ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଗତ

0 72

ୱାଶିଂଟନ, ୧୨ ।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଛି । ଏହା ପୂର୍ବରୁ ସେ ହିଂସା ଭଳି ବାବଦରେ ଛନ୍ଦି ହୋଇଛନ୍ତି । ଜାନୁଆରୀ ୬ ହିଂସା ଘଟଣା ପରେ ଟ୍ରମ୍ପଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ତାଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ସଂସଦରେ ଆନୁଷ୍ଠାନିକ ଭାବେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ବିରୋଧୀ ଡେମୋକ୍ରାଟିକ ଦଳ ଏହି ମହାଭିଯୋଗ ପ୍ରସ୍ତାବ ଜରିଆରେ ଟ୍ରମ୍ପଙ୍କୁ ବହିଷ୍କାର କରିବାକୁ ଦାବି କରିଛି । ଏବେ ସଂସଦରେ ଡେମୋକ୍ରାଟ୍ସଙ୍କ ପ୍ରସ୍ତାବ ସଂରକ୍ଷିତ ରହିଛି । ଭୋଟିଂ ହେବ କି ନାହିଁ ସ୍ଥିର ହୋଇନାହିଁ । ଟ୍ରମ୍ପ ହେଉଛନ୍ତି ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ ଆସିଛି । ଏହି ମହାଭିଯୋଗ ପ୍ରସ୍ତାବକୁ ଡେମୋକ୍ରାଟିକ ସାଂସଦ ଜାମି ରୁସ୍କିନ୍, ଡେଭିଡ ସିସିଲିନ୍ ଏବଂ ଟେଡ୍ ଲ୍ୟୁ ଆଣିଛନ୍ତି । ଆମେରିକାର ପ୍ରତିନିଧି ସଭାର ୨୧୧ ଜଣ ସଦସ୍ୟ ସମର୍ଥନ କରିଛନ୍ତି । ପ୍ରସ୍ତାବ ଅନୁଯାୟୀ ରାଷ୍ଟ୍ରପତି ଟ୍ରମ୍ପ ଜାନୁଆରୀ ୬ରେ ଦେଶଦ୍ରୋହ ଭଳି ସ୍ଥିତି ତିଆରି କରିଛନ୍ତି । ଭୋଟ୍ ଗଣତି ଚାଲିଥିବାବେଳେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ବିଲଡିଂକୁ ଅବରୋଧ କରି ହିଂସାକୁ ପ୍ରବର୍ତ୍ତାଇଥିଲେ । ସୂଚନାଯୋଗ୍ୟ, ଏହି ଘଟଣାରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ମୋଟ୍ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ବହିଷ୍କାର କରିବା ପାଇଁ ୨୫ ତମ ସଂଶୋଧନକୁ କାର୍ଯ୍ୟକାରୀ କରିବାକୁ ଉପରାଷ୍ଟ୍ରପତି ପେନ୍ସଙ୍କ ନିକଟରେ ଆଗତ ହେବ । ତେବେ ସୋମବାର ରିପବ୍ଲିକାନ୍ ଆଇନଜୀବୀମାନେ ଗୃହରେ ଡେମୋକ୍ରାଟିକ୍ ସଦସ୍ୟଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଚଳିତ ସପ୍ତାହରେ ଏନେଇ ମତଦାନ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.