ଲାଲୁଙ୍କ ଜେଲ ମାନୁଆଲ ଉଲ୍ଲଂଘନ ମାମଲା

0 89

ସରକାର ଆଇନରେ ଚାଲେ: ହାଇକୋର୍ଟ

ରାଞ୍ଚି,୮ ।୧: ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜେଲ ମାନୁଆଲ ଉଲ୍ଲଂଘନ ମାମଲାର ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି । ଏଥିରେ ଅନ୍ୟ ବିକଳ୍ପ ଲାଗି ଚର୍ଚ୍ଚା ଅଥବା ଉଚ୍ଚ ଅଧିକାରୀଙ୍କ ପରାମର୍ଶ ବିନା “ରିମସ୍’ ନିର୍ଦ୍ଦେଶକଙ୍କ ବଙ୍ଗଳାରେ ଲାଲୁଙ୍କୁ ରଖାଯାଇଥିବାରୁ ହାଇକୋର୍ଟ ଗମ୍ଭୀର ମନ୍ତବ୍ୟ ଦେଇଛନ୍ତି । ଉଚ୍ଚ ନ୍ୟାୟାଳୟଙ୍କ ବିଚାରପତି ଜଷ୍ଟିସ୍ ଅପରେସ ସିଂହ ମାମଲାର ଶୁଣାଣି କରି ସରକାର ଆଇନରେ ଚାଲନ୍ତି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ନୁହଁ ବୋଲି କହିଛନ୍ତି । ଏହା ଛଡା କୋର୍ଟ ମାମଲାରେ ରାଜ୍ୟ ସରକାର ଓ ଜେଲ ବିଭାଗ ଆଇଜିଙ୍କୁ ନିୟମାବଳୀ (ଏସଓପି) ମାଗିଛନ୍ତି । ତେବେ ମାମଲାରେ ଜେଲ ବିଭାଗ ପ୍ରଥମରୁ ନିଜକୁ ପୃଥକ କରିଦେଇଥିଲେ । ରିମସ୍ ଚିକିତ୍ସାଧିନ ଲାଲୁଙ୍କୁ ହସ୍ପିଟାଲରୁ ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ସିଫ୍ଟ କରିବା ଲାଗି ଜେଲ ଅଧିକ୍ଷକ ନିଷ୍ପତ୍ତି ନେଇ ନଥିଲେ ବୋଲି କୋର୍ଟଙ୍କୁ କହିଥିଲେ । ତେବେ ଶୁକ୍ରବାର ଶୁଣାଣି ବେଳେ ଜେଲ ବିଭାଗ ଆଇଜି କୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି । ଏଥିରେ କରୋନା ସଂକ୍ରମଣରୁ ସୁରକ୍ଷା ଲାଗି ରିମସ୍ ପ୍ରବନ୍ଧନ ଲାଲୁଙ୍କୁ ନିର୍ଦ୍ଦେଶକଙ୍କ ବଙ୍ଗଳାକୁ ସିଫ୍ଟ କରିଥିଲେ ବୋଲି କୁହାଯାଇଛି । ସେହିପରି ଜେଲରୁ କୈଦୀ ଚିକିତ୍ସା ଲାଗି ସିଫ୍ଟ ହେଲେ ତାଙ୍କର ସୁରକ୍ଷା ବ୍ୟବସ୍ଥା କିପରି କରାଯିବ ସେ ନେଇ ଜେଲ ମାନୁଆଲରେ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନଥିବା କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଲାଲୁ ପ୍ରସାଦ ଯାଦବ ରିମସ୍ରେ ଚିକିତ୍ସାଧିନ ଥିବା ବେଳେ କରୋନା ବ୍ୟାପିଥିଲା । ଏଣୁ କୋଭିଡରୁ ରୋଗୀଙ୍କୁ ସୁରକ୍ଷିତ ରଖିବା ଲାଗି ନିଆଯାଇଥିବା ପଦକ୍ଷେପରେ ପେଇଂ ୱାର୍ଡରେ ରହି ଚିକିତ୍ସିତ ହେଉଥିବା ଲାଲୁଙ୍କୁ ରିମ୍ସ ନିର୍ଦ୍ଦେଶକଙ୍କ ବଙ୍ଗଳାରେ ରଖା ଯାଇଥିଲା । ଏ ନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହେବା ପରେ ଝାରଖଣ୍ଡ ରାଜ୍ୟ ସରକାର ତରବରିଆ ଭାବେ ବ୍ୟବସ୍ଥା ସଜାଡିବାରେ ଲାଗିଛନ୍ତି ।

Leave A Reply

Your email address will not be published.