ଶିବରାଜଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଲେ ସିଲାୱଟ ଓ ରାଜପୁତ

0 73

ଭୋପାଳ, ୩ ।୧: ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ହୋଇଛି । ମନ୍ତ୍ରୀ ମଣ୍ଡଳରେ ପୁଣି ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି । ଏମାନଙ୍କୁ ମିଶାଇ ମନ୍ତ୍ରୀମଣ୍ଡଳରେ ୩୧ ସଦସ୍ୟ ହୋଇଛନ୍ତି । ବିଧାନସଭାର ସଭ୍ୟ ସଂଖ୍ୟା ଅନୁସାରେ ମନ୍ତ୍ରୀମଣ୍ଡଳରେ ୩୬ ଜଣ ସଦସ୍ୟ ରହିପାରିବେ । ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ରାଜଭବନରେ ଆୟୋଜିତ ଶପଥ ସମାରୋହରେ ତୁଳସିରାମ ସିଲାୱାଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଶପଥ ପାଠ ସମାରୋହରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ମନ୍ତ୍ରୀମଣ୍ଡଳ ସଦସ୍ୟ ଏବଂ ଅନ୍ୟ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅସହଯୋଗ କରି ଯେଉଁ ୨୨ ବିଧାୟକ କଂଗ୍ରେସ ଛାଡ଼ିଥିଲେ ସେଥିରେ କମଳନାଥ ସରକାରରେ ମନ୍ତ୍ରୀ ତୁଳସିରାମ ସିଲାୱଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ । ଗତ ୨୩ ମାର୍ଚ୍ଚରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ମାସ ପରେ ଯେଉଁ ୫ ମନ୍ତ୍ରୀ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ତୁଳସିରାମ ସିଲାୱଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ । କିନ୍ତୁ ଉପ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଧାନସଭାର ସଦସ୍ୟ ହେବାର ବାଧ୍ୟବାଧକତା ମଧ୍ୟରେ ସେମାନେ ଇସ୍ତଫା ଦେଇଥିଲେ । ୧୦ ନଭେମ୍ବରରେ ଉପ ନିର୍ବାଚନ ଫଳାଫଳ ଆସିବା ପରେ ସିଲାୱଟ ଓ ରାଜପୁତ ପୁଣିଥରେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଏଥିପାଇଁ ଖୋଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୋପାଳରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ୩ ଥର ଭେଟିଥିଲେ । କିନ୍ତୁ ବିଜେପିର ପୁରୁଣା ନେତା ଏହାକୁ ବିରୋଧ କରିଥିଲେ । ପରେ ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରି ଶିବରାଜ ରାସ୍ତା ବାହାର କରିଥିଲେ । ତେବେ ଶିବରାଜଙ୍କ ମନ୍ତ୍ରୀମଣ୍ଡଳର ଏହା ହେଉଛି ତୃତୀୟ ବିସ୍ତାର । ଏହା ପୂର୍ବରୁ ଗତ ୨୧ ଏପ୍ରିଲ୍ରେ ୫ ଓ ୨ ଜୁଲାଇରେ ୨୮ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଥିଲା ।

Leave A Reply

Your email address will not be published.