ଟିକିଏ ଅସାବଧାନତା ବିପଦ ଡାକିବ

0 75

ଚୀନ୍ର ଉହାନ୍ ସହରରୁ ବ୍ୟାପିଥିବା କରୋନା ଭୂତାଣୁଜନିତ ସଂକ୍ରମଣ ଏବେ ଆମ ଦେଶରେ କମିବାରେ ଲାଗିଛି । ଗତ କିଛିଦିନ ହେଲା ଏହା କମୁଥିବାରୁ ଲୋକେ ଏବଂ ସରକାର ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ବ୍ରିଟେନ୍ରେ ଚିହ୍ନଟ ହୋଇଥିବା କରୋନାର ନୂଆ ତଥା ରୂପାନ୍ତରିତ ଭୂତାଣୁ (ବି-୧-୭)ରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆମ ରାଜ୍ୟରେ ସବୁ ଧର୍ମାନୁଷ୍ଠାନ ଧିରେ ଧିରେ ଖୋଲିବାରେ ଲାଗିଛି । ଶ୍ରୀମନ୍ଦିର ଖୋଲିଥିବାରୁ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ଏବେ ଯାହା ଦେଖାଯାଉଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଏହାର କାରଣ ହେଲା କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ । ଏହି କୋଭିଡ୍ ସାର୍ଟିଫିକେଟ୍ ଏବେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସଦୃଶ ଠିଆ ହୋଇଛି । ବାହାର ରାଜ୍ୟର ଭକ୍ତମାନେ ପୁରୀକୁ ଆସୁଛନ୍ତି । ସବୁଠାରୁ ଭୟର ବିଷୟ ହେଲା ଏହି ବାହାର ରାଜ୍ୟର ୧୧ଜଣ ପର୍ଯ୍ୟଟକ କରୋନା ପଜିଟିଭ୍ ଚିହ୍ନଟ ପରେ ପୁରୀ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଛି । କିଛିଦିନ ହେଲା କରୋନା ସଂକ୍ରମଣରୁ ଉଦ୍ଧାର ହୋଇଥିବା ପୁରୀ ସହର ପୁଣି ସଂକ୍ରମଣମୁହାଁ ଆଡ଼କୁ ଗତି କରୁଛି । ମାର୍ଚ୍ଚରେ ଯେତେବେଳେ କରୋନା ମହାମାରୀକୁ ନେଇ ଆତଙ୍କ ଦେଖାଦେଇଥିଲା ସେ ସମୟରେ ପିପିଲିର ଜନୈକ ବ୍ୟକ୍ତି କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ସମୟରେ ପୁରୀବାସୀଙ୍କ ମନରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ବିଦେଶୀ ରୋଗ ଆସି ପୁରୀରେ ପହଞ୍ôଚ ଲୋକଙ୍କୁ ଭୟଭୀତ କରିଥିଲା । ପରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଲା । ପୁରୀ ପୌରାଞ୍ଚଳରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅଗଷ୍ଟ ଓ ସେପ୍ଟେମ୍ବରରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏତେ ବଢ଼ିଯାଇଥିଲା ଯେ ସାରା ରାଜ୍ୟରେ ପୁରୀ ତୃତୀୟ ସ୍ଥାନରେ ରହିଥିଲା । ଖାଲି ସଂକ୍ରମଣ ନୁହେଁ ମୃ୍ତ୍ୟୁସଂଖ୍ୟା ମଧ୍ୟ ଚିନ୍ତାଜନକ ହୋଇଥିଲା । ଏହାକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଘର ଘର ବୁଲି ସର୍ଭେ କରାଯାଇଥିଲା । ଶେଷରେ ମହାମାରୀ ନିୟନ୍ତ୍ରଣକୁ ଆସିଥିଲା । ଏବେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥିବାବେଳେ ଏଥିପାଇଁ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପୁରୀ ଜିଲ୍ଲାରେ ବାହାର ଭକ୍ତ କୋଭିଡ୍ ଟେଷ୍ଟ କରିପାରିବେନି ବୋଲି ଜିଲ୍ଲାପାଳ କହିଥିଲେ । ତେଣୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାହାର ଭକ୍ତଙ୍କ କୋଭିଡ୍ ଟେଷ୍ଟ ବନ୍ଦ କରିଦିଆଯାଇଛି । କିନ୍ତୁ ଜିଲ୍ଲା ଭିତରେ ଘରୋଇ ଡାକ୍ତରଖାନା ଉପରେ ପ୍ରଶାସନର ଲଗାମ ରହୁନି । ତେଣୁ ଘରୋଇ ଡାକ୍ତରଖାନାରେ ବାହାର ପର୍ଯ୍ୟଟକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି । ଏହିସବୁ ସ୍ଥାନରେ କରୋନା ଗାଇଡ୍ଲାଇନ୍କୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ନା ସେଠାରେ ସାମାଜିକ ଦୂରତା ନା ମାସ୍କ କଟକଣା ରକ୍ଷା ହେଉଛି । ଯଦ୍ୱାରା ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯଦି ଏବେ ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ସଜାଗ ନହୁଏ ତେବେ ଏହି ମହାମାରୀ ଖାଲି ପୁରୀ ନୁହେଁ ପୁଣି ସମଗ୍ର ରାଜ୍ୟରେ ତାର ବିତ୍ପାତ ଆରମ୍ଭ କରିବ । ବିଶେଷକରି କରୋନାର ନୂଆ ଷ୍ଟ୍ରେନ୍ ଏବେ ଆମ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି । ଖାଲି ପ୍ରଶାସନ ନୁହେଁ ଲୋକମାନେ ମଧ୍ୟ ସଚେତନ ହେବା ଦରକାର । କରୋନାର ପ୍ରକୋପ କମୁଥିବାରୁ ଲୋକମାନେ ଆଉ ଆଗଭଳି ଗାଇଡ୍ଲାଇନ୍କୁ ମାନିବା ଭଳି ଦେଖାଯାଉନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨ ମାସ ସତର୍କ ରହିବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି । ଏ ଭିତରେ ଟିକାର ଡ୍ରାଏ ରନ୍ ଶେଷ ହୋଇଛି । ଆଉ ଅଳ୍ପ ଦିନ ପରେ ଟିକା ଆସି ପହଞ୍ôଚବ । ତେଣୁ ସେ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ଧରି ଏହି ମହାମାରୀକୁ ହାଲ୍କା ଭାବେ ନନେଇ ମୁକାବିଲା କରିବାକୁ ପଡ଼ିବ । ଆମର ଟିକିଏ ଅସାବଧାନତା ଆମକୁ ପୁଣି ବିପଦମୁହଁକୁ ଠେଲିଦେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.