ଆଫଗାନିସ୍ଥାନରୁ ଧରାହେଲେ ୧୦ ଚୀନ୍ ଗୁପ୍ତଚର

0 73

କାବୁଲ୍, ୨୫ ।୧୨: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି । ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍ ନାଗରିକଙ୍କୁ ଆଫଗାନିସ୍ତାନର “ନ୍ୟାସ୍ନାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି’ (ଏନ୍ଡିଏସ୍) ଅଟକ ରଖିଛି । ସେମାନେ ଚୀନ୍ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସଂପୃକ୍ତ ଥିବା ପରି ମନେହେଉଛି । ଡିସେମ୍ବର ୧୦ ତାରିଖ ଦିନ “ଏନ୍ଡିଏସ୍’ ସେମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା । ଧରାପଡ଼ିଥିବା ୧୦ଜଣ ଚୀନ୍ ନାଗରିକଙ୍କ ମଧ୍ୟରୁ ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ସଙ୍ଗଠନ “ହାକ୍ୱିନି ନେଟ୍ୱାର୍କ’ ସହ ସମ୍ପର୍କ ରଖିଥିବା କଥା କାବୁଲରେ ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି । ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କୁ ଅବଗତ କରାଯିବା ପରେ ସେ ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍ଙ୍କୁ ଏହି ଘଟଣା ତଦନ୍ତ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବା ସହ ଚୀନ୍ ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଅମରୁଲ୍ଲା ଆଫ୍ଗାନ ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଥିଲେ । ସେ ମଧ୍ୟ କାବୁଲସ୍ଥିତ ଚୀନ୍ର ରାଷ୍ଟ୍ରଦୂତ ୱାଙ୍ଗ୍ ଉ’ଙ୍କ ସହ ଏକ ବୈଠକ କରି ଅଟକ ଚୀନା ନାଗରିକମାନଙ୍କ ପ୍ରସଙ୍ଗରେ ସୂଚନା ଦେଇଛନ୍ତି । ବେଜିଙ୍ଗ୍ ଯଦି ଔପଚାରିକ କ୍ଷମାପ୍ରାର୍ଥନା କରିବା ସହ ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ଏବଂ କାବୁଲ ପ୍ରତି ବିଶ୍ୱାସଘାତକତା କରିଥିବା ସ୍ୱୀକାର କରେ, ତେବେ ଆଫଗାନ ସରକାର ଚୀନା ଗୁପ୍ତଚରମାନଙ୍କୁ କ୍ଷମା ଦେବା କଥା ବିଚାର କରିପାରନ୍ତି ବୋଲି ସାଲେହ୍ ତାଙ୍କୁ କହିଛନ୍ତି ।

Leave A Reply

Your email address will not be published.