କରୋନା ଟିକା ନେବାକୁ ଆଗ୍ରହୀ ନୁହଁନ୍ତି ୬୯% ଭାରତୀୟ!

0 62

ନୂଆଦିଲ୍ଲୀ, ୬ ।୧: ଭାରତରେ ଦୁଇଟି କରୋନା ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । ସରକାର ମଧ୍ୟ ଟିକାକରଣ ପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି । କିନ୍ତୁ ଭାରତରେ ଟିକା ଉପଲବ୍ଧ ହେବାକୁ ଥିଲେ ହେଁ ଏହାକୁ ନେବାକୁ ଦେଶବାସୀ ସେତେଟା ଆଗ୍ରହ ଦେଖାଇବା ଭଳି ଲାଗୁନାହିଁ । ଭାରତକୁ ଟିକା ଆସିଲେ ଏହାକୁ ନେବା ପାଇଁ କେତେ ଲୋକ ଆଗ୍ରହୀ ଅଛନ୍ତି, ସେକଥା ଜାଣିବା ସକାଶେ ଲୋକାଲ ସର୍କଲ ନାମକ ଗୋଟିଏ ଅନଲାଇନ ପ୍ଲାଟଫର୍ମ ସର୍ଭେ କରିଥିଲା । ସର୍ଭେରୁ ଜଣାପଡ଼ିଛି ଯେ ୬୯% ଲୋକ ଟିକା ନେବା ସପକ୍ଷରେ ନାହାନ୍ତି । ସେହିପରି ମାତ୍ର ୨୬ ପ୍ରତିଶତ ଲୋକ ଟିକା ନେବାକୁ ସପକ୍ଷରେ ରହିଛନ୍ତି । ୫% ଲୋକ ନିଜକୁ ସ୍ୱାସ୍ଥ୍ୟକର୍ମୀ ବା ସମ୍ମୁଖ ଭାଗ ଯୋଦ୍ଧା ଭାବେ ପରିଚୟ ଦେଇ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିକା ନେବେ ବୋଲି କହିଛନ୍ତି । ସର୍ଭେରେ ମୋଟ ୮,୭୨୩ ଜଣ ସାମିଲ ହୋଇଥିଲେ । ସେମାନଙ୍କ ମତାମତକୁ ଉଦ୍ଧାର କରି ଲୋକାଲ ସର୍କଲ ରିପୋର୍ଟ ପ୍ରକାଶ କରିଛି । ଲୋକାଲ ସର୍କଲ ପକ୍ଷରୁ ୨୦୨୦ ମସିହା ଅକ୍ଟୋବର ମାସରୁ ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ଲୋକେ କେତେ ଇଚ୍ଛୁକ, ସେକଥା ଜାଣିବା ପାଇଁ ସର୍ଭେ କରାଯାଉଛି । ଅକ୍ଟୋବରରେ ହୋଇଥିବା ସର୍ଭେ ବେଳେ ୬୧% ଲୋକ ଟିକା ନେବାକୁ ଅମଙ୍ଗ ହେଉଥିଲେ । ସେହିପରି ନଭେମ୍ବର ମାସରେ ଏହା ୫୯% ହୋଇଯାଇଥିଲା । କାରଣ ଏହି ସମୟରେ ମଡର୍ଣ୍ଣା ଓ ଫାଇଜରର ଟ୍ରାଏଲ ରିପୋର୍ଟ ସାମ୍ନାକୁ ଆସିଥିଲା । ଦୁଇଟିଯାକ ଟିକା ସୁରକ୍ଷିତ ବୋଲି କମ୍ପାନୀ ଦାବି କରିବାକୁ ଟିକା ନେବାକୁ ଆଗ୍ରହୀ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ମଡର୍ଣ୍ଣା ଓ ଫାଇଜର ପରେ ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା ବିଶ୍ୱ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଥିଲା । ବିଶେଷ କରି ଏହା ଭାରତରେ ପରୀକ୍ଷା ହୋଇଥିବାରୁ କରୋନା ବିରୋଧରେ ଗେମ୍ଚେଞ୍ଜର ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ସମୟରେ ହୋଇଥିବା ସର୍ଭେ ବେଳେ ଟିକା ନେବାକୁ ୬୯% ଲୋକ ଆଦୌ ଆଗ୍ରହୀ ନଥିବା କହିଛନ୍ତି । ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଲୋକାଲ ସର୍କଲର ସଦସ୍ୟ ଡା ଅବଦୁଲ ଗଫରୁ ଡିସେମ୍ବର ମାସରେ ଆଉ ଗୋଟିଏ ସର୍ଭେ କରିଥିଲେ । ଏଥିରେ ସେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କୁ ଭେଟିଥିଲେ । ସର୍ଭେ ବେଳେ ଜଣାପଡ଼ିଥିଲା ଯେ ୫୫% ସ୍ୱାସ୍ଥ୍ୟକର୍ମୀ ତରବରିଆ ଭାବେ ଟିକା ନେବା ସପକ୍ଷରେ ନାହାନ୍ତି । ସମସ୍ତେ ଟିକାର ପାର୍ଶ୍ୱପ୍ରତିକ୍ରିୟା ଓ ଏହାର ପ୍ରଭାବକୁ ନେଇ ଚିନ୍ତିତ ବୋଲି ମତ ଦେଇଛନ୍ତି । ସର୍ଭେରେ ସାମିଲ ଥିବା ୬୦% ସ୍ୱାସ୍ଥ୍ୟକର୍ମୀ କରୋନା ରୋଗୀଙ୍କ ଚିକିତ୍ସାରେ ସାମିଲ ରହିଛନ୍ତି । ଅନ୍ୟପକ୍ଷରେ ଟିକାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ଟ୍ରାଏଲ ବେଳେ କ’ଣ ତଥ୍ୟ ମିଳିଛି, ସେକଥା ବିସ୍ତୃତ ଭାବେ ଲୋକଙ୍କ ପାଖରେ ପହଞ୍ଚି ନାହିଁ । ସେହିପରି ଟିକାର ପ୍ରଭାବ କ’ଣ ଓ କେତେ ଦିନ ଯାଏ ଲୋକଙ୍କ ଶରୀରରେ ରହିବ, ତା’ର ତଥ୍ୟ ମଧ୍ୟ ସାର୍ବଜନୀନ ହୋଇନାହିଁ । ତେଣୁ ଅଧିକାଂଶ ଭାରତୀୟ ତରବରିଆ ଭାବେ ଟିକା ନେବା ସପକ୍ଷରେ ନଥିବା ଜଣାପଡ଼ିଛି । ଏହାବାଦ୍ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଛି । ସରକାର କଟକଣା ମଧ୍ୟ କୋହଳ କରିଛନ୍ତି । ଏସବୁ ଦେଖି ଲୋକମାନେ ଆଉ କରୋନା ପାଇଁ ଟିକାର ଆବଶ୍ୟକ ନାହିଁ ବୋଲି ଭାବୁଛନ୍ତି । ବିଶେଷଜ୍ଞମାନେ କହିଛନ୍ତି, ଜାନୁଆରୀ ୩ରେ ଡିସିଜିଆଇ କୋଭାକ୍ସିନ ଓ କୋଭିସିଲ୍ଡକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଡିସିଜିଆଇ ଅଧିକାରୀମାନଙ୍କୁ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ । କିନ୍ତୁ ସେମାନେ ଟିକା ସମ୍ପର୍କରେ କୌଣସି ଉତ୍ତର ନ ଦେବାରୁ ଲୋକଙ୍କ ମନରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହି ସବୁ କାରଣରୁ ଟିକା ନେବାକୁ ୬୯% ଲୋକ କୁଣ୍ଠାବୋଧ ପ୍ରକାଶ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.