ଇସ୍ତଫା କାର୍ଡ ଖେଳିଲା ବିଜେପିର ସହଯୋଗୀ ଜେଜେପି

0 67

ଚଣ୍ଡିଗଡ଼, ୧୧ ।୧୨: ଚାଷୀଙ୍କୁ ମନେଇବା ପାଇଁ ଇସ୍ତଫା କାର୍ଡ ଖେଳିଛି ବିଜେପିର ହରିଆଣାର ସହଯୋଗୀ ଜେଜେପି । ବିଜେପି ଓ ଜେଜେପି ମିଳିତ ଭାବେ ହରିଆଣାରେ ସରକାର ଗଠନ କରିଛନ୍ତି । ଏଥିପାଇଁ ଜେଜେପିର ଦୁଷ୍ୟନ୍ତ ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । ତେବେ ସେ ଆଜି ଏହି ପଦରୁ ଦରକାର ପଡ଼ିଲେ ଇସ୍ତଫା ଦେଇଦେବେ ବୋଲି କହି ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି । ସେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କରେ କହିଛନ୍ତି ଯେ ଆମ ଦଳର ଜାତୀୟ ସଭାପତି ପୂର୍ବରୁ କହି ସାରିଛନ୍ତି ଯେ ଚାଷୀଙ୍କ ପାଇଁ ଏମଏସପି ବଳବତ୍ତର ରହିବ । କେନ୍ଦ୍ର ସରକାର ଚାଷୀଙ୍କୁ ପଠାଇଥିବା ପ୍ରସ୍ତାବରେ ଲିଖିତ ଭାବେ ଏମଏସପି ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଯାଏ, ଚାଷୀଙ୍କୁ ଏମଏସପି ଯେମିତି ମିଳୁଥିବ, ତା’ର ବ୍ୟବସ୍ଥା କରିବି । ଚାଷୀଙ୍କ ଏମଏସପି କେବେ ହେଲେ ବନ୍ଦ ହେବନାହିଁ । ଯେଉଁଦିନ ମୁଁ ଚାଷୀଙ୍କୁ ଏମଏସପିକୁ ସୁରକ୍ଷା ଯୋଗାଇ ପାରିବି ନାହିଁ, ସେଦିନ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବି । ମୋର ଆଶା ଚାଷୀମାନେ ଏବେ ଆନ୍ଦୋଳନ ପ୍ରତ୍ୟାହାର କରିବେ । ସେମାନଙ୍କୁ ଭାବିବା ଦରକାର ଯେ କେନ୍ଦ୍ର ସରକାର ଏମଏସପି ଓ ଅନ୍ୟାନ୍ୟ ଦାବି ଉପରେ ଲିଖିତ ଭାବେ ପ୍ରତିଶ୍ରୁତି ଦେବାକୁ ରାଜି ଅଛନ୍ତି । ଏହା ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କର ଏକ ବିରାଟ ବିଜୟ । ନୂଆ କୃଷି ଆଇନ ବିରୋଧରେ ସର୍ବପ୍ରଥମେ ପଞ୍ଜାବ ଓ ହରିଆଣାରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଶତାଧିକ ଚାଷୀ ଏକାଠି ହୋଇ ଦିଲ୍ଲୀ ଚଲୋ ଯାତ୍ରା ଆରମ୍ଭ କରିଥିଲେ । ଇତି ମଧ୍ୟରେ ସେମାନେ ୧୬ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏଯାଏ ଚୁପ ରହିଥିବା ଦୁଷ୍ୟନ୍ତ ଚୌତଲା ଆଜି ହଠାତ୍ ଇସ୍ତଫା ଦେଇଦେବେ ବୋଲି କହି ଚାଷୀଙ୍କ ସହ ସିଏ ଅଛନ୍ତି ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଛନ୍ତି ।

Leave A Reply

Your email address will not be published.