌଣସି ଯାଞ୍ଚ ଏବଂ ଚଢାଉ କରାଯାଏ ନାହିଁ । ଝଡ ଆସିଲା ଭଳି ଯାଞ୍ଚ ଓ ଚଢଉ ହୁଏ, ତା’ପରେ ଅପେକ୍ଷା କରାଯାଏ ବଡ ଧରଣର ଅଘଟଣ ଘଟିବା ପର୍ଯ୍ୟନ୍ତ । ନିୟମିତ ଯାଞ୍ଚ ହେଲେ ଅପରାଧିକ କାର୍ଯ୍ୟକଳାପ କରିବା ପାଇଁ କେହି ବି ସାହାସ କରନ୍ତେ ନାହିଁ । ବର୍ଷକୁ ଥରେ ସରକାରୀ ବାବୁମାନେ ଦୁର୍ନୀତିି ନିବାରଣ ସପ୍ତାହରେ ଦୁର୍ନୀତି ନକରିବା ପାଇଁ ଶପଥ ନିଅନ୍ତି । ସପ୍ତାହଟି ବିତିଯିବା ପରେ ପୁଣି ସବୁ ଭୁଲି ଯାଆନ୍ତି । ନିୟମିତ ବ୍ୟବଧାନରେ ଯଦି ସମ୍ପତ୍ତି ଯାଞ୍ଚ ହେଉଥାନ୍ତା ତେବେ ପାଠକ ପରିବାର କ’ଣ ଏତେ ସମ୍ପତ୍ତି ଠୁଳ କରିପାରିଥାନ୍ତେ? ତାଙ୍କ ଚାକିରି ମାତ୍ର ଦୁଇ ବର୍ଷ ଥିଲା କୁଆଡେ । ଖୁବ ଭଦ୍ର, ମାର୍ଜିତ ଏବଂ ମିଷ୍ଟଭାଷୀ ଅଧିକାରୀ ଭାବେ ତାଙ୍କର କୁଆଡେ ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଏହି ପରିଚୟ ଆଢୁଆଳରେ ସେ ଏସବୁ କରୁଥିଲେ । ନିୟମିତ ବ୍ୟବଧାନରେ ହେଲମେଟ ଯାଞ୍ଚ ଚାଲିଛି, ତଥାପି ଧରାପଡୁଛନ୍ତି । ଯଦି ଛଅ ମାସକୁ ଥରେ ଯାଞ୍ଚ ହୁଅନ୍ତା ତାହାଲେ ନିଶ୍ଚୟ ଅଧିକ ପଡନ୍ତେ । ତେଣୁ ସବୁ କ୍ଷେତ୍ରରେ ନିୟମିତ ଯାଞ୍ଚ ହେଲେ କ’ଣ ଏଭଳି ଅସୁବିଧା ଉପୁଜନ୍ତା? ବ୍ଲକ, ତହସିଲ ଅଫିସରେ ଅଚାନକ ପହଞ୍ôଚ କାମ ପାଇଁ ଆସିଥିବା ଲୋକଟିକୁ ପଚରାଯାନ୍ତା- ଆଜ୍ଞା କ’ଣ ପାଇଁ ଆସିଛନ୍ତି? କେତେ ଦିନ ହେଲା ଆସୁଛନ୍ତି? ତାହାଲେ ସେ ଅଫିସରେ କିଭଳି କାମ ହେଉଛି ତାହା ଜଣାପଡନ୍ତା । ତେଣୁ ଏଥିରୁ ଜଣାପଡିଲା ଯେ, ନିଷ୍ଠା ଏବଂ ଆନ୍ତରିକତା ଦେଇ ଯଦି ସରକାରୀ ବାବୁ ମାନେ ଲୋକଙ୍କ ପାଇଁ କାମ କରିବେ ତେବେ ନିଶ୍ଚୟ ଆମ ଦେଶ ତଥା ରାଜ୍ୟର ଉନ୍ନତି ନିଶ୍ଚିତ ଘଟିବ, ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.