କେନ୍ଦ୍ରୀୟ ଅନୁଦାନ ହ୍ରାସକୁ ନେଇ ଚିନ୍ତା

0 64

କରୋନାରେ ବିଗିଡ଼ିଥିବା ଅର୍ଥନୀତିର ସୁଧାର ପାଇଁ ଏବେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ୩ମାସରେ ଅତି କମ୍ରେ ୫୦ହଜାର କୋଟି ଟଙ୍କା ବ୍ୟୟ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ଆର୍ଥିକ ପ୍ରଦର୍ଶନରୁ ଜଣାଯାଇଛି ଯେ ଅନେକ ପ୍ରଶାସନିକ ବିଭାଗ ଅର୍ଥ ବ୍ୟୟ କ୍ଷେତ୍ରରେ ପଛରେ ପଡ଼ିଛନ୍ତି । ତେଣୁ ଯୋଜନା ବ୍ୟୟ ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ତ୍ୱରିତ ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଇଛି । ବାର୍ଷିକ ବଜେଟ୍ରେ ୧,୫୬,୪୯୮ କୋଟି ଖର୍ଚ୍ଚ ଆକଳନ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ମାତ୍ର ୭୫,୩୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଦନୁଯାୟୀ ଜାନୁଆରୀ, ଫେବୃୟାରୀ ଓ ମାର୍ଚ୍ଚ ମାସରେ ୪୯,୬୭୯ କୋଟି ଟଙ୍କା ଖର୍ଚ୍ଚ ହେବ । ଗତବର୍ଷ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ କରୋନା ମହାମାରୀଜନିତ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଅର୍ଥଖର୍ଚ୍ଚ ଅତ୍ୟନ୍ତ ଧିମା ରହିଥିଲା ଯାହା ରାଜ୍ୟ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେବେ ଏବେ ସ୍ଥିତିରେ ସୁଧାର ଆସୁଥିବାରୁ ବିଭିନ୍ନ ଯୋଜନାରେ ଅଧିକ ଅର୍ଥ ବ୍ୟୟ ଲକ୍ଷ୍ୟ ରହିଛି । ଯୋଜନା ବ୍ୟୟ ବାବଦରେ ୮୦,୭୨୯ କୋଟି ଟଙ୍କାର ବରାଦ ଥିବାବେଳେ ସେଥିମଧ୍ୟରୁ ଡିସେମ୍ବର ଶେଷ ସୁଦ୍ଧା ମାତ୍ର ୩୯ପ୍ରତିଶତ ଅର୍ଥାତ ୩୧,୨୫୪ କୋଟି ଖର୍ଚ୍ଚ ହୋଇଛି । ତେଣୁ ଆର୍ଥିକ ବର୍ଷର ଶେଷ ୩ ମାସରେ ଯୋଜନା ବ୍ୟୟ ବାବଦରେ ୨୮,୭୪୬ କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ରହିଛି । ଯୋଜନା ବ୍ୟୟ ବାବଦରେ ବିଭାଗଗୁଡ଼ିକ ମାର୍ଚ୍ଚ ୩୧ ସୁଦ୍ଧା ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଥିବାବେଳେ ବିଗତ ୯ ମାସରେ କିନ୍ତୁ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ହୋଇନାହିଁ । ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧,୨୫,୦୦୦ କୋଟି ଟଙ୍କା ପାଇବାର ଆକଳନ କରିଥିଲେ । ତେବେ ଡିସେମ୍ବର ଶେଷ ସୁଦ୍ଧା ୬୭,୯୨୩ କୋଟି ଟଙ୍କାର ରାଜସ୍ୱ ମିଳିଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଆଉ ୩୨ହଜାର ୧୦୫ କୋଟି ଟଙ୍କା ରାଜସ୍ୱ ମିଳିବାର ଆଶା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ କମ୍ ପରିମାଣରେ ଅର୍ଥ ପାଇଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର ୬୮,୩୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ପାଇଛନ୍ତି ମାତ୍ର ୩୩,୮୭୨ କୋଟି ଟଙ୍କା ଯାହା ଲକ୍ଷ୍ୟର ୧୯.୫ ପ୍ରତିଶତ କମ୍ । ଅନୁରୂପଭାବେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୨ହଜାର କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଡିସେମ୍ବର ଶେଷ ସୁଦ୍ଧା ମିଳିଛି ମାତ୍ର ୧୬,୬୬୯ କୋଟି ଟଙ୍କା ଯାହାକି ଆକଳନ ଠାରୁ ୧୬ ପ୍ରତିଶତ କମ୍ । କେନ୍ଦ୍ରରୁ ଯେଉଁ ହାରରେ ଅର୍ଥ ମିଳୁଛି ତଦନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଆକାରରେ ଆଉ ୬୭୦୦ କୋଟି ଟଙ୍କା ମିିଳିବ ଯାହା ବଜେଟ୍ରେ ହୋଇଥିବା ଆକଳନ ଠାରୁ ଢ଼େର୍ କମ୍ । କରୋନାରେ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବା ପାଇଁ ଟିକସ ଆଦାୟ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ଏଥିପାଇଁ ସମସ୍ତ ଶକ୍ତି ଖଟାଇବାରେ ଲାଗିଛନ୍ତି । ଏବେଠାରୁ ପ୍ରସ୍ତୁତ ନହେଲେ ଆଗକୁ ଯେ ରାଜ୍ୟର ଅର୍ଥନୀତି ଭୁଶୁଡ଼ି ପଡ଼ିବ ଏକଥା ବିଚାର କରି ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.