ନୂଆ ସଂସଦ ଭବନ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

0 77

ନୂଆଦିଲ୍ଲୀ, ୫ ।୧: ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିଷ୍ଟା) ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମିଳିଛି । ସୁପ୍ରିମକୋର୍ଟ ମଙ୍ଗଳବାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନଗୁଡ଼ିକର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି । ବିଚାରପତି ଏ.ଏମ. ଖାନଭିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ୨:୧ ବହୁମତରେ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରକଳ୍ପ ଲାଗି ଯେଉଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ ଭୂମି ଉପଯୋଗରେ ପରିବର୍ତ୍ତନ ପାଇଁ ଯେଉଁ ଅଧିସୂଚନା ଜାରି ହୋଇଛି ତାହା ବୈଧ ବୋଲି ସ୍ପଷ୍ଟ କରିଛନ୍ତି । ବିଚାରପତି ଖାନଭିଲକର ନିଜ ତରଫରୁ ଏବଂ ବିଚାରପତି ଦିନେଶ ମାହେଶ୍ୱରୀଙ୍କ ତରଫରୁ ନିଷ୍ପତ୍ତି ଶୁଣାଇ ସମସ୍ତ ନିର୍ମାଣ ସ୍ଥଳରେ ସ୍ମଗ୍ ଟାୱାର ଲଗାଇବା ଏବଂ ଆଣ୍ଟି-ସ୍ମଗ ବନ୍ଧୁକ ବ୍ୟବହାର କରିବାକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ପ୍ରସ୍ତାବକଙ୍କୁ ନିର୍ଦେଶ ଦେଇଛନ୍ତି । ଖଣ୍ଡପୀଠର ୩ୟ ବିଚାରପତି ସଞ୍ଜୀବ ଖାତ୍ତା ପ୍ରକଳ୍ପର ମଞ୍ଜୁରୀ ଉପରେ ସହମତି ଜଣାଇଥିଲେ, ତେବେ ସେ ଭୂମି ଉପଯୋଗରେ ପରିବର୍ତ୍ତନ ସମ୍ୱନ୍ଧୀୟ ନିଷ୍ପତ୍ତି ଏବଂ ପରିବେଶ ମଞ୍ଜୁରୀ ପ୍ରଦାନ ଉପରେ ଅସହମତି ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । କିନ୍ତୁ ସଂସଦ ଭବନ ନିର୍ମାଣକୁ ବିରୋଧ କରି କିଛି ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଥିଲା । ଗତ ଶୁଣାଣି ସମୟରେ ସରକାର ଅଦାଲତଙ୍କୁ ଆଶ୍ୱାସନ ଦେଇ କହିଥିଲେ ଯେ, ଯେଉଁ ପର୍ଯ୍ୟନ୍ତ କୋର୍ଟ ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ନାହିଁ । ଗତବର୍ଷ ସେପ୍ଟେମ୍ବରରେ ଏହି ପ୍ରକଳ୍ପର ଘୋଷଣା କରାଯାଇଥିଲା । ନୂଆ ସଂସଦ ଭବନରେ ୯୦୦ରୁ ୧୨୦୦ ସାଂସଦ ବସିବାର କ୍ଷମତା ରହିବ । ୨୦୨୨ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.