ଚୀନ୍ ଜଳରାଶିରେ ଫଶି ରହିଥିବା ଭାରତୀୟ ନାବିକଙ୍କ ଉଦ୍ଧାର ଲାଗି ହାତ ବଢାଇଲେ ଜିନ୍ଦଲ

0 67

ନୂଆଦିଲ୍ଲୀ ୮ ।୧: ଯଦି ଆମ ନାବିକମାନଙ୍କୁ ଘରକୁ ଫେରାଇ ଆଣିବାରେ ସହାୟକ ହୁଏ ତବେ ଜାହାଜରେ ଲଦା କୋଇଲା କିଣିବାକୁ ଆମେ ପ୍ରସ୍ତୁତ । ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଚେୟାରମ୍ୟାନ୍ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନବୀନ ଜିନ୍ଦଲ ଶୁକ୍ରବାର ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଏହା ଉଲ୍ଲେଖ କରିଛନ୍ତି । ଚୀନ୍ ଜଳ ରାଶିରେ ଦୀର୍ଘ ମାସ ହେଲା ଛିଡା ହୋଇ ରହିଥିବା ଜାହାଜରେ ଭାରତୀୟ ନାବିକମାନେ ଫଶି ରହିଛନ୍ତି । ଏଥିରେ ଚୀନ୍ ସରକାର ନା ଜାହଜଙ୍କୁ ବନ୍ଦର ପ୍ରବେଶ ଅନୁମତି ଦେଉନଥିବା ବେଳେ ଏଥିରେ ଥିବା କର୍ମଚାରୀଙ୍କୁ ଜାହାଜ ଛାଡି ଯିବାକୁ ଦେଉ ନାହାନ୍ତି । ଏଣୁ କର୍ମଚାରୀ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଏ ବାବଦରେ ଭାରତ ସରକାରଙ୍କ ପକ୍ଷରୁ ଚୀନକୁ ବାରମ୍ୱାର ନିବେଦନ କରାଯାଉଥିଲେ ମଧ୍ୟ ସରକାର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଉଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନି । ଏଣୁ ପୂର୍ବତନ କଂଗ୍ରେସ ନେତା ନବୀନ ଜିନ୍ଦଲ ଏହାକୁ ଗୁରୁତର ମାନବୀୟ ସଂକଟ ବୋଲି ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ଓ ନାବିକଙ୍କ ଉଦ୍ଧାର ଲାଗି ଏଥିରେ ଲଦା କୋଇଲା କିଣିବାକୁ ସେ ପ୍ରସ୍ତୁତ ବୋଲି ଉଲ୍ଲେଖ କରିଛନ୍ତି । ଜାହଜରେ ନାବିକଙ୍କ ପରିସ୍ଥିତି ନେଇ “ଦି ମେରିଟାଇମ ଏକଜ୍ୟୁକୁଟିଭ’ରେ ପ୍ରକାଶିତ ରିପୋର୍ଟ ଆଧାରରେ ନବୀନ ତାଙ୍କ ସହାୟତାର ହାତ ପ୍ରସାରିଛନ୍ତି । ଯେଉଁଥିରେ ଜଣେ ନାବିକଙ୍କ ପରିବାର କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବାରୁ ସେ ଘରକୁ ଫେରି ପରିବାରର ସହାୟତା ନିମନ୍ତେ ନିବେଦନ କରିଥିଲେ । ହେଲେ ତାଙ୍କ ନିବେଦନ ଅଗ୍ରାହ୍ୟ ହୋଇଯିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଜାହାଜରେ ୩୯ ଜଣ ଭାରତୀୟ ନାଗରିକ ଫଶି ରହିଛନ୍ତି । ଯେଉଁମାନେ ନା ଜାହାଜକୁ ବନ୍ଦରକୁ ନେଇ ପାରୁଛନ୍ତି ନା ନିଜେ ଘରକୁ ଫେରି ପାରୁଛନ୍ତି । ଚୀନ୍ ଲାଗି ଅଷ୍ଟ୍ରେଲିଆରୁ କୋଇଲା ପରିବହନ କରୁଥିବା ଭାରତର ଗ୍ରେଟ୍ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ଦୁଇ ଜାହାଜ ଆନାଷ୍ଟାସିଆ (ଆଇଏମଓ-୯୬୨୫୯୭୦) ଓ ଜଗଆନନ୍ଦ କୋଇଲା ବୋଝେଇ ନେଇ ଚୀନ୍ ଜଳରାଶିରେ ପ୍ରବେଶ କରିଥିଲେ । ତେବେ ଅଷ୍ଟ୍ରେଲିଆ ସହ ବ୍ୟବସାୟୀକ ଯୁଦ୍ଧରେ ଦୁଇ ଜାହାଜ, ଏଥିରେ ଥିବା ପଣ୍ୟ ଓ ନାବିକ ଏବେ ଫଶିଯାଇଛନ୍ତି । ତେବେ ଅଷ୍ଟ୍ରେଲିଆରୁ କୋଇଲା ବୋଝଇ ନେଇ ଯାଇଥିବା ଅନ୍ୟ ଦେଶର ଜାହାଜମାନେ ଅନେକ ସମୟରୁ ଅପଲୋଡ କରି ଫେରିସାରିଥିବା ବେଳେ ୨ ଭାରତୀୟ ଜାହାଜଙ୍କୁ ଚୀନ୍ ସରକାର ଜଳବନ୍ଦୀ କରିଥିବା ଭଳି ମନେ ହେଉଛି । ଏଣୁ ଜିନ୍ଦଲ ଦୁଇ ଜାହାଜରେ ବୋଝେଇ କୋଇଲା କିଣି ନେବା ସର୍ତ୍ତରେ ଭାରତ ଫେରାଇ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.