ସାଇବର ନିରାପତ୍ତା ଦେଶ ପାଇଁ ବଡ ଆହ୍ୱାନ : ରାଜନାଥ ସିଂହ

0 71

ନୂଆଦିଲ୍ଲୀ, ୧୦ ।୧୨: ସାଇବର ନିରାପତ୍ତା ଓ ସାମରିକ ଚିକିତ୍ସା ଆଜି ଆମ ପାଇଁ ବଡ ଆହ୍ୱାନ ହୋଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ଦଶମ ଆସିଆନ ପ୍ରତିରକ୍ଷାମନ୍ତ୍ରୀମାନଙ୍କ ବୈଠକରେ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରି ଶ୍ରୀ ସିଂହ କହିଛନ୍ତି ଯେ ଆସିଆନର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଓ ପରେ ସାମିଲ ହୋଇଥିବା ସଦସ୍ୟ ଦେଶମାନଙ୍କ ଉପରେ ଏକ ସଂଜ୍ଞାପତ୍ର ଗୃହୀତ କରିବା ମଧ୍ୟ ଅନ୍ୟତମ ଆହ୍ୱାନ ରହିଛି । ସେ କହିଛନ୍ତି ଜୈବ ଆତଙ୍କବାଦ ଦେଶଦେଶ ମଧ୍ୟରେ ସାମଗ୍ରୀ ଚୋରା ଚାଲାଣ ଏବଂ କରୋନା ସଂକ୍ରମଣ ଭଳି ସମସ୍ୟାଗୁଡ଼ିକର ମଧ୍ୟ ଆମକୁ ସମାଧାନ କରିବାକୁ ହେବ । ସେ କହିଛନ୍ତି ସଦସ୍ୟ ଦେଶଗୁଡ଼ିକର ସାମରିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆଇନ୍କାନୁନ ରକ୍ଷାକାରୀ ସଂସ୍ଥାଗୁଡ଼ିକୁ ସହଯୋଗ ଏ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ୱ ବହନ କରେ । ମନ୍ତ୍ରୀ କହିଛନ୍ତି ମୌଳିକ ସ୍ୱାଧୀନତା, ସମସ୍ତଙ୍କୁ ବିକାଶ ମଧ୍ୟରେ ସାମିଲ କରିବା ଓ ନିଜନିଜକୁ ଉନ୍ମତ୍ତ ରଖିବାରେ ଆମର ଭବିଷ୍ୟତ ଅଧିକ ଉଜ୍ୱ୍ୱଳ ହେବ । ଶ୍ରୀ ସିଂହ କହିଛନ୍ତି ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ସନ୍ତ୍ରାସବାଦ ଭଳି ବିପଦଗୁଡ଼ିକର ମୁକାବିଲା ମଧ୍ୟ ଆମ ପାଇଁ ସର୍ବଦା ଆହ୍ୱାନ ହୋଇରହିଛି । ଏଥିସହିତ କୋଭିଡ-୧୯ ଭଳି ଏକ ବିଶ୍ୱବ୍ୟାପୀ ସଂକ୍ରମଣ ସମଗ୍ର ବିଶ୍ୱର ଜୀବନଶୈଳୀରେ ପରିବର୍ତ୍ତନ ଆଣିଦେବା ସହ ମାନବ ଜାତି ପାଇଁ ଅନେକ ଅସୁବିଧା ସୃଷ୍ଟି ହୋଇଛି । ସେ କହିଛନ୍ତି ଏହାର ଏପର୍ଯ୍ୟନ୍ତ କୌଣସି ସମାଧାନ ନହୋଇ ପାରିବା ମଧ୍ୟ ସମଗ୍ର ବିଶ୍ୱ ପାଇଁ ଦୁର୍ଭାଗ୍ୟଜନକ । ସେ ଦୃଷ୍ଟିରୁ ବିଶ୍ୱ ଅର୍ଥନୀତି କିଭଳି ଅଗ୍ରଗତି ପଥରେ ଆଗେଇ ଚାଲିବା ତାହା ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । କରୋନା ପରବର୍ତ୍ତୀ ସମୟରେ ସମସ୍ତେ ଯେପରି ସମାନ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ପ୍ରତ୍ୟେକ ଦେଶର ଦାୟିତ୍ୱ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି । କରୋନା ଯୋଗୁଁ ଆମର ସ୍ୱାସ୍ଥ୍ୟ ମୌଳିକ ଢ଼ାଞ୍ଚାରେ ଆମୂଳଚୂଳ ପରିବର୍ତ୍ତନ ଅଣାଯାଇଛି ଓ ସମସ୍ତଙ୍କୁ ଯେପରି ସହଜରେ ଓ ଶସ୍ତାରେ ପ୍ରତିଷେଧକ ମିଳିପାରିବ ସେ ଦିଗରେ ପଦକ୍ଷେପ ନିଆଯାଇଛି । ଏହାବ୍ୟତୀତ ଲୋକମାନଙ୍କୁ ସୁବିଧାରେ ଔଷଧପତ୍ର ଯୋଗାଇବା ଓ ଯୋଗାଣ ଶୃଙ୍ଖଳମାନ ସୃଷ୍ଟି କରିବା ମଧ୍ୟ ଆମ ପାଇଁ ଅପରିହାର୍ଯ୍ୟ ହୋଇପଡିଛି । ମନ୍ତ୍ରୀ କହିଛନ୍ତି କୋଭିଡ-୧୯ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାରୁ ଏହାର ମୁକାବିଲା ପାଇଁ ସାମୁହିକ ଉଦ୍ୟମ ଅତ୍ୟନ୍ତ ଜରୁରୀ । ସେ କହିଛନ୍ତି ଆମର ଆସିଆନ ବନ୍ଧୁ ରାଷ୍ଟ୍ରଗୁଡ଼ିକର ଏ କ୍ଷେତ୍ରରେ ଉଦ୍ୟମକୁ ଆମେ ସ୍ୱାଗତ କରୁଛୁ । ସେ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ ଆହ୍ୱାନ ହୋଇପଡିଥିବାରୁ ଆମକୁ ସବୁସ୍ତରରେ ଉଦ୍ୟମ ଅବ୍ୟାହତ ରଖିବାକୁ ପଡିବ । କରୋନାର ଦୃଢ଼ ମୁକାବିଲା କରୁଥିବା ସମସ୍ତ ସଂଗଠନ ଓ ସଂସ୍ଥାର ଉଦ୍ୟମ ପ୍ରଶଂସନୀୟ । ଆସିଆନ ଏଡିଏମଏମ ପ୍ଲସ୍ ଆସିଆନ ଦେଶ ଓ ଏହାର ୮ଟି ଭାଗିଦାର ରାଷ୍ଟ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ସାବ୍ୟସ୍ତ ହୋଇଛି । ସେହି ୮ଟି ଦେଶ ମଧ୍ୟରେ ଅଷ୍ଟ୍ରେଲିଆ, ଚୀନ୍, ଭାରତ, ଜାପାନ, ନ୍ୟୁଜିଲାଣ୍ଡ, କୋରିଆ, ରୁଷ୍ ଓ ଆମେରିକା ରହିଛି । ଏହି ଅଞ୍ଚଳର ଶାନ୍ତି, ସ୍ଥିରତା ଓ ବିକାଶ ପାଇଁ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଦିଗରେ ଏଡିଏମଏମ-ପ୍ଲସ୍ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

Leave A Reply

Your email address will not be published.