ପରୀକ୍ଷାରେ ପାସ ଜଣେ,ସାର୍ଟିଫିକେଟ ଆସିଲା ଅନ୍ୟ ନାମରେ

0 74

କଲେଜରେ ଆଡମିଶନ୍ ନ ପାଇ ଛାତ୍ରୀ ହତାଶ

ପାରଳାଖେମୁଣ୍ଡି,୦୯ା୦୧: ଗଜପତି ଜିଲ୍ଲାରେ ଏକ ବିରଳ ଘଟଣା ଦେଖା ଦେଇଛି । ଦଶମ ଶ୍ରେଣୀ ପରୀକ୍ଷା ଦେଇ ପାସ ହେଲେ ଜଣେ ଛାତ୍ରୀ । ପରୀକ୍ଷା ଫଳରେ ଛାତ୍ରୀ ଜଣକ ପାସ କଲେ । କିନ୍ତୁ ସାର୍ଟିଫିକେଟ ଆସିଲା ଅନ୍ୟ ଜଣଙ୍କ ନାମରେ । ଏଭଳି ଏକ ବିରଳ ଘଟଣା ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଘଟିଛି । ଘଟଣାରୁ ପ୍ରକାଶ, ତାବରସିଂ ଗ୍ରାମ ଅନେସି କାର୍ଯୀଙ୍କ ଝିଅ ସସ୍ମିତା କାର୍ଯୀ ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ସେ ଏହି ଜିଲ୍ଲାର କରଡାସିଂ ଗ୍ରାମର ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢୁଥିଲେ । ରାୟଗଡ ବ୍ଲକ ମହକୁମାରେ ଥିବା ହାଇସ୍କୁଲରେ ସସ୍ମିତା ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ।ପରୀକ୍ଷା ଫଳ ଠିକ ସମୟରେ ବାହାରି ଥିଲା । ଏଥିରେ ସେ ପାସ କରିଥିଲେ । ପରୀକ୍ଷା ଫଳର କିଛି ଦିନ ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଆସିଥିଲା । ସସ୍ମିତା ନିଜର ଆଡମିଟ୍କାର୍ଡ ଧରି ସାର୍ଟିଫିକେଟ ଆଣିବା ପାଇଁ ସମ୍ପୃକ୍ତ ହାଇସ୍କୁଲକୁ ଯାଇଥିଲେ । ହେଲେ ତାଙ୍କ ରୋଲ୍ ନମ୍ବରରେ ଅନ୍ୟ ଜଣେ ଛାତ୍ରୀଙ୍କ ନାମରେ ପାସ ସାର୍ଟିଫିକେଟ ଆସିଥିଲା । ଏହାକୁ ଦେଖି ସସ୍ମିତା ବ୍ୟତିବ୍ୟସ୍ତ ହୋଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଏଭଳି ଘଟଣା ଦେଖି ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ସମସ୍ତ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ପ୍ରଧାନଶିକ୍ଷକ ବେଣୁ ମାଧବ ପଟ୍ଟନାୟକ କହିଥିଲେ କୌଣସି ତ୍ରୁଟି ଯୋଗୁଁ ଏପରି ହୋଇଛି । ତୁମ ନାମରେ ସାର୍ଟିଫିକେଟ ସଂଶୋଧନ ପାଇଁ କଟକ ବୋର୍ଡ ଅଫିସକୁ ପଠାଯିବ । ସଂଶୋଧିତ ସାର୍ଟିଫିକେଟ ଆସିବା କ୍ଷଣୀ ତୁମକୁ ଦିଆଯିବ । ଇତି ମଧ୍ୟରେ ୮ମାସରୁ ଉଦ୍ଧ୍ୱର୍ ସମୟ ବିତି ଯାଇଥିଲେ ସୁଦ୍ଧା ସଂଶୋଧିତ ସାର୍ଟିଫିକେଟ ଆସିନାହିଁ । ସସ୍ମିତା ବାରମ୍ବାର ପ୍ରଧାନଶିକ୍ଷକଙ୍କ ନିକଟକୁ ଯାଉଛି । ହେଲେ ଗୋଟିଏ କଥା ସାର୍ଟିଫିକେଟ ଆସିନାହିଁ । ଆସିଲେ ତୁମକୁ ଖବର ଦେବୁ । ସସ୍ମିତା ଓ ତାର ପରିବାର ଏଥିରେ ଅତ୍ୟନ୍ତ ଦୁଖ ପ୍ରକାଶ କରି ହତାଶ ହୋଇ ପଡିଛନ୍ତି । ଗତକାଲି ଠାରୁ +୨ କଲେଜ ଖୋଲିଲା । ସସ୍ମିତାଙ୍କ ସହ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରଛାତ୍ରୀମାନେ +୨ କଲେଜକୁ ପାଠ ପଢିବା ପାଇଁ ଗଲେ । ହେଲେ ପରୀକ୍ଷା ପାସ କରି ସୁଦ୍ଧା ସସ୍ମିତା ଯାଇପାରିଲା ନାହିଁ +୨ କଲେଜକୁ, ହତାଶ ହୋଇ ଏକାକୀ ରହିଗଲା ନିଜ ଘରେ । ଏଥି ପାଇଁ ଦାୟୀ କିଏ ? ଏଭଳି ସାଙ୍ଘାତିକ ତ୍ରୁଟି କଲା କିଏ ? ପରୀକ୍ଷାରେ ପାସ କରି ମଧ୍ୟ କଲେଜକୁ ପାଠ ପଢିବାକୁ ନ ଯାଇ ସସ୍ମିତାର ଏକ ବର୍ଷର ପାଠପଢା ଭବିଷ୍ୟତ ନଷ୍ଟ ହେବାକୁ ଯାଉଛି । ଏହି ଘଟଣାରେ ତ୍ରୁଟି ଓ ଅବହେଳା କରିଥିବା କର୍ମଚାରୀମାନଙ୍କୁ ଉଚିତ ଦଣ୍ଡ ଦେବା ଆବଶ୍ୟକ । ହେଲେ ସର୍ବ ପ୍ରଥମେ ସସ୍ମିତାର ସଂଶୋଧିତ ସାର୍ଟିଫିକେଟ ତୁରନ୍ତ ଆଣି +୨ କଲେଜରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ ।

Leave A Reply

Your email address will not be published.