ସାବୁନ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ କାର୍ଯ୍ୟରତ ଶ୍ରମିକ

0 67

କାନପୁର,୩ ।୧ : ରବିବାର ସକାଳୁ କାନପୁର ଦେହାତ ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଥିବା ଏକ ସାବୁନ କାରଖାନାରେ ହଠାତ ନିଆଁ ଲାଗି ବ୍ୟାପକ ରୂପ ଧାରଣ କରିଥିଲା । ନିଆଁ ଲାଗିବା ସମୟରେ କାରଖାନାରେ ପ୍ରାୟ ୨୪ରୁ ଅଧିକ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ପରେ କାରଖାନାରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଜୀବନ ବଞ୍ଚାଇବାକୁ ଶ୍ରମିକମାନେ କାରଖାନାରୁ ବାହାରକୁ ଦୌଡ଼ିଥିଲେ । କାରଖାନାରେ ନିଆଁ ଲାଗିବା କ୍ଷଣି ଶ୍ରମିକମାନେ ନିଜ ଉଦ୍ୟମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁ ଏତେ କରାଳ ରୂପ ନେଇଥିଲା ଯେ ଶ୍ରମିକମାନେ ନିଆଁ ଲିଭାଇବାରେ ଅସଫଳ ହୋଇଥିଲେ । ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ସୂଚନା ପାଇଁ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କାରଖାନାରେ ରଖାଯାଇଥିବା ଏକ ମେସିନରେ ନିଆଁ ଲାଗିଥିଲା । ବହୁ ଉଦ୍ୟମ ପରେ ନିଆଁକୁ କାବୁ କରାଯାଇଥିଲା । ଅଗ୍ନିଶମ ଅଧିକାରୀ ସୁରେନ୍ଦ୍ର କୁମାର ସିଂହ କହିଛନ୍ତି ଯେ କାରଖାନାରେ ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ତେବେ ଏହାର ତଦନ୍ତ ଆରମ୍ଭ ହୋଇଛି । ଅଧିକାରୀ କହିଛନ୍ତି ଯେ କାରଖାନାରେ ନିଆଁରୁ ଉଦ୍ଧାର ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ । ନିଆଁକୁ କାବୁ କରିବାକୁ କାରଖାନାରେ କୌଣସି ଉପକରଣ ନାହିଁ । ସେଥିପାଇଁ କାରଖାନା ସଞ୍ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.