ମହାପ୍ରୟାଣ ଭ୍ୟାନ୍ ନ ମିଳିବାରୁ ବାଇକ୍ରେ ବୋହିଲେ ଶବ

0 74


ପାରଳାଖେମୁଣ୍ଡି,୧୪ା୦୧: ଗଜପତି ଜିଲ୍ଲାରେ ଏକ ଦୁଖଃଦ ହୃଦୟ ବିଦାରକ ଘଟଣା ସାଧାରଣରେ ବେଶ୍ ଉଦବେଗ ପ୍ରକାଶ ପାଇଛି । ଚିକିତ୍ସା ସମୟରେ ସରକାରୀ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ପରେ ଶବକୁ ନିଜ ଗ୍ରାମକୁ ନେବା ପାଇଁ ମହାପ୍ରୟାଣ ଭ୍ୟାନ୍ ଯୋଗାଇ ଦିଆଯିବ ନାହିଁ ବୋଲି କହିବା ପରେ ମୃତ ବ୍ୟକ୍ତିଙ୍କ ପରିବାର କୌଣସି ରାସ୍ତା ନ ପାଇ ଶବକୁ ମୋଟର ସାଇକେଲ୍ରେ ଘରକୁ ନେବାକୁ ବାଧ୍ୟ ହେଲେ । ଏହି ଘଟଣା ନେଇ ସମଗ୍ର ଗଜପତି ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣା ନେଇ ଗଜପତି ସିଡିଏମ୍ଓ ପ୍ରଦୀପ କୁମାର ପାତ୍ର ଗଭୀର ଦୁଃଖ ପ୍ରକାଶ କରି ଏଥି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଯାନର ବ୍ୟବସ୍ଥା ହୋଇଛି । ତଥାପି ଶେଷଯାତ୍ରା ବେଳକୁ ି ମହାପ୍ରୟାଣ ଯାନର ବ୍ୟବସ୍ଥା କରାଯାଉ ନାହିଁ । କେଉଁଠି ରିକ୍ସାରେ କେଉଁଠି କାନ୍ଧରେ ତ ବର୍ତ୍ତମାନ ବାଇକ୍ରେ ଶବ ବୁହା ଚାଲିଛି । ଯାହାର ଏକ ଉଦାହରଣ ଗତକାଲି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ଡାକ୍ତରଖାନାରେ ମୃତ୍ୟୁ ପରେ ପରିବାର ଲୋକେ ବାଇକ୍ ଯୋଗେ ୭ କି.ମି ଶବକୁ ବୋହି ନିଜ ଗ୍ରାମକୁ ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଏ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ନିବେଦିତା ସାହୁଙ୍କୁ ଯୋଗାଯୋଗ ପରେ ଶବ ନେବା ପାଇଁ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡି କିମ୍ବା କୌଣସି ସୁବିଧା ନଥିବା କହିଛନ୍ତି । ପରିବାର ବର୍ଗ ନିଜ ସୁବିଧା ଅନୁଯାୟୀ ଶବ ନେଉଛନ୍ତି । ସୂଚନା ପ୍ରକାରେ,ନୂଆଗଡ ଗ୍ରାମର ଉପସ୍ଥିତ ବେବର୍ତ୍ତାଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହେବା ଯୋଗୁଁ ପରିବାର ଲୋକେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଚିକିତ୍ସା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ଦୁଖର ବିଷୟ ଶବକୁ ନେବାପାଇଁ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ମୃତକଙ୍କ ପରିଜନ ଶବକୁ ବାଇକ୍ରେ ମଝିରେ ବସାଇ ନେଉଥିବା ଦେଖିବାକୁ ମିଳିଥିଲା । ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱାସ୍ଥ୍ୟକେନ୍ଦ୍ର ତାଲିକାରେ ଥିବାବେଳେ ଏଠାରେ ମହାପ୍ରୟାଣ ଗାଡିର ବ୍ୟବସ୍ଥା ନଥିବା ଲଜ୍ଜାର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏହି ଘଟଣା ନେଇ ଆମ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଆଜି ଗଜପତି ସିଡିଏମ୍ଓ ପ୍ରଦୀପ କୁମାର ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଭଳି ସ୍ପର୍ଶକାତର ଘଟଣାରେ ଦାୟୀତ୍ୱରେ ଥିବା ମେଡିକାଲ ଅଫିସର ଏହି ଘଟଣା ନେଇ ଅବହେଳା ପ୍ରଦର୍ଶନ କରିଛନ୍ତି । ତାଙ୍କ ନିକଟରେ ଯଦି ସୁବିଧା ନାହିଁ ଘଟଣା ସମ୍ପର୍କରେ ମୋତେ ଜଣାଇବା କଥା । ମୋର ସମ୍ପୁର୍ଣ୍ଣ ଅଜ୍ଞାତସାରରେ ସୁବିଧା ନ ଥିବା କହି ଚୁପ ରହିବା ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୋତେ ଜଣାଇଥିଲେ ନିକଟସ୍ଥ ଚନ୍ଦ୍ରଗିରି ଡାକ୍ତରଖାନା କିମ୍ବା ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାରୁ ନିଶ୍ଚିତ ଭାବେ ମହାପ୍ରୟାଣ ଭ୍ୟାନ ପଠାଯାଇ ପାରିଥାନ୍ତା ।

Leave A Reply

Your email address will not be published.