ଗଜପତିରୁ ଅପହୃତ ବାଳକ ଘଟଣା ୪୮ଘଣ୍ଟା ପୁରିବାକୁ ଯାଉଛି

0 61

ତଥାପି କୌଣସି ସୁରାକ ମିଳି ନାହିଁ


ପାରଳାଖେମୁଣ୍ଡି,୧୮ା୧୨ -ଗଜପତି ଜିଲ୍ଲାର କାଶୀନଗର ଏନ୍ଏସିର ମଣ୍ଣିଙ୍ଗ ସାହି ଠାରେ ନିଜ ସାଥୀଙ୍କ ସହ ଖେଳୁଥିବା ବେଳେ ୨ଜଣ ଦୁବୃତ୍ତଙ୍କ ଦ୍ୱାରା ୭ବର୍ଷ ବାଳକର ଅପହୃତ ଘଟଣା ୪୮ ଘଣ୍ଟା ବିତିବାକୁ ଯାଉଛି । ତଥାପି ଏହି ଘଟଣାର ବର୍ତ୍ତମାନ ସୁଦ୍ଧା କୌଣସି ସୁରାକ ମିଳି ନାହିଁ । ଏ ନେଇ ବାଳକର ପିତା ମାତା,ପରିବାର ବର୍ଗ ଏବଂ କାଶୀନଗର ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି । ପ୍ରକାଶ ଯେ,ମଣ୍ଣିଙ୍ଗ ସାହିର କାଜୁ ବ୍ୟବସାୟୀ ଜାମି.ଗୋପୀଙ୍କ ପୁଅ ଜାମି.ହାର୍ଦ୍ଦିକକୁ ବୁଧବାର ସଂଧ୍ୟାରେ ୨ଜଣ ଦୁବୃତ୍ତ ମୋଟର ସାଇକେଲ ଯୋଗେ ବାଳକର ପିତାଙ୍କ ପରିଚୟ ପଚାରି ଅପହୃତ କରି ନେଇଥିଲେ । ଏହି ଘଟଣା ଜାଣିବା ପରେ କାଶୀନଗର ପୋଲିସଙ୍କ ସହ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ବାଳକଟିର ସନ୍ଧାନ ଓ ଅପହୃତଙ୍କୁ ଗିରଫ ପାଇଁ କଡା ପଦକ୍ଷେପ ନିର୍ଦ୍ଦେଶ ଦେଇଥିଲେ । ଏଥିନେଇ ଗତକାଲି ଠାରୁ ୪ଗୋଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଗଜପତି,ରାୟଗଡା ଜିଲ୍ଲା ଓ ପଡୋଶୀ ଆନ୍ଧ୍ରରେ ବ୍ୟାପକ ତଦନ୍ତ ଜାରି ରଖିଛନ୍ତି । ସମସ୍ତ ଅଞ୍ଚଳର ସିସି ଟିଭି ଫୁଟେଜର ମଧ୍ୟ ସନ୍ଧାନ ନିଆଯାଇଛି । ତଥାପି ଏହି ଘଟଣାର କୌଣସି ସୁରାକ ମିଳିପାରି ନାହିଁ । ଅନ୍ୟ ପକ୍ଷରେ ଅପହୃତ ବାଳକର ପିତା ଜଣେ କାଜୁ ବ୍ୟବସାୟୀ ଅଟନ୍ତି । ବ୍ୟବସାୟୀକ ଶତୃତା କାରଣ କିମ୍ବା ମୋଟା ଟଙ୍କା ଆଦାୟ ଉଦ୍ଦେଶ୍ୟ ନେଇ ବାଳକଟିକୁ ଅପହରଣ କରାଯାଇଥିଲେ,ଅପହରଣକାରୀମାନେ କୌଣସି ଫୋନକଲ୍ ଦ୍ୱାରା ସେମାନଙ୍କ ଦାବିର ସୁଚନା ପହଞ୍ଚିବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ଏପରି କୌଣସି କଲ୍ ବାଳକର ପିତାଙ୍କ ନିକଟକୁ ଆସି ନ ଥିବା ସେ କହିଛନ୍ତି । ତଥାପି ପୋଲିସର ବ୍ୟାପକ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.