ଲୋନ୍ ଆପ୍ ସ୍କାମ୍

0 69

ଭାରତୀୟ ପ୍ରେମିକା ପାଇଁ ଧରାପଡ଼ିଲା ଚାଇନା ଠକ

ନୂଆଦିଲ୍ଲୀ: ବେଆଇନ୍ ଲୋନ୍ ଆପ୍ ଦ୍ୱାରା ଠକେଇ କରି ସ୍ୱଦେଶ ଫେରିଯିବା ଲକ୍ଷ୍ୟରେ ଥିବା ଚାଇନାର ନାଗରିକ ଡିସେମ୍ୱର ୩୦ରେ ଗିରଫ ହୋଇଛି । ରାଜଧାନୀ ଦିଲ୍ଲୀରୁ ବିମାନ ଯୋଗେ ଫ୍ରାଙ୍କଫ୍ରଟ୍ ଯିବାକୁ ଯୋଜନା କରିଥିଲା ଚାଇନାର ନାଗରିକ ଝୁ ୱେଇ ଓରଫ୍ ଲମୱୋ । (୨୭) । ଏହି ଠକ ଭାରତରେ ବେଆଇନ୍ ଲୋନ୍ ଆପକୁ ସକ୍ରିୟ କରିବା ପଛରେ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି । ଲମ୍ୱୋର ସାଙ୍ଗ ଭାରତୀୟ ନାଗରିକ ନାଗରାଜୁକୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ରହିଛି । ବିମାନ ବନ୍ଦର ଅଭିମୁଖେ ଯାଉଥିଲା ବେଳେ ଲମ୍ୱୋ ଗିରଫ ହୋଇଛି ।
ଭାରତରେ ବେଆଇନ୍ ଆପକୁ ସକ୍ରିୟ କରିବା ପଛରେ ଆଉ ଜଣେ ମାଷ୍ଟର ମାଇଣ୍ଡ ରହିଛି । ଯିଏକି ବିଦେଶରେ ରହି ଲମ୍ୱୋ ଦ୍ୱାରା ଠକେଇ କରୁଥିଲା । ଲମ୍ୱୋର ଭାରତରେ କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ । ତା’ର ପାରିଶ୍ରମିକ ଓ ଦୈନନ୍ଦିନ ଖର୍ଚ୍ଚ ଅନ୍ୟ ଉପାୟରେ ତା’ ହାତକୁ ଆସୁଥିଲା । ପୁଲିସ ତଦନ୍ତ କରି ଏହା ଜାଣିବାକୁ ପାଇଛି । ତେବେ ଭାରତରେ ଏହି ବେଆଇନ୍ କାରବାର କରିବା ବେଳେ ଲମ୍ୱୋ କୌଣସି ପ୍ରମାଣ ରଖିନଥିଲା । ହେଲେ ଗୋଟିଏ ଭୁଲ୍ ତା’ର ସମସ୍ତ ପ୍ଲାନକୁ ଭଣ୍ଡୁର କରିଛି । ଯାହାକି ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି । ହାଇଦ୍ରାବାଦରେ ଅଧିକାଂଶ ବ୍ୟକ୍ତି ଏହି ବେଆଇନ୍ ଲୋନ୍ ଆପ ଜରିଆରେ ଋଣ ନେଇ ଆତ୍ମହତ୍ୟା କରିବା ପରେ ପୁଲିସ ଖୋଳତାଡ କରିଥିଲା । ପରେ ଜଣାପଡ଼ିଥିଲା ଏହି ଲୋନ୍ ଆପ୍ ଆରବିଆଇ ନିୟମକୁ ଉଲ୍ଲଂଘନ କରୁଥିଲା । ଏଥିସହ ବେଆଇନ୍ ସୁଧ ଆଦାୟ କରୁଥିଲା । ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ୍ କରିବା ପରେ ଲମ୍ୱୋ ବାବଦରେ ସୂଚନା ମିଳିଥିଲା । ପୁଲିସ ଏମାନଙ୍କୁ ଗିରଫ କରିବା ପରେ ଲମ୍ୱୋ ନିଖୋଜ ହୋଇଯାଇଥିଲା । ଦିଲ୍ଲୀ ବିମାନ ବନ୍ଦର ପାଖରେ ଲମ୍ୱୋ ପହଞ୍ଚିବା ପରେ ପୁଲିସ ପୂର୍ବ ଯୋଜନାମୁତାବିକ ତାକୁ ଗିରଫ କରିଥିଲା । ଜେରା ବେଳେ ଲମ୍ୱୋ ଲୋନ୍ ଆପ ବାବଦରେ କିଛି ଜାଣିନଥିବା କହିଥିଲା । ହେଲେ ପୁଲିସ ତା ପାଖରେ ଥିବା ଲାପଟପ୍ ଖୋଲିବା ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା । ହାଇଦ୍ରାବାଦ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲମ୍ୱୋ ସାତୋଟି କଲ ସେଣ୍ଟର ଚାରୋଟି କମ୍ପାନୀ ଅଧୀନରେ ଖୋଲିଥିଲା । ଆଉ ସେ ହିଁ କମ୍ପାନୀ ଚଳାଉଥିଲା । ଏହି କମ୍ପାନୀର କଲ ସେଣ୍ଟର ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରହିଛି । ଏହି କଲ୍ ସେଣ୍ଟର ଆପ୍ ଜରିଆରେ ଲୋନ୍ ଦେଉଥିଲା ବୋଲି ଜଣାପଡ଼ିଥିଲା । ପୁଲିସ ଏହି କଲ ସେଣ୍ଟରରେ ଚଢ଼ାଉ କରିବା ବେଳେ ଜଣେ କର୍ମଚାରୀ ଲମ୍ୱୋର ଜଣେ ଭାରତୀୟ ପ୍ରେମିକା ଥିବା କଥା କହିଥିଲେ । ଲମ୍ୱୋ ସେହି ମହିଳାଙ୍କ ଦ୍ୱାରା ଦେଶରେ ନିଜ ବେଆଇନ କାରବାରକୁ ସକ୍ରିୟ ରଖିଥିବା କର୍ମଚାରୀ ଜଣଙ୍କ କହିଥିଲେ । ଏହାପରେ ପୁଲିସ ଲମ୍ୱୋର ପ୍ରେମିକାକୁ ଅଟକ ରଖିଥିଲା । ସେ ବ୍ୟବହାର କରୁଥିବା ମୋବାଇଲରେ ଲମ୍ୱୋର ଏକ ପାସପୋର୍ଟର ଫୋଟୋ ଦେଖିବାକୁ ପାଇଥିଲା । ଯେଉଁଥିରେ ଲମ୍ୱୋ ଚାଇନାର ନାଗରିକ ବୋଲି ଜଣାପଡ଼ିଥିଲା । ପ୍ରେମିକା ଜଣଙ୍କ ଲମ୍ୱୋର ଗତିବିଧି ବାବଦରେ କହିଥିଲା । ଆଉ ପୁଲିସ ଦିଲ୍ଲୀ ବିମାନ ବନ୍ଦରରେ ଲମ୍ୱୋକୁ ଅଟକ ରଖିଥିଲା । ସେ ଇଂରାଜୀ ଜାଣିନଥିବା କହିବା ପରେ ଗୁଗୁଲ ଟ୍ରାନସଲେଟର ଜରିଆରେ ତାକୁ ଦିଲ୍ଲୀ ପୁଲିସ ଜେରା କରିଥିଲା । ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ୧.୪ କୋଟି ଥର ଟ୍ରାଞ୍ଜାକସନରେ ୨୧,୦୦୦ କୋଟି ଟଙ୍କାର ନେଣଦେଣ ହୋଇଛି । ପେମେଣ୍ଟ ଗେଟୱେ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି କାରବାର ହୋଇଛି । ବିଟକଏନ୍ ମାଧ୍ୟମରେ ବହୁ ଅନ୍ତର୍ଜାତୀୟ କାରବାର ହୋଇଛି ।

Leave A Reply

Your email address will not be published.