ଋଣ ନାଁରେ ଠକେଇ କରୁଛନ୍ତି ଶତାଧିକ ଆପ୍

0 57

ହାଇଦ୍ରାବାଦ, ୬ ।୧: ବିଭିନ୍ନ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବାକୁ ପ୍ରଲୋଭିତ କରି ଠକେଇ କରୁଥିବା ଗ୍ୟାଙ୍ଗର ଗୁମର ଧୀରେଧୀରେ ଫିଟିବା ଆରମ୍ଭ କରିଛି । ତେଲେଙ୍ଗାନା ପୁଲିସ୍ ଆପ ଜରିଆରେ ଋଣ ନାଁରେ ଠକେଇ କରୁଥିବା ଘଟଣାରେ ୫୦ଟି ମାମଲା ରୁଜୁ କରି ଖୋଳତାଡ଼ କରୁଛି । ଏଥିସହ ଏଭଳି ୧୧୩ଟି ଆପ୍କୁ ଗୁଗଲ ତା’ ପ୍ଲେ ଷ୍ଟୋରରୁ ହଟାଇ ଦେଉ ବୋଲି ମଧ୍ୟ ପୁଲିସ୍ ଅନୁରୋଧ କରିଛି । ହେଲେ ଗୁଗଲ କେବଳ କିଛି ହାତ ଗଣତି ଆପ୍କୁ ଏଯାଏ ହଟାଇ ଚୁପ ବସି ପଡ଼ିଛି । ଆପ୍ ଖୋଲି ପ୍ରଥମେ ଲୋକଙ୍କୁ ଋଣ ପାଇଁ ପ୍ରଲୋଭିତ କରିବା ଓ ଏହାପରେ ଟଙ୍କା ନେଇଥିବା ଲୋକଙ୍କୁ ସାଂଘାତିକ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ତେଲେଙ୍ଗାନା ପୁଲିସ୍ ଆକ୍ସନ ମୋଡକୁ ଆସିଥିଲା । ଏହି ଠକେଇ ଘଟଣାରେ ହାଇଦ୍ରାବାଦ ପୁଲିସ୍ ୨୯ଟି, ସାଇବରାବାଦ ପୁଲିସ ୧୦ଟି, ୱାରଙ୍ଗଲ ପୁଲିସ୍ ୭ଟି ଓ ରାଚାକୋଣ୍ଡା ପୁଲିସ୍ ୪ଟି ମାମଲା ରୁଜୁ କରି ଖୋଳତାଡ଼ କରୁଛି । ପୁଲିସ୍ ଗୋଟିଏ ପରେ ଗୋଟିଏ ମାମଲାର ତଦନ୍ତ କରୁଛି । ହାଇଦ୍ରାବାଦ ପୁଲିସ୍ ୪୨ଟି ଆପ୍ ସମ୍ପର୍କରେ ଅଭିଯୋଗ ପାଇଛି । ସେହିପରି ରାଚାକୋଣ୍ଡା ପୁଲିସ୍ ୧୮ଟି ଆପ ଓ ସାଇବରାବାଦ ପୁଲିସ୍ ୨୫ଟି ଆପ୍ ଜରିଆରେ ଲୋକଙ୍କୁ ଋଣ ନାଁରେ ଠକା ଯାଉଥିବା ଜାଣିବାକୁ ପାଇଛି । ସାଇବରାବାଦ ଇନସପେକ୍ଟର ଟି ସଞ୍ଜୟ କୁମାର କହିଛନ୍ତି, ପ୍ରାଥମିକ ଅବସ୍ଥାରେ ଆମେ ୩ଟି ଆପକୁ ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗଲକୁ କହିଥିଲି ଓ ଗୁଗଲ ଏହାକୁ ହଟାଇ ଦେଇଛି । ଏହାପରେ ଆମେ ଆଉ ୧୧୩ଟି ଆପ୍କୁ ହଟାଇବାକୁ ଚିଠି ଲେଖିଛୁ । ଏହା ମଧ୍ୟରୁ କିଛି ଆପ୍କୁ ଗୁଗଲ ହଟାଇ ଦେଇ ସାରିଲାଣି । ଆମେ ମୋଟ ୩୫୦ଟି ଋଣ ପ୍ରଦାନକାରୀ ଆପ୍ ଠାବ କରିଛୁ । ଏହା ମଧ୍ୟରୁ ୧୧୩ଟି ପ୍ଲେ ଷ୍ଟୋରରେ ରହିଛି । ବାକି ଆପ୍କୁ ଦଲାଲମାନେ ସିଧାସଳଖ ଲିଙ୍କ ଆକାରରେ ଲୋକଙ୍କୁ ପାଖକୁ ପଠାଇଛନ୍ତି ବୋଲି ସେ କହିଛନ୍ତି । ପୁଲିସ୍ ଏହି ଘଟଣାରେ ଏକାଧିକ ଲୋକଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ଜଣେ ଚାଇନିଜ ନାଗରିକ ମଧ୍ୟ ରହିଛନ୍ତି । ପ୍ରଥମେ ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରାଇ ଋଣ ଦିଆଯାଉଥିଲା । ହେଲେ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଲୋକଙ୍କୁ ଚାପ ପ୍ରୟୋଗ କରାଯାଉଥିଲା । ଆରିବିଆଇ ଏପରି ଋଣ ଦେବା ପାଇଁ କୌଣସି ଆପକୁ ଅନୁମତି ଦେଇ ନଥିଲେ ହେଁ ଦୀର୍ଘଦିନ ଧରି ଦେଶର ବିଭିତ୍ତ ସ୍ଥାନରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ଘଟଣା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ତେଲେଙ୍ଗାନାର ୩ ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍ ଦ୍ୱାରା ଋଣ ନେଇଥିଲେ । ତେବେ ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ହଇରାଣ କରିବାରୁ ସେମାନେ ଆତ୍ମହତ୍ୟା କରିଥିଲେ । ଏହି ଖବର ପରେ ତେଲେଙ୍ଗାନା ପୁଲିସ୍ ଆକ୍ସନ ମୋଡକୁ ଆସିଥିଲା । ପୁଲିସ ହାଇଦ୍ରାବାଦ ସମେତ ହରିଆଣାର ଗୁରୁଗ୍ରାମର ଏକାଧିକ ସ୍ଥାନରେ ରେଡ୍ କରି ୧୬ ଜଣଙ୍କୁ ଗିରଫ କରିଥିଲା । ସେହିପରି ସାଇବରବାଦ ପୁଲିସ୍ ଆଉ ଏକ ତଦନ୍ତ କରି ୭ ଜଣଙ୍କୁ ବାନ୍ଧିଥିଲା ।

Leave A Reply

Your email address will not be published.