ଏକଜୁଟ୍ ହେବାର ସମୟ

0 74

କୃଷକମାନେ ନିଜ ହକ୍ ନେଇ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିଜର ଅହୋରାତ୍ର ଧାରଣା ଜାରି ରଖିଛନ୍ତି । ପ୍ରବଳ ଶୀତ, କାକରରେ କୃଷକମାନେ ଯେଭଳି ଆନ୍ଦୋଳନ କରୁଛନ୍ତି ତାହା ଭାବିଲେ ପ୍ରତିଟି ଭାରତୀୟଙ୍କ ମନ ଶିହିରି ଉଠେ । କିନ୍ତୁ ଏସବୁ ଭିତରେ କିଛି ଅସାମାଜିକ ତତ୍ତ୍ୱ ଦେଖାଦେଉଛି ଯାହାକୁ ନେଇ କୃଷକଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । କୃଷକଙ୍କ ଆନ୍ଦୋଳନ ସମୟରେ ପଞ୍ଜାବରେ ମୋବାଇଲ୍ ଟାୱାର ଭଙ୍ଗାରୁଜା ଘଟଣା ସେଥିମଧ୍ୟରୁ ଗୋଟିଏ । ଏହି ଆନ୍ଦୋଳନ ପଛରେ ଦୁଷ୍କର୍ମକାରୀ ଉପାଦାନ ଥିବା ସନ୍ଦେହକୁ ଆହୁରି ଗଭୀର କରିଦିଏ । ଏହା ବୋଧହୁଏ ପ୍ରଥମ କୃଷକ ଆନ୍ଦୋଳନ, ଯାହା ମାଧ୍ୟମରେ ଜାତୀୟ ସମ୍ପତ୍ତିକୁ ନଷ୍ଟ କରିବା ସହ ପଞ୍ଜାବରେ ଦେଢ଼଼ ହଜାର ମୋବାଇଲ୍ ଟାୱାର ଗୋଟିଏ ପରେ ଗୋଟିଏ ଧ୍ୱଂସ ହୋଇଯାଇଛି । କିଛି ମୋବାଇଲ୍ ଟାୱାରକୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବି ଜଣାପଡ଼ିଛି । ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୋବାଇଲ୍ ଟାୱାରକୁ ଟାର୍ଗେଟ ନକରିବାକୁ ନିବେଦନ କରିଥିଲେ ଏବଂ ପରେ ଆନୁଷ୍ଠାନିକ ଭାବେ ଚେତାବନୀ ଦେଇଥିଲେ । ପୋଲିସର ନିଷ୍କ୍ରିୟତାକୁ ନେଇ ରିଲାଏନ୍ସ ଜିଓ ବି ଅଭିଯୋଗ କରିଥିଲା । କିନ୍ତୁ ବାସ୍ତବିକ ଯଦି ମୁଖ୍ୟମନ୍ତ୍ରୀ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ତାହେଲେ ଆଜି ଏଭଳି ଅବସ୍ଥା କମ୍ସେ କମ୍ ସାଧାରଣ ଲୋକ ଭୋଗିନଥାନ୍ତେ । ଯଦି କ୍ଷମତାରେ ଥିବା ଲୋକମାନେ ସଂକୀର୍ଣ୍ଣ ସ୍ୱାର୍ଥ ନେଇ ନିଜର ରାଜଧର୍ମକୁ ଅବହେଳା କରିବେ, ତେବେ କେବଳ ଅରାଜକତା ସୃଷ୍ଟି ହେବ ନାହିଁ, ବରଂ ଅନ୍ୟାନ୍ୟ ପ୍ରକାରର ବିପର୍ଯ୍ୟୟ ମଧ୍ୟ ଘଟିବ । ଚାଷୀମାନେ ଆନ୍ଦୋଳନ କରିବାରେ କିଛି ଅସୁବିଧା ନାହିଁ । ପ୍ରତ୍ୟେକ ବର୍ଗର ଲୋକ ଯେତେବେଳେ କି ସେମାନେ ସମାଜ କିମ୍ବା ସରକାରଙ୍କ ଦ୍ୱାରା ଅସୁବିଧା ଭୋଗ କରନ୍ତି ସେତେବେଳେ ସେମାନେ ସ୍ୱର ଉତ୍ତୋଳନ କରିଥାନ୍ତି । କିନ୍ତୁ ଗୋଟିଏ ବର୍ଗ ନିଜର ସ୍ୱାର୍ଥ ପାଇଁ ଅନ୍ୟ ବର୍ଗକୁ କ୍ଷତି ପହଞ୍ଚାଇବା କେତେ ଯୁକ୍ତିଯୁକ୍ତ ତାହା ଆପଣମାନେ ବିଚାର କରନ୍ତୁ । ସେହପରି କିଛି ରାଜନୈତିକ ଦଳ ନିଜର ରାଜନୈତିକ ରୋଟି ସେକିବା ପାଇଁ କୃଷକଙ୍କୁ ଏବେ ପ୍ରମୁଖ ଅସ୍ତ୍ର କରିଛନ୍ତି । ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଭ୍ରାନ୍ତିକର ଖବର ପ୍ରଚାର କରି ଜନମାନସରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିବା ଚକ୍କରରେ ରହିଛନ୍ତି । କିନ୍ତୁ ପ୍ରତ୍ୟେକଟି ରାଜନୈତିକ ଦଳ ଭାବିବା ଦରକାର ସେ ଯେଉଁ ସରକାର ହେଉନା କାହିଁକି ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଗୋଟିଏ ଛାତ ତଳେ ରହୁଛୁ ଓ ଗର୍ବରେ ଭାରତୀୟ ବୋଲି ନିଜକ୍ୁ କହିବୁଲୁଛୁ । ଯଦି ଦେଶରେ କୌଣସି କାରଣକୁ ନେଇ ଅରାଜକତା ସୃଷ୍ଟି ହୋଇଛି ସେଥିନେଇ ସବୁ ଦଳ ଏକଜୁଟ୍ ହୋଇ ସରକାରଙ୍କ ନିକଟରେ ଦୃଢ଼ ପ୍ରସ୍ତାବ ରଖିବା ଉଚିତ୍ । ସରକାର ତ କୌଣସି ବିଦେଶୀ ନୁହଁନ୍ତି ଯେ ଆପଣମାନେ ସମସ୍ତେ ଏକଜୁଟ୍ ହୋଇ ହକ୍ କଥା କହିଲେ ତାହାକୁ ଅମାନ୍ୟ କରିବେ । ସରକାର ବି ଦେଶର ହିତ ପାଇଁ କିଛି ତ ମହତ ଚିନ୍ତା କରି ନୂଆ ନୀତି ପ୍ରଣୟନ କରିଥାନ୍ତି । ଯଦି ସେଥିରେ କିଛି ତ୍ରୁଟିବିଚ୍ୟୁତି ରହିଛି ବୋଲି ବିଚାରୁଛନ୍ତି ତେବେ ଆପଣ ସମସ୍ତେ ଏକ ହୋଇ ସରକାରଙ୍କ ପାଖକୁ ଯିବାରେ କେଉଁଠି ଅସୁବିଧା ରହିଛି । କଥାରେ ଅଛି ଏକତା ହିଁ ବଳ । କିନ୍ତୁ ଆଜି ଏପରି ପରିସ୍ଥିତି ଦେଶରେ ହୋଇଛି କୌଣସି ରାଜନୈତିକ ଦଳ ଏକଜୁଟ୍ ହେବା ସ୍ଥିତିରେ ନାହାନ୍ତି । କାଳେ ଅନ୍ୟ ଦଳ ମାଇଲେଜ୍ ନେଇଯିବ ସେହି ଚିନ୍ତା ସେମାନଙ୍କୁ ଘାରିଛି । ଖାସ୍ ସେଇଥିପାଇଁ ଆଜି ଦେଶରେ ନା ବିରୋଧୀ ଦଳ ଶକ୍ତ ଅଛି ନା ବିରୋଧୀ ନେତା । ଏମାନେ କେବଳ ଖାଲି ମଉକାକୁ ଅପେକ୍ଷା କରିଥାନ୍ତି । ମଉକା ମିଳିଗଲେ ରାସ୍ତା ଅବରୋଧ କରିବା, ରେଳ ଚଳାଚଳ ବନ୍ଦ କରିବା, ସରକାରୀ ଓ ବେସରକାରୀ ଅଫିସ୍ରେ ତାଲା ପକାଇବା । ଆଉ ଶେଷରେ କିଛି ଅସାମାଜିକ ତତ୍ତ୍ୱଙ୍କ ସହାୟତାରେ ଦେଶରେ ଅରାଜକତା ସୃଷ୍ଟି କରିବା । ଏଭଳି ଚିନ୍ତାଧାରା ରଖିବା କୌଣସି ବ୍ୟକ୍ତି ବା ଦଳ କିମ୍ବା ସମାଜ କେଉଁଥିରେ ବି ସହାୟତା ହୋଇପାରିବ ନାହିଁ । ବିଗତ ଦିନରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ତୁମ୍ବି ତୋଫାନ୍ କରୁଥିଲେ । ବିଦେଶୀ ଶକ୍ତି ତ ଭାରତର ଦୁର୍ବଳତାକୁ ଚାହିଁ ରହିଥାନ୍ତି । ଆଉ ସେମାନେ ଭାରତରେ ଏକତା ନଥିବା କଥା ଜାଣି ଆମକୁ ବହୁ ସମୟରେ ନାଲି ଆଖି ଦେଖାଇବାକୁ ପଛାନ୍ତି ନାହିଁ । ତେଣୁ ଏବେ ସବୁ ବାଦବିବାଦ, ମନୋମାଳିନ୍ୟ ଭୁଲି ଦେଶ ପାଇଁ ଏକଜୁଟ୍ ହେବାର ସମୟ ଆସିଛି ।

Leave A Reply

Your email address will not be published.