ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ସତ୍ୟ ପଲଙ୍କ ପରଲୋକ

0 80

ନୂଆଦିଲ୍ଲୀ, ୭ ।୧: ପ୍ରଖ୍ୟାତ ଫ୍ୟାଶନ ଡିଜାଇନର ଓ ନିଜର ପରିଶ୍ରମ ବଳରେ ଫ୍ୟାଶନ ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସତ୍ୟ ପଲ୍ଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ କୋଏମ୍ବାଟୁର ସ୍ଥିତ ଈଶା ଯୋଗ କେନ୍ଦ୍ରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟ ପଲଙ୍କ ପୁଅ ପୁନୀତ ନନ୍ଦ ଓ ଈଶା ଯୋଗ କେନ୍ଦ୍ରର ପ୍ରତିଷ୍ଠାତା ସଦଗୁରୁ ସୋଶାଲ ମିଡିଆରେ ସତ୍ୟ ପଲଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ପୁନୀତ ଫେସବୁକରେ କହିଛନ୍ତି ଯେ ଡିସେମ୍ବର ୨ରେ ସତ୍ୟ ପଲ ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ରହିବା ସମୟରେ ସେ ଧୀରେଧୀରେ ସୁସ୍ଥ ହୋଇଥିଲେ । ତେବେ ସତ୍ୟ ପଲଙ୍କ ଅନୁରୋଧକ୍ରମେ ତାଙ୍କୁ ଡାକ୍ତରମାନେ ଈଶା ଯୋଗ କେନ୍ଦ୍ରକୁ ପଠାଇ ଦେଇଥିଲେ । ୨୦୧୫ଠାରୁ ଏହି ଯୋଗ କେନ୍ଦ୍ର ହିଁ ତାଙ୍କ ଘର ରହିଥିଲା । ଏଠାରେ ରହିବା ସମୟରେ ସେ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସତ୍ୟ ପଲଙ୍କ ନାଁରେ ଗୋଟିଏ ଫ୍ୟାଶନ ବ୍ୟାଣ୍ଡ ମଧ୍ୟ ରହିଛି । ଆଜି ଏହି ବ୍ରାଣ୍ଡ ପକ୍ଷରୁ ଇନଷ୍ଟାଗ୍ରାରେ ସତ୍ୟ ପଲଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୬୦ ଦଶକରେ ସେ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ଏହାପରେ ସେ ଭାରତୀୟ ହ୍ୟାଣ୍ଡଲୁମ ପ୍ରଡକ୍ଟକୁ ୟୁରୋପ ଓ ଆମେରିକା ପଠାଇଥିଲେ । ୧୯୮୦ରେ ସେ ନିଜ ପୁଅଙ୍କ ସହ ମିଶି ଭାରତରେ ପ୍ରଥମ ଥର ପାଇଁ ଶାଢ଼ି ବଟିକ୍ ଖୋଲିଥିଲେ । ୧୯୮୬ରେ ସେ କପଡ଼ା ବ୍ରାଣ୍ଡ ପ୍ରତିଷ୍ଠା କରିଥିଲେ । ସତ୍ୟ ପଲ ଶାଢ଼ି, ସ୍କାର୍ଫ, ଷ୍ଟୋଲ, ସାଲ, ବ୍ୟାଗ, କପଡ଼ା, ଟାଇ ଓ ୱାଲେଟ ଭଳି ସାମଗ୍ରୀ ତିଆରି କରୁଥିଲେ ।

Leave A Reply

Your email address will not be published.