ମାତିଛନ୍ତି ଝାଡଖଣ୍ଡ ଜମତରା ସାଇବର ଠକ

0 67

ନୂଆଦିଲ୍ଲୀ, ୧୧ ।୧: ଅକ୍ଷର ଲେଖି ବି ଶିଖି ନାହାନ୍ତି । ନିଜର ନାଁ ବି ଲେଖିପାରିବେନି ହେଲେ ଲୋକଙ୍କ ଆକାଉଣ୍ଟରୁ ଉଡେଇ ଦେଉଛନ୍ତି ଲକ୍ଷଲକ୍ଷ ଟଙ୍କା । କେବଳ ଦେଶ ନୁହେଁ ଏବେ ଝାଡଖଣ୍ଡ ଜମତାରା ସାଇବର ଠକଙ୍କ ଲାଗି ବିଦେଶରେ ମଧ୍ୟ ଆତଙ୍କ ଖେଳିଯାଇଛି । ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଏହି ଅପରାଧ ଅପାଠୁଆଙ୍କ ଦ୍ୱାରା କିପରି ସମ୍ଭବ ହେଉଛି, ତାର ଅନୁଧ୍ୟାନ ଲାଗି ଆମେରିକୀୟ ସାଇବର ରିସର୍ଚ୍ଚ ଟିମ ଜମତାରା ଆସିବେ । ଏଥିଲାଗି ଝାଡଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଜମତାରା ଏସପିଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ଆକାଉଣ୍ଟ ଅପଡେଟ୍ କରିବା, ଏଟିଏମ ବ୍ଲକ ହେବ ଆଦି ମିଥ୍ୟା ସୂଚନା ଦେଇ ଅଥବା ଏଟିଏମ ମେସିନ କ୍ଲୋନିଂ କରି ଆକାଉଣ୍ଟ ଖାଲି କରିନେବା ଜମତରା ସାଇବର ଅପରାଧିଙ୍କ ଲାଗି ବାଁ ହାତର ଖେଳ । କେବଳ ଝାଡଖଣ୍ଡରେ ନୁହେଁ ଏମାନେ ସାରା ଦେଶରେ ଏପରିକି ବିଦେଶରେ ଲୋକଙ୍କ ଆକାଉଣ୍ଟ ଝାଡୁମାରୁଛନ୍ତି । ଗତ ଦିନରେ ଜମତରାର ଏକ ସାଇବର ଠକ ଦିଲ୍ଲୀରେ ଧରାପଡିଥିଲା । ସେ ଅନୁନ୍ୟ ୫୦ଲକ୍ଷ ଟଙ୍କା ଠକିଥିବା ପଚରାଉଚୁରାରୁ ଜଣାପଡିବା ପରେ ପୋଲିସର ବୁଦ୍ଧି ହଜିଯାଇଥିଲା । ଜମତରାର କରମାଟାଣ୍ଡ ସାଇବର ଅପରାଧୀଙ୍କ ଗଡ଼ ବୋଲି ଜଣାପଡିଛି । ଗାଁର କିଏ ଭଲ ଲୋକ କିଏ ସାଇବର ଅପରାଧୀ ତାହା ଜାଣିବା କଷ୍ଟକର । ଏଥିରେ ଯଦି ପୋଲିସ କାହାକୁ ସନ୍ଦେହରେ ଅଟକ କରି ପୋଲିସିଆ ଶୈଳୀରେ ଇଣ୍ଟ୍ରୋଗେସନ କରେ ତା ଠୁ ଠକେଇ ନେଇ କିଛି ନା କିଛି ତଥ୍ୟ ମିଳିବା ନିଶ୍ଚିତ । ଏଥିଲାଗି ପିଲାଙ୍କୁ ସେମାନଙ୍କ ଅଭିଭାବକ ହିଁ ଏଠାରେ ପ୍ରୋତ୍ସାହିତ କରୁଛନ୍ତି । ଗାଁରେ ଦିନରାତି ଲୋକେ କେବଳ ଏହି କାମରେ ହିଁ ଲାଗିଛନ୍ତି । ପୋଖରୀ କୂଳ ହେଉ କି ବାଉଁଶ ଝାଡି କିଏ ନା କିଏ କାନରେ ଫୋନ ଲଗାଇ ଲୋକଙ୍କୁ ଫସାଉଥିବାର ଦୃଶ୍ୟ ଏଠାରେ ସାଧାରଣ । ଗାଁର ଶତପ୍ରତିଶତ ଲୋକେ ନିରକ୍ଷର । ଅପାଠୁଆ ହୋଇ ମଧ୍ୟ କିପରି ମୋବାଇଲ ଫୋନରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ, ଡେବିଟକାର୍ଡ ସଫା କରିଦେଉଛନ୍ତି ତାହା ହିଁ ଏବେ ଆଶ୍ଚର୍ଯ୍ୟର ବିଷୟ । ଉଚ୍ଚ ବୈଷୟିକ ଶିକ୍ଷାଗତ ଯୋଗ୍ୟତାଧାରୀ ମଧ୍ୟ ଏମାନଙ୍କ ଜାଲରେ ଫଶି ନିଜର ସଞ୍ଚିତ ହରାଉଛନ୍ତି । କେବଳ ଦେଶ ନୁହେଁ ବିଦେଶରୁ ବି ଏମାନେ ଅକ୍ଳେଶରେ ଠକେଇ କରିପାରୁଛନ୍ତି । ଆମେରିକାରେ ଏପରି ମାମଲା ବଢିବା ପରେ ସେଠାକାର ସାଇବର ଗବେଷକ ଦଳ ଗାଁକୁ ଆସି ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ଏବେ ଗବେଷଣା କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.