ମହାମାରୀରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ରେ ସରକାର ଲାଗୁ କରିପାରନ୍ତି ସରଚାର୍ଜ

0 65

ନୂଆଦିଲ୍ଲୀ, ୩ ।୧: ଆଉ ମାତ୍ର ମାସକରୁ କମ୍ ସମୟରେ ଆସିଯିବ ଦେଶର ବାର୍ଷିକ ବଜେଟ୍ । ଗତବର୍ଷ କୋଭିଡ-୧୯ ମହାମାରୀ ଓ ତତ୍ଜନିତ ଲକଡାଉନ୍ କାରଣରୁ ଶେଷରେ ବଜେଟ୍ ପ୍ରତ୍ୟାହୃତ ହୋଇଥିଲା । ଏଣୁ ସମସ୍ତଙ୍କ ନଜର ଏବେ ଆଗାମୀ ବଜେଟ୍ ଉପରେ ଥିବା ବେଳେ ଏଥର ବଜେଟ୍ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସରକାର ପୂର୍ବରୁ ସୂଚିତ କରିସାରିଛନ୍ତି । ଏଥରକ ବଜେଟ୍ “ଆତ୍ମ ନିର୍ଭର’ ଭାରତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଛି । ଏଣୁ ଆର୍ଥିକ ବିଷାରଦମାନେ ୨୦୨୧-୨୨ ବଜେଟ୍କୁ ନେଇ ଅନେକ ଆକଳନ କରୁଛନ୍ତି । ଯେଉଁଥିରେ ସରକାର ପ୍ରଥମ ଥର କୋଭିଡ ସରଚାର୍ଜ ଲାଗୁ କରିପାରନ୍ତି ବୋଲି ମଧ୍ୟ ଅନୁମାନ କରୁଛନ୍ତି ।
ସେମକୋ ଗ୍ରୁପର ରିସର୍ଚ୍ଚ ହେଡ୍ ଉମେଶ ମେହେଟା ସରକାର ରାଜସ୍ୱ କ୍ଷତି ଓ ଦେଶରେ କରୋନା ଟିକାକରଣ ଲାଗି ହେବାକୁ ଥିବା ଖର୍ଚ୍ଚ ଭରଣା ନିମନ୍ତେ କୋଭିଡ ସରଚାର୍ଜ ଲାଗୁ କରିପାରନ୍ତି ବୋଲି ଆକଳନ କରିଛନ୍ତି । କାରଣ ସରକାରଙ୍କୁ ପାଣ୍ଠିର ଜରୁରି ଆବଶ୍ୟକତା ରହିଛି ଓ ଏଥିପାଇଁ ଡିସଇନଭେଷ୍ଟ ଜରିଆରେ ପାଣ୍ଠି ଯୋଗାଡ କରିବାକୁ ଉଦ୍ୟମ କରୁଛନ୍ତି । ଏଥିରେ ଟିକାକରଣ ଖର୍ଚ୍ଚ ଭରଣା ଲାଗି ସରକାର ବଜେଟ୍ରେ ଏଥିଲାଗି ପଦକ୍ଷେପ ନେଇ ପାରନ୍ତି ବୋଲି କହିଛନ୍ତି ।
ଗତ ଡିସେମ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଇଭେଣ୍ଟକୁ ସମ୍ବୋଧିତ କରିବା ବେଳେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବାକୁ ସମର୍ଥ ବୋଲି ଘୋଷଣା କରିଥିଲେ । ଏହାର ଅର୍ଥ ସରକାର ବଜେଟ୍ରେ କୋଭିଡ ଯୋଗୁ ଖର୍ଚ୍ଚକାଟ କରିବା ବଦଳେ ବୃଦ୍ଧି କରିପାରନ୍ତି । ଏଥିରେ ସରକାର ଡିମାଣ୍ଡ ବୃଦ୍ଧି ଲାଗି କ୍ଷୁଦ୍ର କରଦାତାଙ୍କୁ ଆର୍ଥିକ ରୂପେ ମଜଭୁତ କରିବାକୁ ଉଦ୍ୟମ କରିବେ ବୋଲି ଅନୁମାନ କରାଯାଉଛି । ଏପରି ହେଲେ ସରକାର ଟ୍ୟାକ୍ସ ସ୍ଲାବରେ କିଛି ପରିବର୍ତ୍ତନ କରିବାର ପୂର୍ବାନୁମାନ କରାଯାଉଛି ।
ଏଥର ବଜେଟ୍ରେ ସରକାର ଆତ୍ମନିର୍ଭର ଭାରତ ଉପରେ ସମସ୍ତ ଧ୍ୟାନ କେନ୍ଦ୍ରିତ କରିବେ । ଏଥିଲାଗି ଗତବର୍ଷରୁ ସରକାର ପ୍ରଡକ୍ସନ ଲିକ୍ୱିଡ ଇନସେଣ୍ଟିଭ (ପିଏଲଆଇ) ଯୋଜନାରେ ପ୍ରମୁଖ ୧୦ଟି ସେକ୍ଟର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଫାର୍ମା, ଟେଲିକମ, ଅଟୋମୋବାଇଲ, ଅଟୋ କମ୍ପୋନେଣ୍ଟ, ଟେକ୍ସଟାଇଲ ଓ ଫୁଡ ପ୍ରଡକ୍ଟସ ଆଦି କ୍ଷେତ୍ରକୁ ସରକାର ଆଗାମୀ ୫ ବର୍ଷରେ ୨ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏଥିରେ ଏହି ସବୁ କ୍ଷେତ୍ରରେ ନବ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ମାନୁଫେକ୍ଚରିଂ କ୍ଷେତ୍ରର ପରିସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ସରକାର ଆଶା ରଖିଛନ୍ତି ।

Leave A Reply

Your email address will not be published.