ବୁଟା ସିଂହଙ୍କ ପରଲୋକ

0 74

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ସରଦାର ବୁଟା ସିଂହଙ୍କ ପରଲୋକ ହୋଇଛି । ୮୬ ବର୍ଷ ବୟସରେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ପଞ୍ଜାବର ଜାଲନ୍ଦର ମୁସ୍ତଫାପୁର ଗ୍ରାମରେ ଜନ୍ମ ବୁଟା ସିଂହ ୮ଥର ଲୋକସଭା ସାଂସଦ ରୂପେ ନିର୍ବାଚିତ ହୋଇଥିଲେ । ପଞ୍ଜାବର ସବୁଠାରୁ ବଡ ଦଳିତ ନେତା ରୂପେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି । ରାଜୀବ ଗାନ୍ଧୀ ସରକାରରେ ସେ ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ କେନ୍ଦ୍ର ଗୃହ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଛନ୍ତି । ଏହାପୂର୍ବରୁ ସେ ୧୯୮୪ ରୁ ୧୯୮୬ ପର୍ଯ୍ୟନ୍ତ କୃଷି ମନ୍ତ୍ରୀ ପଦରେ ମଧ୍ୟ ଥିଲେ । ଏହାବ୍ୟତୀତ ବୁଟା ସିଂହ ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ବିହାର ରାଜ୍ୟପାଳ ଦାୟିତ୍ୱ ସମ୍ଭାଳି ଥିଲେ । ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ସମୟରେ ତାଙ୍କୁ ରାଷ୍ଟ୍ରୀୟ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଥିଲା । ବରିଷ୍ଠ କଂଗ୍ରେସ ନେତା ବୁଟା ସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ବୁଟା ସିଂହ ଗରିବମାନଙ୍କ କଲ୍ୟାଣ ସହ ଦଳିତମାନଙ୍କ କଲ୍ୟାଣ ପାଇଁ ଜଣେ ପ୍ରଭାବୀ ନେତା ଥିଲେ । ବୁଟା ସିଂହ ସେମାନଙ୍କ ସର ଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟୁଇଟ କରି କହିଛନ୍ତି, ସରଦାର ବୁଟା ସିଂହଙ୍କ ଦେହାନ୍ତ ଯୋଗୁଁ ଆଜି ପୁରା ଦେଶ ଜଣେ ସଚ୍ଚୋଟ ଜନସେବକ ଏବଂ ନିଷ୍ଠାପର ନେତାଙ୍କୁ ହରାଇଛି । ବୁଟା ସିଂହ ତାଙ୍କ ସମଗ୍ର ଜୀବନ ଦେଶ ସେବା ଏବଂ ଲୋକ କଲ୍ୟାଣରେ ସମର୍ପିତ କରିଥିଲେ, ଏଥିପାଇଁ ସେ ଚିରସ୍ମରଣୀୟ ରହିବେ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ପରିଜନ ଏବଂ ପରିବାରବର୍ଗଙ୍କୁ ରାହୁଲ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.