ଆଖି ଖୋଲିଦେଲା କରୋନା

0 62

କରୋନା ଭାଇରସ୍ ୨୦୨୦ ବର୍ଷସାରା ସମଗ୍ର ବିଶ୍ୱକୁ ଛଟପଟ୍ କଲା । ଏହି ମହାମାରୀରେ ଲକ୍ଷାଧିକ ଲୋକ ପୋକମାଛି ଭଳି ପ୍ରାଣ ହରାଇବା ସହିତ କୋଟି କୋଟି ଲୋକ ଆକ୍ରାନ୍ତ ହୋଇ ତ୍ରାହି ତ୍ରାହି ଡାକିଲେ । ଗରିବଠାରୁ ଆରମ୍ଭକରି ଧନୀ ପର୍ଯ୍ୟନ୍ତ କାହାକୁ ଏହି ମହାମାରୀ ଛାଡ଼ିଲା ନାହିଁ । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉନ୍ନତ ଚିକିତ୍ସା ବିଜ୍ଞାନ କିଛି କାମ ଦେଲାନି । କିଭଳି ଏହି ବିପଦରୁ ମୁକୁଳିବେ ଚାରିଆଡେ ଶୁଭିଲା ଖାଲି ତ୍ରାହି ତ୍ରାହି ଡାକ । ଜୀବନ ବଞ୍ଚାଇବା ଲାଗି ଭାରତ ସମେତ ବିଭିନ୍ନ ଦେଶ ଲକ୍ଡାଉନ୍ ଓ ସଟ୍ଡାଉନ୍ର ଆଶ୍ରୟ ନେଲେ । ସାଧାରଣ ଜୀବନଯାତ୍ରା ଠପ୍ ହୋଇଗଲା । ଦୋକାନବଜାର, ଶିଳ୍ପାନୁଷ୍ଠାନ, ଅଫିସ୍, ଶିକ୍ଷାନୁଷ୍ଠାନ ସବୁ ବନ୍ଦ ହୋଇଗଲା । ଭଗବାନଙ୍କ ଘର କୁହାଯାଉଥିବା ମନ୍ଦିର, ମସଜିଦ୍, ଗୀର୍ଜା ଓ ଗୁରୁଦ୍ୱାର ଭଳି ଧର୍ମାନୁଷ୍ଠାନରେ ତାଲା ଝୁଲିଲା । ରାସ୍ତାରେ ମୋଟରଯାନ ଗଡ଼ିଲାନି, କି ଆକାଶରେ ବିମାନ ଉଡିଲାନି । ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସମଗ୍ର ବ୍ରହ୍ମାଣ୍ଡକୁ ଅକ୍ତିଆର କରିଛି ବୋଲି ବାହାସ୍ଫୋଟ୍ ମାରୁଥିବା ମଣିଷ ଏହି ଭୂତାଣୁ ଆଗରେ ଅସହାୟ ହୋଇପଡ଼ିଲା । ଏମିତି ଏକ ଅସହାୟ ଅବସ୍ଥାରେ ମଣିଷକୁ ଛାଡ଼ି ବିଦାୟ ନେଇଛି ୨୦୨୦ । ୨୦୨୧ରେ ଏହି ମହାମାରୀ ସମଗ୍ର ବିଶ୍ୱରୁ କିଭଳି ଅପସରି ଯିବ ସେଥିପାଇଁ ନିଜର ଆତ୍ମବଡିମା ଛାଡ଼ି ଭଗବାନଙ୍କ ନିକଟରେ ଶରଣାପନ୍ନ ହୋଇଛି ମଣିଷ । ଆମେ ଚନ୍ଦ୍ରପୃଷ୍ଠରେ ପାଦ ଦେବା ସହିତ ଚିକିତ୍ସା ବିଜ୍ଞାନରେ ଖୁବ୍ ଉନ୍ନତ ବୋଲି ଫୁଟାଣି ମାରୁଥିବା ମଣିଷ ଏବେ ନିଷ୍କ୍ରିୟ ହୋଇପଡ଼ିଛି । ଏଥିପାଇଁ ଅନେକ ଲୋକ ୨୦୨୦କୁ ଅଭିଷପ୍ତ ବର୍ଷ ବୋଲି କହିବାକୁ ପଛାଉନାହାନ୍ତି । କିନ୍ତୁ ବାସ୍ତବରେ ଦେଖିôବାକୁ ଗଲେ ଏହିବର୍ଷ ଥିଲା ଛଦ୍ମବେଶରେ ଆଶୀର୍ବାଦର ବର୍ଷ । କରୋନା ଭଳି ଛୋଟିଆ ଭୂତାଣୁ ଆଗରେ ମଣିଷ କେତେ ଅସହାୟ ତାହା ଜଣାପଡ଼ିଗଲା । ଅର୍ଥନୀତି, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ବିଜ୍ଞାନରେ ଆମେ କେତେ ପଛୁଆ, ତାହାର ନଗ୍ନ ରୂପ ଦେଖାଇଦେଲା କରୋନା । ଅର୍ଥନୀତି ଭୁଶୁଡି ପଡ଼ିଲା, ୧୨କୋଟି ଲୋକ ରୋଜଗାର ହରାଇଲେ । ମଣିଷର ଗର୍ବ, ଅହଂକାର ସବୁ ଚୁର୍ମାର୍ ହୋଇଗଲା । ଆମେ ଆଧୁନିକ ବିଜ୍ଞାନରେ ଅନେକ ଉନ୍ନତି କରିଛୁ ବୋଲି ବାହାସ୍ଫୋଟ ମାରୁଥିବା ମଣିଷ ଶେଷରେ ସେହି ପ୍ରାଚୀନ ଆୟୁର୍ବେଦ ପରମ୍ପରାକୁ ଆପଣାଇବା ପାଇଁ ବାଧ୍ୟ ହେଲା । କରୋନା ଆମକୁ ଅନେକ ନୂଆ ତଥ୍ୟ ଶିଖାଇବା ସହିତ ପୁରୁଣା କଥାର ଗୁରୁତ୍ୱକୁ ମଧ୍ୟ ହୃଦୟଙ୍ଗମ କରିବା ପାଇଁ ବାଧ୍ୟ କରିଛି । ବାୟୁ ଏବଂ ଜଳ ପ୍ରଦୂଷଣ ହାର ହ୍ରାସ ପାଇଛି । ବସ୍ତୁବାଦ ପଛରେ ଧାଉଁଥିବା ମଣିଷ ଶେଷରେ ନିଜ ଲୋକଙ୍କ ଗହଣରେ ରହିବାକୁ ବାଧ୍ୟ କରିଛି ଏହି କରୋନା । ଏଥିସହିତ କିଭଳି କମ୍ ଲୋକରେ ଡିଜିଟାଲ ମାଧ୍ୟମରେ ଅଫିସ୍ ଓ ବ୍ୟବସାୟ ପରିଚାଳନା କରିହେବ ତାହା ମଧ୍ୟ ଏହି ମହାମାରୀ ଶିଖାଇ ଦେଇଛି । ଅର୍ଥନୀତି ଓ ସ୍ୱାସ୍ଥ୍ୟସେବା ପରିଚାଳନା କ୍ଷେତ୍ରରେ ଆମେ କେତେ ପଛୁଆ ଅଛେ, ଆମର ଏହିସବୁ ଦୁର୍ବଳତାକୁ ପଦାରେ ପକାଇଦେଲା ଏହି ମହାମାରୀ । କୋଭିଡ୍ ଭଳି ବିଶ୍ୱ ମହାମାରୀ ସଂକଟର ମୁକାବିଲା ଲାଗି ଆମର ପ୍ରଚଳିତ ବ୍ୟବସ୍ଥା ଯଥେଷ୍ଟ ନୁହେଁ । ଏ ଦିଗରେ ଅଧିକ ଗବେଷଣା ଓ ଆତ୍ମଚିନ୍ତନର ଆବଶ୍ୟକତା ରହିଛି ବୋଲି ମଧ୍ୟ ମଣିଷ କରୋନାଠାରୁ ଶିକ୍ଷାଲାଭ କଲା । ଭଗବାନଙ୍କୁ ତୁଚ୍ଛ ମଣୁଥିବା ଅହଂକାରୀ ମଣିଷ ଏହି ବିପଦ ସମୟରେ ଭଗବାନଙ୍କ ଶରଣାପନ୍ନ ହେବା ପାଇଁ ସତେ ଯେମିତି ବାଧ୍ୟ ହେଲା ।

Leave A Reply

Your email address will not be published.