ବାର୍ଡ ଫ୍ଲୁ : ସ୍ଥିତି ଅଣାୟତ୍ତ

0 77

ନୂଆଦିଲ୍ଲୀ, ୫ ।୧: ଦେଶରେ ମହାମାରୀ କରୋନାର ସଂକ୍ରମଣ ଥମିନଥିବା ବେଳେ ଏବେ ଦେଖାଦେଇଛି ଆଉ ଏକ ସଙ୍କଟ । କେତେକ ରାଜ୍ୟରେ ବାର୍ଡ ଫ୍ଲୁ’ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ପରେ ଏବେ ହିମାଚଳ ପ୍ରଦେଶ ଏବଂ କେରଳରେ ବାର୍ଡ ଫ୍ଲୁ ପ୍ରବେଶ କରିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ହାଇ ଅଲର୍ଟ ଜାରି କରିଛନ୍ତି । ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ଯୋଗୁଁ ପକ୍ଷୀ ମୃତ୍ୟୁ ବଢ଼ିବାରେ ଲାଗିଛି । କାଙ୍ଗଡାର ପୋଙ୍ଗ ହ୍ରଦରେ ୧୭୦୦ରୁ ଅଧିକ ପ୍ରବାସୀ ପକ୍ଷୀଙ୍କ ମୃତ୍ୟୁ ଘଟିଛି । ଏହି ପକ୍ଷୀ ଗୁଡିକରୁ ଭାଇରସ୍ ଚିହ୍ନଟ ହୋଇଛି । ସ୍ଥାନୀୟ ପ୍ରଶାସନ ପୋଙ୍ଗ ଡ୍ୟାମରେ ମରି ପଡିଥିବା ପକ୍ଷୀଙ୍କ ନମୁନା ଭୋପାଳ ପଠାଇଥିଲେ । ସେଠାରୁ ପକ୍ଷୀଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିଛି । ଭୋପାଳରୁ ଆସିଥିବା ରିପୋର୍ଟରେ ସମସ୍ତ ପକ୍ଷୀଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଏହାପରେ ଜିଲ୍ଲା ପ୍ରଶାସନ ଏହି ଜଳାଶୟ ଆଖପାଖ ଅଣ୍ଡା,ମାଂସ ସମେତ ପୋଲିଟ୍ରି ଉତ୍ପାଦନର ବିକ୍ରି ଉପରେ କଟକଣା ଲଗାଇଛନ୍ତି । ପୋଙ୍ଗ ହ୍ରଦର ଏକ କିଲୋମିଟର ପରିଧିରେ ଥିବା ଅଞ୍ଚଳକୁ ଆଲର୍ଟ ଜୋନ୍ ଘୋଷିତ କରାଯାଇଛି । ପ୍ରଶାସନ ପର୍ଯ୍ୟଟକଙ୍କୁ ଏହି ସବୁ ଅଞ୍ଚଳକୁ ନଯିବାକୁ ପରାମର୍ଶ ଦେଇଛି । ସେହିପରି ହରିୟାଣାରେ ଲକ୍ଷେରୁ ଅଧିକ କୁକୁଡାଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ଅନ୍ୟପଟେ ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ଜାନୁଆରୀ ୩ ତାରିଖ ମଧ୍ୟରେ ୩୭୬ଟି କାଉଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଇନ୍ଦୋରରେ ସର୍ବାଧିକ ୧୪୨ଟି କାଉ ମରି ପଡିଥିବା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ମନ୍ଦସୌରରେ ୧୦୦, ଆଗର-ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହ୍ରରେ୯ କାଉ ମରିଛନ୍ତି । ମୃତ କାଉଙ୍କ ନମୁନାରେ ବାର୍ଡ ଫ୍ଲ ଭୂତାଣୁ ଚିହ୍ନଟ ହୋଇଛି । ଅନ୍ୟପଟେ କେରଳର କୋଟ୍ଟାୟମ ଏବଂ ମଲ୍ଲପୁଝା ଜିଲ୍ଲାରେ ମଧ୍ୟ ପକ୍ଷୀ ମଡକ ଦେଖିବାକୁ ମିଳିଛି । ମୃତ ପକ୍ଷୀଙ୍କ ଠାରେ ଭୂତାଣୁ ଚିହ୍ନଟ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାରେ ପ୍ରାୟ ୪୦ ହଜାର କୁକୁଡାକୁ ହତ୍ୟା କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । କୋଟ୍ଟାୟମ ଜିଲ୍ଲାରେ ଏଯାଏଁ ପ୍ରାୟ ୧୫,୦୦ ବତକଙ୍କ ମୃତ୍ୟୁ ଘଟିଥିବା ପ୍ରାଣୀ ବିଭାଗ ସୂଚନା ଦେଇଛି । ଉତ୍ତରରୁ ମଧ୍ୟ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ବାର୍ଡ ଫ୍ଲୁ ତାର କାୟା ବିସ୍ତାର କରିଛି । ଏହି ସବୁ ରାଜ୍ୟରେ ପ୍ରଶାସନ ହାଇ ଅଲର୍ଟ ଜାରି କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ରାଜ୍ୟରେ ପଦକ୍ଷେପ ନିଆଯାଇଛି । ଚିଲିକାରୁ ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଛି ପ୍ରାଣୀଧନ ବିଭାଗ । ତେବେ ଏହି ଭୂତାଣୁରୁ ପ୍ରସିଦ୍ଧ କଡକନାଥ କୁକୁଡାଙ୍କୁ ରକ୍ଷା କରିବା ପାଇଁ ଏକ ନିଆରା ଉପାୟ ଅପଣାଯାଇଛି । ବାର୍ଡ ଫ୍ଲୁରୁ ରକ୍ଷା କରିବା ପାଇଁ ରାଜସ୍ଥାନ ଝାବୁଆରେ କଡକନାଥ କୁକୁଡାକୁ ଆଇସୋଲେସନରେ ରଖାଯାଇଛି । କେବଳ ସେତିକି ନୁହେଁ କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ ଏବଂ ଇମ୍ୟୁନିଟି ବୁଷ୍ଟର ଡୋଜ୍ ମଧ୍ୟ ଦିଆଯାଇଛି ।
ଝାବୁଆ ଜିଲ୍ଲାର କୃଷି ବିଭାଗର ଆଇସୋଲେସନ ସେଣ୍ଟରରେ କୁକୁଡାଙ୍କୁ ରଖାଯାଉଛି । ସରକାରଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ଅନୁସାରେ, ବାହାରୁ କୌଣସି ପକ୍ଷୀଙ୍କୁ ଅଣାଯାଉ ନାହିଁ । ଏପରିକି ବାହାର ଲୋକଙ୍କୁ ମଧ୍ୟ ଆଇସୋଲେସନ ସେଣ୍ଟରରେ ପ୍ରବେଶ ବାରଣ କରାଯାଇଛି । ଆଇସୋଲେସନ ସେଣ୍ଟରର ମୁଖ୍ୟ ଆଇଏସ ତୋମାର କହିଛନ୍ତି, ସରକାରୀ ନିର୍ଦ୍ଦେଶ ଆସିବା ପରେ ସେମାନେ ସତର୍କ ରହିଛନ୍ତି । କୁକୁଡାଙ୍କୁ ଇମ୍ୟୁନିଟି ବୁଷ୍ଟର ଭାବେ ହଳଦୀ, ଭିଟାମିନ୍ ସି, ଡି ଓ ଇ ଦିଆଯାଉଛି । ଏହାଦ୍ୱାରା କୁକୁଡାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ବାର୍ଡ ଫ୍ଲୁ ସହ ଲଢିବା ପାଇଁ ଶକ୍ତି ଯୋଗାଇବ । ସୂଚନାଯୋଗ୍ୟ, ଜୟପୁର, ଇନ୍ଦୋର ଓ କସରାବଦରେ କିଛି ପକ୍ଷୀଙ୍କ ମୃତ୍ୟୁ ପରେ ବାର୍ଡ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି । ଏହାରି ଭିତରେ ଝାବୁଆରେ ପ୍ରସିଦ୍ଧ କଡ଼କନାଥ କୁକୁଡାଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

Leave A Reply

Your email address will not be published.